ନିଶାଖୋର୍‌କୁ କାବୁ କଲେ ସୁରକ୍ଷାକର୍ମୀ

ଭୁବନେଶ୍ୱର : ଛାତ୍ର ହିଂସା ହେଉ ଅବା ଅଣଛାତ୍ରଙ୍କ ହଷ୍ଟେଲ ଜବରଦଖଲ; ବିଭିନ୍ନ ସମୟରେ ବିଭିନ୍ନ କାରଣକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଚର୍ଚ୍ଚାରେ ରହି ଆସିଛି। ଏବେ ଆଉ ଏକ ଘଟଣା ନଜରକୁ ଆସିଛି, ଯାହା ବାଣୀବିହାରର ଶୈକ୍ଷିକ ପରିବେଶକୁ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ବାଣୀବିହାର ପରିସର ଏବେ ନିଶା‌ଖୋର୍‌ଙ୍କ ଆଡ଼ା ପାଲଟିଛି। ସନ୍ଧ୍ୟା ହେଲେ ମାଳମାଳ ନିଶାଡ଼ି ପରିସରକୁ କବ୍‌ଜା କରୁଛନ୍ତି। ରାତି ବଢ଼ିବା ସହ ସେମାନଙ୍କ ଉତ୍ପାତ ବଢ଼ୁଛି। ଗତ ରାତିରେ ୨୦ରୁ ୨୫ଜଣ ନିଶାଡ଼ି ଉତ୍ପାତ କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସୁରକ୍ଷାକର୍ମୀ କାବୁ କରି ସହିଦନଗର ଥାନା ପୁଲିସ ଜିମା ଦେଇଛନ୍ତି। ଲିଖିତ ଅଭିଯୋଗ ହୋଇନଥିବାରୁ ପୁଲିସ ମାମଲା ରୁଜୁ କରିନାହିଁ। ନିଶା‌ଡ଼ିମାନେ ନିଶା ସେବନ କରି ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରୁଥିବା ବେଳେ ଛାତ୍ରମାନେ ମଧ୍ୟ ଏମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଛାତ୍ର ଓ ନିଶାଖୋର୍‌ଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହେଉଛି। ନିକଟ ଅତୀତରେ କିଛି ନିଶାଡ଼ି ଜଣେ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରିଥିବା ସହିଦ ନଗର ଥାନା‌ରେ ଏତଲା ହୋଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନଥିଲା।

ସମ୍ବନ୍ଧିତ ଖବର