ପାଉଡ଼ିଭୂୟାଁ ଛାତ୍ରୀଙ୍କ ପାଇଁ ଗଣିତ ଶିବିର

ଭୁବନେଶ୍ୱର: ପାଉଡ଼ିଭୂୟାଁ ସମ୍ପ୍ରଦାୟର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୬୦ଜଣ ଛାତ୍ରୀଙ୍କ ପାଇଁ ଏକ ଚାରିଦିନିଆ ଗଣିତ ଶିକ୍ଷା ଶିବିର ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ସୀମାନ୍ତବର୍ତ୍ତୀ ପାର୍ବତ୍ୟାଞ୍ଚଳରେ ପାଉଡ଼ିଭୂୟାଁ ସମ୍ପ୍ରଦାୟର ଆଦିମ ଅଧିବାସୀମାନେ ପୋଡୁ ଚାଷ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ର୍ନିବାହ କରନ୍ତି। ଏହି ଅଞ୍ଚଳର ୬୦ଜଣ ଛାତ୍ରୀ ଏହି ଗଣିତ ଶିବିରରେ ଅଂଶଗ୍ରହଣ କରିଥିଲେ।
ଏହି ଶିବିରରେ ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ସୁମିତ୍ରା କୁମାରୀ ପଟେଲ୍‌, ସୁଦର୍ଶନ ନାୟକ, ମଦନ ମୋହନ ମହାନ୍ତିଙ୍କ ଭଳି ଅଭିଜ୍ଞ ଶିକ୍ଷାବିତ୍‌ ଯୋଗଦେଇ ଛାତ୍ରୀମାନଙ୍କୁ ଗଣିତ ପାଇଁ ଆଗ୍ରହ ସୃଷ୍ଟି କରିବା, ଭୟମୁକ୍ତ ହେବା, ଗଣିତର ଅନାଲୋଚିତ ଦିଗଗୁଡ଼ିକ ବିଷୟରେ ବୁଝାଇଥିଲେ। ଉଦ୍‌ଯାପାନୀ ଉତ୍ସବରେ ମୁମ୍ବାଇସ୍ଥିତ ଟିଆଇଏଫ୍‌ଆର୍‌ର ସଂଖ୍ୟାତତ୍ତ୍ୱ ବିଶାରଦ ପ୍ରଫେସର ଟି.ଏନ୍‌ ସୋରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଅକ୍ଷୟ କୁମାର ମିଶ୍ର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର