ଶପଥ ନେଲେ ସୁପ୍ରିମକୋର୍ଟର ୫ ନୂଆ ବିଚାରପତି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ନିଯୁକ୍ତ ୫ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ ଜଷ୍ଟିସ ପଙ୍କଜ ମିଥଲ, ଜଷ୍ଟିସ ସଂଜୟ କାରୋଲ, ଜଷ୍ଟିସ ପିଭି ସଂଜୟ କୁମାର, ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା , ଜଷ୍ଟିସ ମନୋଜ ମିଶ୍ରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗତ ୨ ଦିନ ତଳେ କେନ୍ଦ୍ର ସରକାର ଉପରୋକ୍ତ ୫ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ନିଯୁକ୍ତ କରିଥିଲେ। ୫ ନୂଆ ବିଚାରପତି ଶପଥ ନେବା ପରେ ସୁପ୍ରିମକୋର୍ଟରେ ମୋଟ୍‌ ବିଚାରପତିଙ୍କ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି। ସୁପ୍ରିମକୋର୍ଟରେ ମୋଟ ବିଚାରପତିଙ୍କ ସଂଖ୍ୟା ୩୪ ହୋଇଥିବାରୁ ଏବେ ଦୁଇଟି ପଦବି ଖାଲି ରହିଛି। କିନ୍ତୁ ଚଳିତ ବର୍ଷ ୯ ଜଣ ବିଚାରପତି ଅବସର ନେବାକୁ ଥିବାରୁ ଆଗକୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା କମିବ। ପୂର୍ବରୁ ଜଷ୍ଟିସ ପଙ୍କଜ ମିଥଲ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଥିଲେ। ଜଷ୍ଟିସ ସଂଜୟ କାରୋଲ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଜଷ୍ଟିସ ପିଭି ସଂଜୟ କୁମାର ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଥିଲେ। ସେହିପରି ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲା ପାଟନା ହାଇକୋର୍ଟ ଏବଂ ଜ‌ଷ୍ଟିସ ମନୋଜ ମିଶ୍ର ଆହ୍ଲାବାଦ ହାଇକୋର୍ଟ ବିଚାରପତି ଥିଲେ।

ସମ୍ବନ୍ଧିତ ଖବର