କଳାବ୍ୟାଜ୍‌ ପିନ୍ଧି ଧାରଣା ଦେଲେ ଓକିଲ

ପୁରୁଣା ଭୁବନେଶ୍ବର: ‌ଓଡ଼ିଶା ପ୍ରଶାସନିକ ନ୍ୟ‌ାୟାଧିକରଣ(ସ୍ୟାଟ୍‌) ଉଚ୍ଛେଦ ପ୍ରତିବାଦରେ ଆଜି ଆଇନଜୀବୀମାନେ କାର୍ଯ୍ୟବନ୍ଦ କରିବା ସହ କଳା ବ୍ୟାଜ୍‌ ପିନ୍ଧି କୋର୍ଟ ମୁଖ୍ୟ ଫାଟକ ଆଗରେ ଧାରଣା ଦେଇଥିଲେ। ସରକାର ଏହାର ପୁନର୍ବିଚାର ନ କଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆଇନଜୀବୀମାନେ ଚେତାବନୀ ଦେଇଛନ୍ତି। ଭୁବନେଶ୍ବର ବାର୍‌ ଆସୋସିଏସନ୍ ଓ ସ୍ୟାଟ୍‌ ବାର୍‌ ଆସୋସିଏସନ୍‌ର ଓକିଲମ‌ାନେ ମଧ୍ୟ ଆଜି କର୍ଯ୍ୟରେ ଯୋଗ ଦେଇନଥିବା ବେଳେ ରାସ୍ତାରେ ପ୍ରତିବାଦ ସ୍ବରୂପ ମାନବ ଶୃଙ୍ଖଳ କରିଥିଲେ। ଉଭୟ ଆସୋ‌ସିଏନ୍‌ ପକ୍ଷରୁ ସୂଚନା ଦିଅଯାଇଛି ଯେ ୧୯୮୬ମସିହା ଜୁଲାଇ ୪ରେ ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ ପ୍ରତିଷ୍ଠା ହୋଇଥିବା ବେଳେ ଏହାକୁ ଗତ ବୁଧବାର ଦିନ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ‌ପ୍ରସଙ୍ଗରେ ଆଇନଜୀବୀଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରାଯାଇନାହିଁ କି ଆଲୋଚନା କରାଯାଇନାହିଁ। ବିଭିନ୍ନ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇ ଏହାକୁ ନକରିବା ପାଇଁ ଦାବି ହୋଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ଣ୍ଣପାତ କରିନାହାନ୍ତି। ହଠାତ୍‌ ସ୍ୟାଟ୍‌କୁ ଉଚ୍ଛେଦ ପାଇଁ ସରକାର ନିଷ୍ପତ୍ତି କରି ବିଜ୍ଞପ୍ତି ପ୍ରକାଶ କରିବା ଏକ ପ୍ରକାର ଓକିଲ ମାରଣନୀତି ବୋଲି ସେମାନେ କହିଛନ୍ତି। କେବଳ କେତେକ ସରକାରୀ ପ୍ରଶାସନିକ ଅଧିକାରୀଙ୍କ ପ୍ରରୋଚନରେ ଏଭଳି କରାଯାଇଛି ବୋଲି ଉଭୟ ଆସୋସିଏସନ୍‌ ପକ୍ଷରୁ ଆଜି ଅପରାହ୍‌ଣରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏଥିରେ ବରିଷ୍ଠ ଆଇନଜୀବୀ ଅଜିତ ରଥ, ରମାକାନ୍ତ ସାହୁ, ଭୁବନେଶ୍ବର ଓକିଲ ସଂଘର ସଭାପତି ବୀରେନ୍ଦ୍ର କୁମାର ପଟ୍ଟନାୟକ, ଉପ ସଭାପତି ଶୀଳଭଦ୍ର ଶାସ୍ତ୍ରୀ, ସମ୍ପାଦକ ବିଶ୍ବ ନାରାୟଣ ମହାନ୍ତି, ସ୍ୟାଟ୍‌ ବାର ଆସୋସିଏସନ୍‌ ସଭାପତି ଅନନ୍ତ କୁମାର ଅଚାର୍ଯ୍ୟ, ସମ୍ପାଦକ ପ୍ରମୋଦ କୁମାର ଦାଶ ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର