ଅନ୍ଧାର ଆସିବା ପୂର୍ବରୁ’ରେ ତାଲିବାନୀ ଶାସନର ବର୍ବରତା

‘ଆମେ ବଞ୍ଚିଛୁ’ର ନବମ ନାଟକ ଉତ୍ସବ‘

ଭୁବନେଶ୍ବର: ଏକଥା ସତ, ସାହିତ୍ୟିକଟିଏ ବରଂ ମୃତ୍ୟୁକୁ ଆଦରି ନିଏ କିନ୍ତୁ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଏନି। ତା’ର ବିଶ୍ବାସ, କେହି ସ୍ୱର ନ ଉଠେଇଲେ, ସେ ଉଠେଇବ। ନହେଲେ କ୍ଷମତା ପିପାସୁମାନଙ୍କ ଅତ୍ୟାଚାରରେ ସାରା ବିଶ୍ୱ ଅନ୍ଧାର ହୋଇଯିବ। ତାଲିବାନ୍‌ ଶାସନରେ ନାରୀମାନଙ୍କ ଉପରେ ଅତ୍ୟାଚାର, ସେମାନଙ୍କ ସ୍ବାଧୀନତାର ହତ୍ୟା ଓ ଦୁଃସ୍ଥିତିକୁ ନେଇ ବିଶ୍ୱରେ ଉଠିଥିବା ଶାଣିତ ସ୍ୱରର କଥାବସ୍ତୁକୁ ନେଇ ମଞ୍ଚସ୍ଥ ନାଟକ ‘ଅନ୍ଧାର ଆସିବା ପୂର୍ବରୁ’ ସମାଜକୁ ଭିନ୍ନ ଏକ ବାର୍ତ୍ତା ଦେଇଥିଲା।

ଫକୀର ସିଂହଙ୍କ ରଚିତ ଓ ଦୀପ୍ତି ରଂଜନ ଦାସଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଆଜି ତାଳଚେରର ନାଟ୍ୟସଂସ୍ଥା ‘ଆମେ ବଞ୍ଚିଛୁ’ କଳାକାରମାନେ ଅତି ନିଖୁଣ ଭାବେ ମଞ୍ଚ ଉପରେ ପ୍ରଦର୍ଶନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଭଂଜ କଳାମଣ୍ଡପରେ ଚାଲିଥିବା ନବମ ନାଟକ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ଏହି ନାଟକରେ ଫକୀର, ମୁକୁନ୍ଦ, ଶଙ୍କର, ଖୁସି, ଶ୍ୱେତା, ରାଜା, ଅମରଦୀପ ପ୍ରମୁଖ ବିଭିନ୍ନ ଭୂମିକା‌ରେ ଅଭିନୟ କରିଥିଲେ। ମୁକୁନ୍ଦ ଶତପଥୀ ସହ ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରତାପ ରାଉତ ସଙ୍ଗୀତ ପରିଚାଳନା କରିଥିଲେ। ଆଜି ଅତିଥି ଭାବେ ନାଟ୍ୟ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ ଓ ନବଦ୍ବୀପ ମାହାଲିକ, ଓଡ଼ିଶା ନାଟ୍ୟସଂଘର ସଭାପତି ହରେନ୍‌ ସାହୁ, ସମ୍ପାଦକ ଶୁଭକାନ୍ତ ପାଢ଼ୀ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ଭଜ କିଶୋର ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର