ପୁସ୍ତକ ମହୋତ୍ସବ ‘ଅକ୍ଷର’: ସଂସ୍କୃତିର ମୁଖଶାଳା ପାଲଟିବ ପୁସ୍ତକ ମହୋତ୍ସବ

ଭୁବନେଶ୍ବର: ପୁସ୍ତକଟିଏ ପାଠକ ନିକଟରେ ସ୍ବତନ୍ତ୍ର ପୃଥିବୀ‌ ନିର୍ମାଣ କରେ। ସାଂସ୍କୃତିକ ବିକାଶରେ ମଧ୍ୟ ପୁସ୍ତକର ଭୂମିକା ମହତ୍ତ୍ବପୂର୍ଣ୍ଣ। ପୁସ୍ତକ ମହୋତ୍ସବ ଦିନେ ମହାଦ୍ରୁମରେ ପରିଣତ ହୋଇ ଆମ ସଂସ୍କୃତିର ମୁଖାଶାଳା ପାଲଟିବ ବୋଲି କହିଛନ୍ତି ବିଶିଷ୍ଟ କବି ତଥା ପ୍ରାବନ୍ଧିକ ରବିନାରାୟଣ ସେନାପତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ପୁସ୍ତକ ମହୋତ୍ସବ ‘ଅକ୍ଷର’ରେ ମୁଖ୍ୟ ଅତିଥି ଭ‌ାବେ ଯୋଗଦେଇ ସେ ଏହା କହିଛନ୍ତି। ପ୍ରାକ୍ତନ ପ୍ରଶାସକ ତଥା ଗବେଷକ ଆର୍‌ ବାଲକ୍ରିଷ୍ଣନ୍‌ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ, ପୁସ୍ତକ ବିନା ଜଣଙ୍କ ଘର ସ୍ବୟଂସମ୍ପୂର୍ଣ୍ଣ ନୁହେଁ। ଜ୍ଞାନଭଣ୍ଡାରକୁ ବିକଶିତ କରିବା ପାଇଁ ବହୁମୁଖୀ ରଚନାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ.ତମସାରାଣୀ ଦାସ ମହାପାତ୍ର ସଭାରେ ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଂଜନ ପାରିଗ୍ରାହୀ ବକ୍ତବ୍ୟ ରଖିଥିଲେ। ବିଭାଗୀୟ ନିର୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିଲେ। ଉତ୍ସବରେ ଗ୍ରନ୍ଥ ମନ୍ଦିର ପ୍ରକାଶିତ ‘ଜଗନ୍ନାଥ ଓ ଜଗନ୍ନାଥ’ ପୁସ୍ତକ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା। ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ କଟକର ବିଦ୍ୟାଧର ବେହେରା ଏବଂ ସାଥୀଙ୍କ ଦ୍ବାରା ଘୋଡ଼ାନାଚ ପରିବେଷିତ ହୋଇଥିଲା।

ପୁସ୍ତକମେଳାରେ ‘ଆମ ଓଡିଶା’ର ସ୍ବତନ୍ତ୍ର ରିହାତି
ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବରେ ସମ୍ବାଦ ଆମ ଓଡ଼ିଶା ଦ୍ବାରା ପ୍ରସ୍ତୁତ ଓଡ଼ିଶାର ପ୍ରଥମ ‘ସାହିତ୍ୟକୋଷ’ ସୀମିତ ସମୟ ପାଇଁ ୧୮୦୦ ଟଙ୍କା ପରିବର୍ତ୍ତେ ମାତ୍ର ୧୨୫୦ ଟଙ୍କା ରେ ମିଳୁଛି। ସେହିପରି ସମ୍ବାଦ ବାର୍ଷିକ ବିଶେଷାଙ୍କ ଏବଂ ‘କଥା’ରେ ପ୍ରକାଶିତ ଶ୍ରେଷ୍ଠ  ଗଳ୍ପକୁ ନେଇ ପ୍ରକାଶିତ ‘ନିର୍ବାଚିତ କଥା’ ଓ ‘ପ୍ରେମ କଥା’ ର ଦ୍ବିତୀୟ ପର୍ବ ବହି ଦୁଇଟିର ମୂଲ୍ୟ ୪୩୦ ଟଙ୍କା ପରିବର୍ତ୍ତେ ମାତ୍ର ୩୦୦ ଟଙ୍କାରେ ମିଳୁଛି। ଏହାଛଡା ସଦ୍ୟ ପ୍ରକାଶିତ ‘ନୂଆ ଅବୋଲକରା କାହାଣୀ’ ୧୩୦ ଟଙ୍କା ପରିବର୍ତ୍ତେ ମାତ୍ର ୯୦ ଟଙ୍କାରେ ମିଳୁଛି। ଏହି ସୁଯୋଗ କେବଳ ପୁସ୍ତକମେଳାର ସୀମିତ ଅବଧି ପାଇଁ ଲାଗୁ ହୋଇଥିବାରୁ ଗ୍ରାହକମାନେ ଏହାର ସୁଯୋଗ ନେବା ପାଇଁ ଆମ ଓଡ଼ିଶା ତରଫରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର