ଲକ୍‌ଡାଉନ୍‌ରେ ଅଭାବ ନେଇଗଲା ମୁଣ୍ଡ : ମୋ’ପୁଅର ଶବ ଦିଅ…, ତିନି ଦିନ ହେଲା ନେହୁରା ହେଉଛି ମା’

ଭୁବନେଶ୍ୱର : ହୋଟେଲ୍‌ରେ କାମ କରି ଦି’ପଇସା କମାଉଥିଲେ। ଘରକୁ ନ ଦିଅନ୍ତୁ ପଛେ ନିଜ ଚଳିବା ଖର୍ଚ୍ଚ ଉଠେଇ ଦେଉଥିଲେ। ହେଲେ ଲକ୍‌ଡାଉନ ସବୁ ଉଜାଡ଼ିଦେଲା। ୪ ମାସ ଧରି ରୋଜଗାର ବନ୍ଦ ହେଇଯିବା ପରେ ଟଙ୍କା ଅଭାବରୁ ମୋବାଇଲ୍‌ ବିକିଦେବାକୁ ବସିଥିଲେ। ଯେ‌ବେ ମା’ ଏହାକୁ ବିରୋଧ କଲେ; କେହି ନ ଥିବାର ‌ସୁଯୋଗରେ ବନ୍ଦ ଘରେ ଫାଶୀ ଲଗେଇ ଝୁଲିପଡ଼ିଲେ। କରୋନା ଲକ୍‌ଡାଉନରେ ରୋଜଗାର ହରାଇ ନିରାଶ ହୋଇ ପଡ଼ିଥିବା ଗୋଟେ ଭେଣ୍ଡିଆ ପୁଅକୁ ମା’ଟିଏ ସବୁଦିନ ପାଇଁ ହରାଇଦେଲା। ଗତ ଶୁକ୍ରବାର ସକା‌ଳେ ଜାଗମରା ଉପରସାହିରେ ଘଟିଥିଲା ଏହି ହୃଦୟବିଦାରକ ଘଟଣା। ରୋଜଗାର ଶୂନ୍ୟ ହୋଇ ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଉଛନ୍ତି ଗଣେଶ ପାତ୍ର(୨୧)। ମାତ୍ର ଏତିକିରେ ସରିଯାଇନି ପୁଅକୁ ହରାଇଥିବା ଗୋଟେ ଅଭାଗା ମା’ର ଦୁଃଖ। ବରଂ ମୃତ୍ୟୁ ପରେ ପୁଅର ଶବ ପାଇବାକୁ ୩ ଦିନ ହେଲା ସଂଘର୍ଷ କରୁଛନ୍ତି ମା’ ଲକ୍ଷ୍ମୀ ପାତ୍ର।

ଲକ୍ଷ୍ମୀଙ୍କ କହିବା ମୁତାବକ, ପୁଅ ମରିଗଲା ପରେ ଯେବେ ବ୍ୟବଚ୍ଛେଦ ପାଇଁ ନିଆଗଲା, ତା’ର ‌କରୋନା ପଜିଟିଭ୍‌ ବାହାରିଛି ବୋଲି କୁହାଗଲା। ଅଥଚ ନାଁ ପୁଅର ରିପୋର୍ଟ ପରିବାରକୁ ଦିଆଗଲା ନା’ ପୁଅର ଶବ ହସ୍ତାନ୍ତର କରାଗଲା। ଫଳରେ ୩ ଦିନ ହେଲା ପୁଅକୁ ହରେଇଥିବା ଲକ୍ଷ୍ମୀ କେବଳ ଲୁହ ନିଗାଡ଼ୁଛନ୍ତି। ପୁଅର ମୃତ୍ୟୁ ପରଠୁ ପ୍ରତିଦିନ ଖଣ୍ଡଗିରି ଥାନାକୁ ଦୌଡ଼ୁଛନ୍ତି। ହେଲେ ଥାନା ଦୁଆର ମାଡ଼ିବା ମାତ୍ରେ ପୁଲିସ ଘଉଡ଼ାଇ ଦେଉଛି। ଏଣେ ପୁଅର ଶବଦାହ ହୋଇ ସାରିଛି ନା ପୁଅକୁ ଏବେ ବି ମେଡିକାଲ୍‌ରେ ରଖାଯାଇଛି; ତାହା ବି ତାଙ୍କ ପରିବାରକୁ ଏ ପର୍ଯ୍ୟନ୍ତ ଅବଗତ କରାଯାଉନାହିଁ। ଲକ୍ଷ୍ମୀ କହିଛନ୍ତି, ଯଦି ମୋ’ ପୁଅର କରୋନା ବାହାରିଛି ତେବେ ରିପୋର୍ଟ କାହିଁକି ଦିଆଯାଉ ନାହିଁ? ଯଦି ରିପୋର୍ଟ ନ ଦିଆଯାଉଛି, ତେବେ ଶବ କାହିଁକି ଦେଉନାହଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ପୂର୍ବରୁ ଗଣେଶଙ୍କ ବାପା କର୍କଟରେ ପ୍ରାଣ ହରାଇଥିବା ବ‌େଳେ ଏବେ ପୁଅ ଗଶେଶକୁ ହରାଇଥିବା ମା’ ଏକଦମ ଭାଙ୍ଗିପଡ଼ିଛନ୍ତି। ଗଞ୍ଜାମର ମୂଳ ବାସିନ୍ଦା ହୋଇଥିଲେ ହେଁ ଲକ୍ଷ୍ମୀ ୧୯ ବର୍ଷ ଧରି ଜାଗମରାରେ ମୂଲ ଲାଗି ୫ ପିଲାଙ୍କୁ ମଣିଷ କରିଥିଲେ। ଗଣେଶ ନିଜ ଇଚ୍ଛାରେ ଯାଇ ଆଇଟିଇଆର୍‌ ଗଳି ନିକଟସ୍ଥ ଏକ ହୋଟେଲ୍‌ରେ ୭ହଜାର ଟଙ୍କା ଦରମାରେ କାମ କରୁଥିଲା। ମାତ୍ର ହୋଟେଲ୍‌ ବନ୍ଦ ହୋଇଯିବା ପରେ ଗଣେଶ ଚିନ୍ତିତ ହୋଇ ପଡ଼ିଥିଲା। ପାଖରେ ଟଙ୍କା ନ ଥିବାରୁ କେବେ ମୋବାଇଲ୍‌ ବିକିଦେବ ବୋଲି କହୁଥିଲା ତ କେବେ ନିଜ ମା’ଙ୍କୁ ଟଙ୍କା ମାଗୁଥିଲା। ଶେଷରେ ଆର୍ଥିକ ଅନଟନ ପାଇଁ ଏକ ଜୀବନ ଦୀପ ଲିଭିଗଲା। ଏ ନେଇ ପୂର୍ବତନ କର୍ପୋରେଟର ରଘୁନାଥ ମହାନ୍ତି କହିଛନ୍ତି, ଯଦି ଗଣେଶର କରୋନା ପଜିଟିଭ୍‌ ବାହାରିଛି ବୋଲି କୁହାଯାଉଛି ତେବେ ତାଙ୍କ ପରିବାରକୁ ରିପୋର୍ଟ ଦେବାରେ କ’ଣ ସମସ୍ୟା ରହିଛି? ତେଣୁ ତୁରନ୍ତ ରିପୋର୍ଟ ଜଣାଯାଉ ଏବଂ ଅନ୍ଧାରରେ ନ ରଖି ତାଙ୍କ ପୁଅର ଶେଷକୃତ୍ୟ ହୋଇଛି ନା ନାହିଁ ସେମାନଙ୍କୁ ଅବଗତ କରାଯାଉ। ଗୋଟେ ମା’ର ଅନ୍ତଃବେଦନାକୁ ବୁଝି ପୁଲିସ୍‌ ମଧ୍ୟ ଏ ବାବଦରେ ତାଙ୍କ ପରିବାରକୁ ସବୁକିଛି ଅବଗତ କରୁ ବୋଲି ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର