ଯୁବ ଉଦ୍ୟୋଗୀ ଅନନ୍ତଙ୍କ ପ୍ରଶଂସନୀୟ ଉଦ୍ୟମ : ଓଡ଼ିଶାରେ ମକା ସାଇଲେଜ୍‌ ପ୍ରକଳ୍ପ

ଭୁବନେଶ୍ୱର : ଯୁବ ଦୁଗ୍ଧଚାଷୀ ଅନନ୍ତ ବାସୁଦେବଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ପ୍ରତିଷ୍ଠା ହୋଇଛି ମକା ସାଇଲେଜ୍‌ ପ୍ରକଳ୍ପ। ‘ଓଡ଼ିଶା ସାଇଲେଜ୍‌’ ନାମରେ ନବରଙ୍ଗପୁରରେ ସ୍ଥାପନ ହୋଇଥିବା ଏହି ପ୍ରକଳ୍ପ ଗାଈମାନଙ୍କ ପାଇଁ ସର୍ବୋତ୍କଷ୍ଟ ଚାରା ଯୋଗାଇବା ଦିଗରେ ସହାୟକ ହେବ। ରାଜ୍ୟରେ ଗୋ-ଚାଷକୁ ଏହି ପ୍ରକଳ୍ପ ନୂଆ ଦିଗ ଦେଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଭୁବନେଶ୍ୱରର ୩୧ ବର୍ଷିଆ ଉଦ୍ୟୋଗୀ ଅନନ୍ତ ୨୦୧୨ରେ ୨୦ଟି ଗାଈରୁ ସେ ଡେରି ଫାର୍ମ ଆରମ୍ଭ କରିଥିଲେ। ପରବର୍ତୀ ସମୟରେ ଗାଈଙ୍କ ସଂଖ୍ୟା ୧୦୦ରେ ପହଞ୍ଚିବାରୁ ସବୁ ଦିନ ଘାସ ଯୋଗାଇବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ୩ ବର୍ଷ ଧରି ଏହାର ସମାଧାନ ଲାଗି ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ବିଶ୍ୱର ଡେରି ସଂସ୍ଥାମାନେ ମକା ସାଇଲେଜ୍‌କୁ ଗୋଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି। ତେଣୁ ସେ ପ୍ରଥମେ ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରୁ ମକା ସାଇଲେଜ କିଣିବା ଆରମ୍ଭ କଲେ। କିନ୍ତୁ ସେଠାରେ ଏହାର ଚାହିଦା ଅଧିକ ଥିବାରୁ ନିୟମିତ ଭାବେ ମକା ସାଇଲେଜ୍‌ ଉପଲବ୍ଧ ହୋଇ ପାରୁ ନ ଥିଲା। ଅଧିକ ପରିବହନ ଖର୍ଚ୍ଚ ଦେବାକୁ ପଡ଼ିଲା। ତାହାକୁ ଦୃଷ୍ଟିରେ ରଖି ସାଇଲେଜ୍‌ ଉତ୍ପାଦନ କରିବାର ପରିକଳ୍ପନା କରିଥିଲେ। ଯାହାଦ୍ୱାରା ସେ ଉପକୃତ ହେବା ସହ ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଲାଗି ଏହା ସହାୟକ ହୋଇପାରିବ। ଓଡ଼ିଶାରେ ଗାଈଙ୍କ ସଂଖ୍ୟା ୧୫ ମିଲିୟନ୍‌ ଥିବା ବେଳେ ଏବେ ମଧ୍ୟ ୪୮% ଗୋ-ଖାଦ୍ୟ ନିଅଣ୍ଟ ପଡ଼ୁଛି। ଏଭଳି ସ୍ଥିତିରେ ଦୁଗ୍ଧର ମାନ ବଢ଼ାଇପାରୁଥିବା ଏଭଳି ଲାଭପ୍ରଦ ପ୍ରଣାଳୀର ଆବଶ୍ୟକତା ରହିଥିଲା ବୋଲି ଅନନ୍ତ କହିଛନ୍ତି। ତାଙ୍କ କହିବାନୁଯାୟୀ ନବରଙ୍ଗପୁର ଜିଲ୍ଲାରୁ ପ୍ରଚୁର ମକା ଉତ୍ପାଦିତ ହେଉଛି। ଏଠାରେ ମକା ବଜାର ବ୍ୟାପକ ଥିବାରୁ ସେଠାରେ ଏହି କାରଖାନା ସ୍ଥାପିତ ହୋଇଛି। ବର୍ଷକୁ ପ୍ରାୟ ୪୦ ହଜାର ମେଟ୍ରିକ୍‌ ଟନ୍‌ ମକା ସାଇଲେଜ୍‌ ପ୍ରସ୍ତୁତ କରାଯାଇପାରିବ। ଏହାଦ୍ୱାରା ଦୈନିକ ୨୦ ହଜାର ଗାଈଙ୍କୁ ଚାରା ଯୋଗା ଯାଇପାରିବ। ସ୍ଥାନୀୟ ମକା ଚାଷୀମାନେ ଉପକୃତ ହୋଇପାରିବେ। ପ୍ରକଳ୍ପରୁ ୫୦୦ ମକା ଚାଷୀ ଲାଭାନ୍ଵିତ ହେବା ସହ ୩୦% ପର୍ଯ୍ୟନ୍ତ ଲାଭ ପାଇବେ। ଏହି ଉତ୍ପାଦ ସାରା ରାଜ୍ୟରେ ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ମକା ସାଇଲେଜ୍‌ ଏକ ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଚାରା, ଯାହାକି ସମଗ୍ର ବିଶ୍ୱର ବିଭିନ୍ନ ଡେରି ସଂସ୍ଥାଗୁଡ଼ିକରେ ବ୍ୟବହାର କରାଯାଇଥାଏ। ଏହା ସହଜ ପାଚନଶୀଳ, ଶକ୍ତିବର୍ଦ୍ଧକ ଓ ଗାଈ ସ୍ୱାସ୍ଥ୍ୟ ବର୍ଦ୍ଧକ ତଥା ସହଜରେ ଏହାକୁ ଯନ୍ତ୍ରପାତି ଦ୍ୱାରା ଅମଳ କରାଯାଇପାରିବ।

ସମ୍ବନ୍ଧିତ ଖବର