ପାଣି କିଣିବାକୁ ଲାଇନ୍‌

ଭୁବନେଶ୍ବର : ଫନିର ପ୍ରଳୟ ପରେ ପାଣି କିଣିବାକୁ ଆଜି ‌ସକାଳୁ ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ସକାଳୁ କାଁ ଭାଁ ଦୋକାନ ଖୋଲିବାରୁ ପାଣି କିଣିବା ପାଇଁ ଏତେ ଭିଡ଼ ହୋଇଥିଲା ଯେ, ଦୋକାନୀ ଲାଇନ୍‌ରେ ଆସିବାକୁ କହିଥିଲେ। ଜୟ‌ଦେବ ବିହାର, ନିକୋ ପାର୍କ ଏବଂ ସାଲିଆ ସାହି ନିକଟସ୍ଥ ଅଞ୍ଚଳରେ ଲୋକେ ପାଣି କିଣିବାକୁ ଖରାରେ ଲାଇନ୍‌ରେ ଛିଡ଼ା ହୋଇଥିଲେ। ପାଣି ପାଇଁ ଲୋକ ଆଉଟୁପାଉଟୁ ହେଉଥିବ‌ାବେଳେ ଦୋକାନରୁ ପାଣି ବୋତଲ କିଣି ପିଇଥିଲେ। ଏହାର ଫାଇଦା ନେଇ କିଛି ଅଞ୍ଚଳରେ ବ୍ୟବସାୟୀମାନେ ଚଢ଼ା ଦରରେ ପାଣି ବୋତଲ ବିକୁଥିବା ଦେଖିବାକୁ ମିଳିଥିଲା। ବରମୁଣ୍ଡାର କିଛି ଅଞ୍ଚଳରେ ଏକ ଲିଟର ପାଣି ବୋତଲ ୩୫ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା

ତେବେ ଆଜି କେତେକ ଛକରେ ଦହିବରା ପହଞ୍ଚୁ ପହଞ୍ଚୁ ସକାଳ ୯ଟା ଭିତରେ ଶେଷ ହୋଇଯାଇଥିଲା। ଦିନ ୩ଟା ପର୍ଯ୍ୟନ୍ତ ଛିଡ଼ା ହେବାକୁ ପଡ଼ୁଥିବା ଦହିବରା ବ୍ୟବସାୟୀ ଆଜି ସକାଳ ୯ରୁ ବେପାର ସାରି ପଳେଇଥିଲେ। କାଁଭାଁ ଜଳଖିଆ ଦୋକାନ ଖୋଲିଥିବାରୁ ସେଠାରେ ମଧ୍ୟ ବ୍ୟାପକ ଗହଳି ଦେଖିବାକୁ ମିଳିଥିଲା। ତେଲ କଡ଼େଇରୁ ବରା ବାହାରିବା ପୂର୍ବରୁ ଅର୍ଡର ହେଇଯାଉଥିଲା। କଦଳୀ ଓ ଫଳ ବ୍ୟବସାୟ ମଧ୍ୟ ଖୁବ୍‌ ଜମିଥିଲା। କଦଳୀ ଡର୍ଜନେକୁ ୬୦ରୁ ୭୦ ଟଙ୍କାରେ ବିକ୍ରି ହୋଇଥିବା ବେଳେ ଫଳ ଦଳ ସାମାନ୍ୟ ବୃଦ୍ଧି ପାଇଥିଲା।

ଲୁଟେରାଙ୍କ ପୁଷମାସ

ଭୁବନେଶ୍ବର : ‘ଫନି’ ଯୋଗୁଁ ରାଜଧାନୀବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଲୁଟେରାଙ୍କ ପାଇଁ ପୁଷମାସ ପାଲଟିଛି। ବାତ୍ୟାରେ ନଷ୍ଟ ହୋଇଯାଇଥିବା ଛୋଟ ଦୋକାନଠାରୁ ଆରମ୍ଭ କରି ବିଭିନ୍ନ ହଷ୍ଟେଲ, ଆବାସିକ ଅଞ୍ଚଳରେ ଲୁଟେରାମାନେ କଳାକନା ବୁଲାଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଥିବାରୁ ରାତିରେ ଅନ୍ଧାରର ସୁଯୋଗ ନେଇ ମାଷ୍ଟରକ୍ୟାଣ୍ଟିନ୍‌ ଛକସ୍ଥିତ ଏକ ଲୁଗା ଦୋକାନରୁ ଲୁଟ୍‌ ହୋଇଛି। ସେହିପରି ବାଣୀବିହାର ହଷ୍ଟେଲ୍‌ଗୁଡ଼ିକରେ ଲୁଟେରାମାନେ ପଶି ଲୁଟ୍‌ପାଟ ଉଦ୍ୟମ କରିଥିଲେ। ବାଣୀବିହାର ବିଭିନ୍ନ ସ୍ଥାନରେ ଭାଙ୍ଗି ପଡ଼ିଥିବା ଇଲେକ୍ଟ୍ରି ବଲ୍‌ବ, ଲୁହା ପାଇପ୍‌, ସୌରଚାର୍ଜ ମେସିନ୍‌, ତାର କାଟି ନେଇଛନ୍ତି। ରାଜଧାନୀର ବିଭିନ୍ନ ସ୍ଥାନରେ ଭାଙ୍ଗି ପଡ଼ିଥିବା ଲୁହା ଜିନିଷ, ଇଲେକ୍ଟ୍ରିକ୍‌ ତାର, ଏଲ୍‌ଇଡି ବଲ୍‌ବ, ହୋଡିଂ ଫ୍ରେମ୍‌ ଲୁଟ୍‌ ହୋଇଛି। ଅପରପକ୍ଷେ କେତେକ ଥାନାରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ଲୁଟେରା ଗ୍ୟାଙ୍ଗ ଏଭଳି ସକ୍ରିୟ ହେବା ପୁଲିସର ଚିନ୍ତା ବଢ଼ାଇ ଦେଇଛି। ଥାନା ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ ପର୍ଯ୍ୟନ୍ତ ସମସ୍ତେ ପୁନରୁଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଥିବାରୁ ପୁଲିସ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଆଇଟିବିପି ଶିବିର କ୍ଷତିଗ୍ରସ୍ତ

ଭୁବନେଶ୍ୱର : ଫନି ପ୍ରଭାବରେ ଖୋର୍ଦ୍ଧା-ନୟାଗଡ଼ ରାସ୍ତା ତରତୁଆ ଠାରେ ଥିବା ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି) ୪୧ ତମ ବାହିନୀ ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ପରୀକ୍ଷଣ ପାଇଁ ତିଆରି ହୋଇଥିବା ସେଡ୍‌ ନଷ୍ଟ ହୋଇଯାଇଥିବା ବେଳେ ପ୍ରବେଶ ଦ୍ବାର‌ରେ ଏକ ବିରାଟ ଗଛ ପଡ଼ି ଯାତାୟାତ ସମସ୍ୟା ହୋଇଛି। ଗୋଦାମ ଘର ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଅନେକ ସାମଗ୍ରୀ ପାଣିରେ ନଷ୍ଟ ହୋଇଯାଇଛି। ପ୍ରତ୍ୟେକ ଘରର କବାଟ ଓ ଝରକା ପବନରେ ଭାଙ୍ଗି ଯାଇଥିବା ବେଳେ ପାଣି ପଶିଯାଇଛି। ସେହିଭଳି ପୁଲିସ କମିସନରେଟ୍‌ କାର୍ଯ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କୋଠାର ୭୦ ପ୍ରତିଶତ କାଚ ଭାଙ୍ଗି ଯାଇଛି। ଭିତରେ ପାଣି ପଶି ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନଷ୍ଟ ହୋଇଯାଇଛି।

ସମ୍ବନ୍ଧିତ ଖବର