ବିଳମ୍ବ ହେଉଛି ରମାଦେବୀ ବିଶ୍ବବିଦ୍ୟାଳୟ ପ୍ରଶାସନିକ କୋଠା ନିର୍ମାଣ : ସମୀକ୍ଷା କଲେ ଓଏସ୍‌ଆଇସି ଅଧ୍ୟକ୍ଷ

ଭୁବନେଶ୍ବର: ଭିତ୍ତିଭୂମି ସମସ୍ୟାରେ ଘାଣ୍ଟି ହେଉଛି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ। ଦ୍ବିତୀୟ କ୍ୟାମ୍ପସ ଜମି ଚିହ୍ନଟରେ ବିଳମ୍ବ ହେଉଥିବା ବେଳେ ଏପର୍ଯ୍ୟନ୍ତ ନିର୍ମାଣାଧୀନ ପ୍ରଶାସନିକ କୋଠା କାର୍ଯ୍ୟ ଶେଷ ହେଉନାହିଁ। ଯେଉଁଥିପାଇଁ ଏହି ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ୫ ହଜାର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ କୋଠାରେ ଯୁକ୍ତ୨, ଯୁକ୍ତ୩, ପିଜି ସମେତ ଏମ୍‌ ଫିଲ୍‌ ଛାତ୍ରୀଙ୍କ ପାଠପଢ଼ା ହେଉଛି। ସେଠାରେ ବି ପ୍ରଶାସନିକ କାର୍ଯ୍ୟ ଚାଲୁଛି। ଯେତେଶୀଘ୍ର ସମ୍ଭବ ପ୍ରଶାସନିକ କୋଠା ହସ୍ତାନ୍ତର ହେଲେ ସେଠାକୁ ସମସ୍ତ କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ନୂତନ କୋଠାରେ ପ୍ରଶାସନିକ କାର୍ଯ୍ୟ ଚାଲିବ। ପୁରୁଣା କୋଠାରେ ପାଠପଢ଼ା ଲାଗି ଆହୁରି ଶ୍ରେଣୀଗୃହ ବାହାରି ପାରିବ। ଫଳରେ ଲାଗିରହିଥିବା କ୍ଲାସରୁମ୍‌ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇପାରିବ ବୋଲି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଗତକାଲି ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ(ଓଏସ୍‌ଆଇସି)କୁ ଜଣାଇଥିଲେ।

ଛାତ୍ରୀମାନଙ୍କ ସମସ୍ୟା ସମ୍ପର୍କରେ ଜାଣିବା ପରେ ଓଏସ୍‌ଆଇସିର ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରଶାସନିକ କୋଠା କାର୍ଯ୍ୟର ସମୀକ୍ଷା କରିଛନ୍ତି। ଓଏସ୍‌ଆଇସିର ଏମ୍‌ଡି ପ୍ରଦୀପ୍ତ କୁମାର ସାହାଣିଙ୍କ ସମେତ ସିଜିଏମ୍‌, ବିଶ୍ବବିଦ୍ୟାଳୟ କୁଳସଚିବ ଓ ଅଧିକାରୀମାନେ ଉପସ୍ଥିତ ରହିଥିଲେ। ପ୍ରାୟ ଦୁଇ ଘଣ୍ଟା ଧରି ଏନେଇ ବ୍ୟାପକ ଆଲୋଚନା କରାଯିବା ପରେ ଚଳିତ ମାସ ଶେଷ ‌ସୁଦ୍ଧା ସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରି ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ଶ୍ରୀ ସାହୁ ନିର୍ଦେଶ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏବେ ସୁଦ୍ଧା ବିଲଡିଂର ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ଆହୁରି ୧୦ ପ୍ରତିଶତ କାର୍ଯ୍ୟ ବାକି ରହିଛି।

ସମ୍ବନ୍ଧିତ ଖବର