ଭୁବନେଶ୍ବର: ମୌସୁମୀରେ କିଛିଦିନର ବିରାମ ଲାଗିଥିଲେ ବି ଆଗାମୀ ବର୍ଷା ପାଇଁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିଛି। ଚଳିତବର୍ଷ ବି ଜଳବନ୍ଦି ସମସ୍ୟାକୁ ନେଇ ଚିନ୍ତା ଘାରିଛି। ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଚଳିତବର୍ଷ ନ ହେଲେ ବି ଆସନ୍ତାବର୍ଷଠାରୁ ଆଉ ରାଜଧାନୀରେ ଜଳବନ୍ଦି ସମସ୍ୟା ଦେଖାଦେବନି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଶ୍ବାସନା ଦେଇଛନ୍ତି।

Advertisment

ମନ୍ତ୍ରୀ ଡ. ମହାପାତ୍ର କହିଛନ୍ତି, ଇସ୍କନ୍‌ଠାରୁ ବାଣୀବିହାର ଜଳବନ୍ଦି ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ସ୍ବତନ୍ତ୍ର ଡ୍ରେନ୍‌ ଯୋଜନା କରାଯାଇଛି। ଏହି କାମ ଆସନ୍ତାବର୍ଷ ଆରମ୍ଭ ହେବ। ଚଳିତବର୍ଷ ଅସ୍ଥାୟୀ ପ୍ରତିକାର ସ୍ବରୂପ ଇସ୍କନ୍ ଛକ ଓଭରବ୍ରିଜ୍‌ଠାରୁ ହ୍ୟୁମ୍ ପାଇପ୍ ପକାଇ ୧୦ ନମ୍ବର ମୁଖ୍ୟ ନାଳରେ ସଂଯୋଗ ପୂର୍ବକ ବର୍ଷା ଓ ଆବର୍ଜନା ଜଳ ନିଷ୍କାସନର ବ୍ୟବସ୍ଥା କରାଯିବ। ବର୍ଷା ପୂର୍ବରୁ ନାଳ ସଫେଇ, ମରାମତି କାମ ସାରିବାକୁ ଅଧିକାରୀ, ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେତିକି ପରିମାଣର ଆବର୍ଜନା ଜଳ ନାଳରେ ଆସୁଛି, ନିଷ୍କାସନ ପାଇଁ ସେଭଳି ଭିତ୍ତିଭୂମି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ଡ. ମହାପାତ୍ର ଆଜି ବିଏମ୍‌ସିର ପ୍ରମୁଖ ବୁଡ଼ି ଅଞ୍ଚଳ ଯଥା ଇସ୍କନ୍ ମନ୍ଦିର ଛକସ୍ଥିତ ନାଳ, ଭୋଇନଗର ୪ ନମ୍ବର ଡ୍ରେନ୍, ରାଜୀବନଗର ୯ ନମ୍ବର ଡ୍ରେନ୍, ବମିଖାଲ, ରୁଦ୍ରପୁର, କଳିଙ୍ଗ ଷ୍ଟୁଡିଓ ଛକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ରାଜଧାନୀର ଜଳବନ୍ଦି ସମସ୍ୟା ବହୁ ଦିନର। ରାଜ୍ୟରେ ନୂଆ ସରକାର ଆସିବା ପରେ ଏହାର ସମାଧାନର ନକ୍ସା ପ୍ରସ୍ତୁତ କରାଯାଇଥିଲା।

ଚଳିତବର୍ଷ ଅଧିକ ବର୍ଷା ହେବାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ କରାଯାଇଥିଲା। ଯେଉଁ ଜଳବନ୍ଦି ସ୍ଥାନ ରହିଛି, ସେଠାରେ ନାଳ କାମ କେତେ ଆଗେଇଛି, ଆଜି ତାର ସ୍ଥିତି ଦେଖିଥିଲୁ। ବର୍ଷା ପୂର୍ବରୁ ତୁରନ୍ତ ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜଧାନୀରେ ମୁଖ୍ୟତଃ ବିଭିନ୍ନ ନାଳ ଜାମ୍ କାରଣରୁ ଜଳବନ୍ଦି ସମସ୍ୟା ଉପୁଜୁଛି। ନାଳରେ ଯେତିକି ବର୍ଷାଜଳ ଓ ନାଳ ପାଣି ଆସୁଛି, ସେତିକି ମାତ୍ରାରେ ନିଷ୍କାସନ ହୋଇପାରୁନି। ଏହାର ବିକଳ୍ପ ଚିନ୍ତା କରୁଛୁ। ନାଳ ଜବରଦଖଲ ସବୁ ଉଚ୍ଛେଦ ହେବ ବୋଲି ମନ୍ତ୍ରୀ କହିଛନ୍ତି। ବମିଖାଲରେ ଜଳବନ୍ଦି ସମସ୍ୟା ସମାଧାନ ପାଇଁ ଗୋଟିଏ ପାର୍ଶ୍ବ ଡ୍ରେନ୍ କାମ ପାଇଁ ଟେଣ୍ଡର୍ ସରିଛି। ଆସନ୍ତାବର୍ଷ ବର୍ଷା ପୂର୍ବରୁ କାମ ସାରିବାର ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ବିଧାୟକ ବାବୁ ସିଂ, କମିସନର୍ ରାଜେଶ ପ୍ରଭାକର ପାଟିଲ୍, ସିଟି ଇଂଜିନିୟର ବିଳାଶ କୁମାର ବେହେରା, କର୍ପୋରେଟର୍ କୁମରେନ୍ଦ୍ର ମହାପାତ୍ର, ବନ୍ଦିତା ପାଲ୍ ପ୍ରମୁଖ ଉପସ୍ଥିତ ଥିଲେ। ୩୭ ନମ୍ବର ୱାର୍ଡ କର୍ପୋରେଟର୍ ବନ୍ଦିତା ପାଲ୍ କହିଛନ୍ତି ଯେ ଇସ୍କନ୍‌ ମନ୍ଦିର ସାମ୍ନାରେ ଜଳ ନିଷ୍କାସନ ସମସ୍ୟାର ୭୦ ପ୍ରତିଶତ ସରିଛି। ଅବଶିଷ୍ଟ ୩୦ ପ୍ରତିଶତ ସାରିବାକୁ  ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଅନୁରୋଧ କରିଛୁ। ଇସ୍କନ ସାମ୍‌ନରୁ ଏକ ଡ୍ରେନ୍‌  ଜୟଦେବବିହାର ଯାଁଏ ନିର୍ମାଣ କରାଯାଇ ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛି।

ଜନପ୍ରତିନିଧିଙ୍କୁ ଖୋଜିଲେନି, ସମାଲୋଚନା କଲେ ମଧ୍ୟ ଓ ଉତ୍ତର ବିଧାୟକ

ଭୁବନେଶ୍ବର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ବର ଜଳବନ୍ଦି ସମସ୍ୟାର ସ୍ଥିତି ଯାଞ୍ଚ ବେଳେ ଜନପ୍ରତିନିଧିମାନଙ୍କୁ ଖୋଜିନଥିବା ଅଭିଯୋଗ ହୋଇଛି। 
ମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା କରି ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି ଯେ ୧୦ ବର୍ଷ ଧରି ସହରର ମେୟର ଥିଲି। ୬ ବର୍ଷ ହେଲା ବିଧାୟକ ରହିଛି। ଭୁବନେଶ୍ବର ଜଳବନ୍ଦି ସମସ୍ୟାର ମୁକାବିଲା ଦିଗରେ ବହୁ ପଦକ୍ଷେପ ନିଆଯାଇଛି। ମାତ୍ର ମନ୍ତ୍ରୀ ମୋ ନିର୍ବାଚନମଣ୍ଡଳୀ ବୁଲି ଜଳବନ୍ଦି ସମସ୍ୟା ଦେଖିଥିଲେ ମଧ୍ୟ ମୋତେ ଖୋଜିନାହାନ୍ତି। ଇସ୍କନ୍‌ ସମ୍ମୁଖ, ବମିଖାଲ ଓଭର୍‌ବ୍ରିଜ୍‌, ଲକ୍ଷ୍ମୀସାଗର, ୟୁନିଟ୍‌-୯ ଅଞ୍ଚଳରେ ମୁଖ୍ୟ ଡ୍ରେନ୍‌ଜନିତ ସମସ୍ୟାର ସମାଧାନ ଦିଗରେ ମିଳିତ ସହଯୋଗ ଆବଶ୍ୟକ। ହେଲେ ମନ୍ତ୍ରୀ ଜନପ୍ରତିନିଧିଙ୍କୁ ଖୋଜି ନାହାନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ। 
ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ କହିଛନ୍ତି ଯେ ମନ୍ତ୍ରୀ ରାଜଧାନୀ ଜଳବନ୍ଦି ସମସ୍ୟାର ସମୀକ୍ଷା କରିବା ଭଲ କଥା। ଯେହେତୁ ମନ୍ତ୍ରୀ ଅନୁଧ୍ୟାନ କରିବାକୁ ମୋ ନିର୍ବାଚନମଣ୍ଡଳୀକୁ ଆସିଥିଲେ ତେଣୁ ଜଣାଇବାର ଆବଶ୍ୟକ ଥିଲା। କାରଣ ଲୋକଙ୍କ ସମସ୍ୟା କ’ଣ ତାହା ଆମେ ଜାଣିଛୁ ଏବଂ ସମାଧାନ କରୁଛୁ। ଜଣେ କି ଦୁଇ ଜଣ ଚାହିଲେ ଜଳବନ୍ଦୀ ସମସ୍ୟାର ସମାଧାନ ହେବ ନାହିଁ। ଏଥିପାଇଁ ମିଳିତ ପ୍ରୟାସ ଦରକାର। ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ଆମେ ସବୁବେଳେ ପ୍ରସ୍ତୁତ ରହିଛୁ।