ଆଇନଜୀବୀଙ୍କ ଆକାଉଣ୍ଟରୁ ଦେଢ଼ ଲକ୍ଷ ଟଙ୍କା ହଡ଼ପ, ବ୍ୟକ୍ତିଗତ ସହାୟକ ଗିରଫ

ଭୁବନେଶ୍ବର : ଆଇନଜୀବୀଙ୍କ ଏଟିଏମ୍‌ ଚୋରି କରି ଦେଢ଼ ଲକ୍ଷ ଟଙ୍କା ଉଠାଇନେବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ୍‌ ସମ୍ପୃକ୍ତ ଆଇନଜୀବୀଙ୍କ ଘରୋଇ ସହାୟକଙ୍କୁ ଗିରଫ କରିଛି। ସେ ହେଲା, ଖୋର୍ଦ୍ଧା ବେଗୁନିଆ କୋଚିଲା ଗ୍ରାମର କୃଷ୍ଣଜୁଝାର ସିଂ। ସୌଭାଗ୍ୟନଗର ପ୍ଲଟ୍‌-୬ରେ ରହୁଥିବା ବରିଷ୍ଠ ଆଇନଜୀବୀ ସୀତାଂଶୁ ମୋହନ ଦ୍ବିବେଦୀଙ୍କ ଘରେ କୃଷ୍ଣ ବ୍ୟକ୍ତିଗତ ସହାୟକ ଭାବରେ କାମ କରୁଥିଲା। ବିଭିନ୍ନ ସମୟରେ ସେ ଏଟିଏମ୍‌ ନେଇ ଟଙ୍କା ଉଠାଇ ଆଣି ଘରେ ଦେଉଥିଲା। ଏଣୁ ତା’ ପାଖରେ ଏଟିଏମ୍‌ ପିନ୍‌ ରହିଥିଲା। ଆଇନଜୀବୀ ଓ ତାଙ୍କ ପତ୍ନୀଙ୍କ ଦୁଇଟି ଏଟିଏମ୍‌ କାର୍ଡ ନେଇ ସେ ନିଜ ପାଖରେ ରଖିଥିଲା।

ଗତ ଜାନୁଆରି ୯ ତାରିଖରେ ୨ଟି ଏଟିଏମ୍‌ କାର୍ଡ ନେଇ ସେ ଛୁଟିରେ ଚାଲି ଯାଇଥିଲା। ଜାନୁଆରି ୧୧ ତାରିଖରେ ପ୍ରଥମେ ୫୦ ହଜାର ଉଠାଇବା ପରେ ୧୫ ତାରିଖରେ ଆସି କାର୍ଯ୍ୟରେ ଯୋଗ ଦେଇଥିଲା। ହେଲେ ଏଟିଏମ୍‌ କଥା ଉଭୟଙ୍କର ମନେ ନ ଥିବାରୁ ପୁଣି ୨୦ ତାରିଖରେ ୫୦ ହଜାର, ୨୧ ତାରିଖରେ ୫୦ ହଜାର ଟଙ୍କା ଉଠାଇବା ସହ ଚାକିରି ଛାଡ଼ି ଚାଲି ଯାଇଥିଲା। ଟଙ୍କା ଉଠାଣ ନେଇ ଶ୍ରୀ ଦ୍ବିବେଦୀଙ୍କ ମୋବାଇଲକୁ ମେସେଜ୍‌ ଆସିବା ପରେ ଏଟିଏମ୍ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ୨୨ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ପୁଲିସ ଟଙ୍କା ଉଠାଣ ହୋଇଥିବା ଏଟିଏମ୍‌ର ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଅଭିଯୁକ୍ତ ଚିହ୍ନଟ ହୋଇଥିଲା।

ସମ୍ବନ୍ଧିତ ଖବର