ନନ୍ଦନକାନନ ଖବର : ହାତୀ ‘ପ୍ରେମା’ର ଲାଞ୍ଜ ଡ୍ରେସିଂ, ବାରାଶିଙ୍ଗାର ମଲା ଛୁଆ ଜନ୍ମ

ବାରଙ୍ଗ : ଦନ୍ତା ହାତୀ ‘ଚନ୍ଦନ’ର ଦାନ୍ତ ବାଜି କ୍ଷତ ହୋଇଥିବା ମାଈ ହାତୀ ‘ପ୍ରେମା’ର ଲାଞ୍ଜର ଆଜି ଚିକିତ୍ସା କରାଯାଇଛି। ଦୀର୍ଘ ଦିନ ଧରି ତା’ ଘା’ ଶୁଖୁନଥିବାରୁ ଓୟୁଏଟିର ପ୍ରାଣୀ ଚିକିତ୍ସକ ଡା. ଇନ୍ଦ୍ରମଣୀ ନାଥ ତା’ ଲାଞ୍ଜକୁ ଡ୍ରେସିଂ କରିଛନ୍ତି। ନିଶ୍ଚେତକ ଦେଇ ପ୍ରେମାକୁ ଚେତାଶୂନ୍ୟ କରାଯିବା ପରେ ତା’ ଲାଞ୍ଜର କ୍ଷତକୁ ଶୋଧନ କରାଯାଇଥିଲା। ପରେ ସେଥିରେ ଔଷଧ ଲଗାଯିବା ପରେ ଚେତା ଫେରିବା ପାଇଁ ଟିକା ଦିଆଯାଇଥିଲା। ପ୍ରେମାର ଚେତା ଫେରିଛି ଓ ସେ ସୁସ୍ଥ ହୋଇଯିବ ବୋଲି ଆଶା ରଖିଛନ୍ତି ଚିକିତ୍ସକ।

ଗତ ଜୁନ୍ ୯ ତାରିଖରେ ହାତୀମାନେ ସଫାରିର ପୋଖରୀରୁ ହାତୀଶାଳକୁ ଫେରୁଥିବା ବେଳେ ‘ଚନ୍ଦନ’ ତା’ ପଛପଟକୁ ଦାନ୍ତରେ ପେଲି ଦେଇଥିଲା। ଏଥିରେ ପ୍ରେମାର ଲାଞ୍ଜରେ କ୍ଷତ ସୃଷ୍ଟି ହୋଇଥିଲା। ସେହି କ୍ଷତକୁ ନନ୍ଦନକାନନର ଚିକିତ୍ସକମାନେ ଚିକିତ୍ସା କରିଥିଲେ ହେଁ ତାହା ଶୁଖୁନଥିଲା। ପ୍ରେମା ୧୯୮୫ ମସିହାରେ ଭନ୍ଦାଲୁର ଚିଡ଼ିଆଖାନାରୁ ନନ୍ଦକାନନକୁ ଅଣାଯାଇଥିଲା। ନନ୍ଦନକାନନରେ ବର୍ତ୍ତମାନ ୮ଟି ହାତୀ ଅଛନ୍ତି।

ବାରାଶିଙ୍ଗାର ମଲା ଛୁଆ ଜନ୍ମ

୩୯ ନମ୍ବର ଖୁଆଡ଼‌ରେ ରହୁଥିବା ୮ ବର୍ଷୀୟା ଏକ ମାଈ ବାରାଶିଙ୍ଗାର ଆଜି ମଲାଛୁଆ ଜନ୍ମ ହୋଇଛି। ନନ୍ଦନକାନନର ପ୍ରାଣୀ ଚିକିତ୍ସକ ଅସ୍ତ୍ରୋପଚାର କରି ମୃତ ଛୁଆକୁ ପ୍ରସବ କରାଇଛନ୍ତି। ମାଈ ବାରାଶିଙ୍ଗାର ଛୁଆଟି ଅପରାହ୍‌ଣରେ ପଦାକୁ ଅଧା ବାହାରି ରହିଥିବା ଜନ୍ତୁରକ୍ଷକ ଦେଖିବା ପରେ ଚିକିତ୍ସକ ଓ ସହଯୋଗୀ କର୍ମଚାରୀ ଖୁଆଡ଼ରେ ପହଁଚିଥିଲେ। ବାରାଶିଙ୍ଗାଟିକୁ ନିଶ୍ଚେତକ ଦେବା ପରେ ମଲା ଛୁଆକୁ ପଦାକୁ କାଢ଼ିଥିଲେ। ଏବେ ମାଈ ବାରାଶିଙ୍ଗାଟି ସୁସ୍ଥ ଅଛି। ସଂପୂର୍ଣ୍ଣ ସୁସ୍ଥ ହେବା ଲାଗି ତା’ର ଚିକିତ୍ସା ଚାଲୁ ରହିବ।

ସୂଚନାଯୋଗ୍ୟ ଯେ ଗତ ୨୦ ତାରିଖରେ ଏହି ମାଈ ବାରାଶିଙ୍ଗାଟିର ଗର୍ଭାଶୟ ପଦାକୁ ବାହାରି ଆସିଥିଲା। ନନ୍ଦନକାନନ ଚିକିତ୍ସକମାନେ ତା’ର ଅସ୍ତ୍ରୋପଚାର କରିଥିଲେ। ନନ୍ଦନକାନନରେ ବର୍ତ୍ତମାନ ୪ ପୁରୁଷ ୬ ମାଈଙ୍କୁ ମଶାଇ ମୋଟ ୧୦ଟି ବାରାଶିଙ୍ଗା ହରିଣ ଅଛନ୍ତି।

ସମ୍ବନ୍ଧିତ ଖବର