ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ଘରୁ ଲୁଟ୍‌: ଝରକା ତାଡ଼ି ନେଇଗଲେ ଦେଢ଼ଶହ ଗ୍ରାମ ସୁନା, ୩୦୦ ଗ୍ରାମ୍‌ ରୁପା ଅଳଙ୍କାର ସମେତ ୪୧ ହଜାର ଟଙ୍କା

ଧଉଳି: ଧଉଳି ଥାନା ଅଧୀନ ସରଦେଇପୁର ଅଞ୍ଚଳରେ ରହୁଥିବା ଦୁଇ ଅବସରପ୍ରାପ୍ତ ଅଧିକାରୀଙ୍କ ଘରୁ ଗତ ରାତିରେ ଲୁଟ୍‌ ହୋଇଛି। ଲୁଟେରାମାନେ ଉଭୟଙ୍କ ଝରକା ତାଡ଼ି ଘରୁ ନଗଦ ୪୧ହଜାର ଟଙ୍କା ସହ ପ୍ରାୟ ଦେଢ଼ଶହ ଗ୍ରାମର ସୁନା ଓ ୩୦୦ ଗ୍ରାମ ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଦ୍ବୟ ହେଲେ, ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର୍‌ ରୋହିଣୀକାନ୍ତ ମୁଖାର୍ଜୀ ଏବଂ ଭୁବନେଶ୍ବର କୃଷି ନିର୍ଦ୍ଦେଶାଳୟରୁ ଗତ ମାସରେ ଅବସର ଗ୍ରହଣ କରିଥିବା ସେକ୍ସନ୍‌ ଅଫିସର୍‌ ଅନନ୍ତ ଚରଣ ସାହୁ। ଏ ସଂପର୍କରେ ଉଭୟ ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଅଭିଯୋଗ କରିବାରୁ ପୁଲିସ୍‌ ଦୁଇଟି ପୃଥକ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହ ପୁଲିସ୍‌ ଘଟଣାସ୍ଥଳରେ ତଦନ୍ତ କରିଥିଲେ ହେଁ ଲୁଟେରାଙ୍କ ପତ୍ତା ପାଇ ପାରିନାହିଁ।

ସୂଚନାନୁଯାୟୀ, ସରଦେଇପୁର ୪୪୦/୯୯୬ରେ ପ୍ରଫେସର୍‌ ରୋହିଣୀକାନ୍ତ ସପରିବାରେ ରହନ୍ତି। ଗତ ରାତିରେ ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କ ଘରର ଦୁଇଟି ଝରକା ଗ୍ରିଲ ତାଡ଼ି ଭିତରେ ପଶି ଲୁଟ୍‌ପାଟ୍‌ କରିଥିଲେ। ଆଲମିରା ତାଲା ଭାଙ୍ଗି ନଗଦ ୨୬ ହଜାର ଟଙ୍କା ସହ ୧୦ଗ୍ରାମ୍‌ର ସୁନାଚେନ୍‌, ଦୁଇଟି ସୁନାମୁଦି ଓ ୩ ହଳ କାନଫୁଲ ଲୁଟି ନେଇଥିଲେ। ଏହାସହ ଘରେ ଥିବା ବହୁ ଦାମୀ ଇଲେକଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଲୁଟି ନେଇଥିଲେ। ସେହିପରି ପ୍ଲଟ ନଂ ୪୦ ରେ କୃଷି ନିର୍ଦ୍ଦେଶାଳୟର ସେକ୍ସନ ଅଫିସର୍‌ ଅନନ୍ତ ଏବଂ ସଂପୃକ୍ତ ବିଭାଗରେ ସହିଦନଗରେ କାର୍ଯ୍ୟରତ ଥିବା ତାଙ୍କ ପତ୍ନୀ ଶୈଳବାଳା ଦାଶ ରୁହନ୍ତି। ଦୁର୍ବୃତ୍ତମାନେ ଅନୁରୂପ ଢଙ୍ଗରେ ତାଙ୍କ ଘରର ପଛପଟ ଝରକା ତାଡ଼ି ଲୁଟପାଟ କରିଥିଲେ। ଆଲମିରା ଭାଙ୍ଗି ୧୫ହଜାର ଟଙ୍କା ସମେତ ଦେଢ଼ଶହ ଗ୍ରାମର ସୁନା ଓ ୩୦୦ ଗ୍ରାମର ରୁପା ଅଳଙ୍କାର ଲୁଟି ନେଇଥିଲେ। ଲୁଟ ସୁନା ଅଳଙ୍କାର ମଧ୍ୟରେ ୪୦ ଗ୍ରାମର ଦୁଇଟି ହାର, ୧୦ଟା ମୁଦି , ଗୋଟିଏ ଚେନ, ୫ ହଳ କାନ ପେଣ୍ଡିଫୁଲ, ଶଙ୍ଖା ୩ ହଳ, ବାହୁଟି ୩ ହଳ ଏବଂ ୩୦ ଭରି ଓଜନର ରୁପା ଅଳଙ୍କାର।

ଦୁଇଟି ଯାକ ଲୁଟ୍‌ର ତରିକା ଗୋଟିଏ ପ୍ରକାର ହୋଇଥିବାରୁ ଏହା ଗୋଟିଏ ଗ୍ୟାଙ୍ଗର କାମ ବୋଲି ପୁଲିସ୍‌ ସନ୍ଦେହ କରୁଛି। ତେବେ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି ହେଉ ନଥିବାରୁ ଚୋରି ବଢ଼ୁଥିବା ଅଭିଯୋଗ ହେଉଛି। ଏ ଦିଗରେ ପୁଲିସ୍‌ କମିସନର୍‌ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର