ବରିଷ୍ଠ ନାଗରିକଙ୍କ କଥା ଶୁଣିଲେ ବିଧାୟକ

ଚନ୍ଦ୍ରଶେଖରପୁର/ବାରଙ୍ଗ : ପାଞ୍ଚ ପଞ୍ଚାୟତବାସୀଙ୍କ ଅନେକ ସମସ୍ୟା ରହିଛି। ଗତ ୫ ବର୍ଷ କିଛି ମାତ୍ରାରେ ସମାଧାନ ହୋଇଛି। ଆଉ ଯେଉଁଗୁଡ଼ିକ ଅଧାପନ୍ତରିଆ ରହିଛି ସେଗୁଡ଼ିକର ସମାଧାନ କରନ୍ତୁ। ମେଗା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ସହ କଳାରାହାଙ୍ଗ ରେଳ ଓଭରବ୍ରିଜ୍‌ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ପଦକ୍ଷେପ ନିଅନ୍ତୁ। ପ୍ରତି ଲୋକଙ୍କୁ କିଭଳି ମୌଳିକ ସୁବିଧା ମିଳିପାରିବେ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ପାଞ୍ଚ ପଞ୍ଚାୟତର ବରିଷ୍ଠ ନାଗରିକମାନେ ଆଜି ଏଭଳି ଢ଼ଙ୍ଗରେ ବିଧାୟକ ସୁଶାନ୍ତ ରାଉତଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ବିଧାୟକ ଶ୍ରୀ ରାଉତ ମଧ୍ୟ ଲୋକଙ୍କ କଥା ଶୁଣିବା ସହ ସମସ୍ୟାଗୁଡ଼ିକର କିଭଳି ତୁରନ୍ତ ସମାଧାନ ହୋଇପାରିବ ସେଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ପାଞ୍ଚ ପଞ୍ଚାୟତର ବରିଷ୍ଠ ନାଗରିକମାନେ ବିଧାୟକ ଶ୍ରୀ ରାଉତଙ୍କ ସମ୍ବର୍ଦ୍ଧିତ କରିଥି‌ଲେ। ଏଥିପାଇଁ ରଘୁନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୁବନେଶ୍ବର ପ୍ୟାଭିଲିୟନ୍‌ ମଣ୍ଡପଠାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ୫୦୦ରୁ ଅଧିକ ବରିଷ୍ଠ ନାଗରିକ ସାମିଲ ହୋଇ ସେମାନଙ୍କ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପନ୍ଦରଫୁଙ୍କା ପୋଲଠାରୁ କାଳିଖମା ପୋଲ ପର୍ଯ୍ୟନ୍ତ ଅଧା ନିର୍ମିତ ରାସ୍ତାକୁ ପୂର୍ଣ୍ଣାଙ୍ଗ କରିବା। ଗଣ୍ଡରପୁର ଖେଳ ପଡ଼ିଆଠାରେ ମିନି ଷ୍ଟାଡିୟମ୍‌ ନିର୍ମାଣ, କଳାରାହାଙ୍ଗ ରେଳ ଧାରଣା ଓଭରବ୍ରିଜ୍‌ ନିର୍ମାଣ, କୁଞ୍ଜବିହାରି ମହାବିଦ୍ୟାଳୟର ଉନ୍ନତିକରଣ, ମେଗା ପାନୀୟ ଜଳ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ, ଭୁବନେଶ୍ବର ନୂଆ ରେଳଷ୍ଟେସନକୁ ବିଶ୍ବସ୍ତରୀୟ କରିବାକୁ ବିଧାୟକଙ୍କୁ ଦୃଷ୍ଟିଗୋଚର କରାଯାଇଥିଲା। ଏଥିସହ ପ୍ରତି ଗ୍ରାମରେ କଂ‌କ୍ରିଟ୍‌ ରାସ୍ତା ସହ ଡ୍ରେନ୍‌ ନିର୍ମାଣ, ପାଞ୍ଚ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ଲାଗି ମଧ୍ୟ ଦାବି ଉପସ୍ଥାପନ କରାଯାଇଛି। ବରିଷ୍ଠ ନାଗରିକ ଅନ୍ତର୍ଯ୍ୟାମୀ କୁଅଁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭୁବନେଶ୍ବର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ପାତ୍ର, ୩୦ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଦସ୍ୟ କୁନାଲ୍‌ ରାଉତ, ଭୁବନେଶ୍ବର ବ୍ଲକ ଉପାଧ୍ୟକ୍ଷ, ପାଞ୍ଚ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର