ରମାଦେବୀ ବିଶ୍ୱବିଦ୍ୟାଳୟରେ ଆନ୍ଦୋଳନ : ଅଡ଼ି ବସିଛନ୍ତି ଛାତ୍ରୀ

ଜାତୀୟ ରାଜପଥ ଅବରୋଧ ଧମକ

ଭୁବନେଶ୍ୱର : ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ କ୍ୟାମ୍ପସ ଚିହ୍ନଟ ଓ ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟର ସ୍ଥିତି ବଜାୟ ରଖିବା ଦାବିରେ ଅଡ଼ି ବସିଛନ୍ତି ଛାତ୍ରୀ। ଆଜି ରବିବାର ଛୁଟି ଦିନ ଥିଲେ ମଧ୍ୟ ଛାତ୍ରୀମାନେ ସାମ୍ବାଦିକ ସମ୍ମିଳନୀ କରି ଉଚ୍ଚଶିକ୍ଷା ବିଭାଗର ଅଧିକାରରୀଙ୍କୁ ସମାଲୋଚନା କରିଛନ୍ତି। ଛାତ୍ରୀମାନଙ୍କୁ ଦୁର୍ବଳ ଭାବି ସ୍ୱର ଚପାଇ ଦେବାକୁ ଉଦ୍ୟମ କରିବା ଠିକ୍‌ ନୁହେଁ। ୨୦୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସ୍ୱତନ୍ତ୍ର ଭାବେ ପ୍ରତିଷ୍ଠା ହୋଇଛି ବୋଲି କୁହାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ମହିଳା କଲେଜଗୁଡ଼ିକ ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ରହିବ ବୋଲି ସ୍ପଷ୍ଟ ଭାବେ କୁହାଯାଇଥିଲା।

ସେହି ଅନୁଯାୟୀ ଉତ୍କଳ ଅଧୀନରେ ଥିବା ୪୭ଟି ମହିଳା କଲେଜ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନକୁ ଆସିବା କଥା। କିନ୍ତୁ ବିଜ୍ଞପ୍ତିକୁ କିଭଳି ବଦଳାଇ ଦିଆଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା କଥା ହେଲା ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ଉତ୍କଳ ଅଧୀନରେ ରହିଥିଲା। ତେଣୁ ତାହା ଏବେ ରମାଦେବୀ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବା କଥା। କିନ୍ତୁ ତାହାକୁ ବଦଳାଇ ଦିଆଯାଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାର ନିଜେ କରିଥିବା ନିୟମକୁ ଭାଙ୍ଗିଛନ୍ତି। ରମାଦେବୀ କଲେଜ ପରି ଖଲ୍ଲିକୋଟ କଲେଜକୁ ବି କ୍ଲଷ୍ଟର ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଥିଲା। ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯିବା ପରେ ବିଶ୍ୱବିଦ୍ୟାଳୟରେ ବିଲିନ ହୋଇଥିବା ଖଲ୍ଲିକୋଟ ସ୍ୱୟଂଶାସିତ କଲେଜ ପୁଣିଥରେ ରଖିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଅଧ୍ୟକ୍ଷ ନିଯୁକ୍ତି ହେବା ସହ ଅଧ୍ୟାପକ, କର୍ମଚାରୀ ଖୁବ୍‌ଶୀଘ୍ର ନିଯୁକ୍ତି ହେବେ। ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଲାଗି ଗୋଟିଏ ନିୟମ କରାଯାଇଥିବା ବେଳେ ରମାଦେବୀ ବେଳକୁ ତାହା କିଭଳି ପରିବର୍ତନ କରି ଦିଆଯାଉଛି ଛାତ୍ରୀମାନେ ପ୍ରଶ୍ନ କରିଛନ୍ତି।

ଏନେଇ ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କୁ ଭେଟିଥିଲେ ମଧ୍ୟ ସେମାନେ ଭୂଆଁ ବୁଲାଇ ଚାଲିଛନ୍ତି। ଛାତ୍ରୀ ଭାବି ଏଣୁତେଣୁ କଥା କହି ଚୁପ୍‌ କରିବାକୁ ବସିଛନ୍ତି। ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଘଟଣାରେ ମୁଣ୍ଡ ଖେଳାଉ ନାହାନ୍ତି। ପୁଲିସ ବି ବିଭିନ୍ନ ପ୍ରକାର ଧମକ ଦେଇ ଆନ୍ଦୋଳନକୁ ଚାପିବାକୁ ଉଦ୍ୟମ କରୁଛି। ଏହାକୁ ଖାତିର କରିବୁ ନାହିଁ। ନ୍ୟାୟ ଓ ହକ୍‌ ଲାଗି ଲଢ଼େଇ ଜାରି ରହିବ। ସୋମବାରଠାରୁ ବ୍ୟାପକ ଆନ୍ଦୋଳନ କରାଯିବ। ହଜାରରୁ ଅଧିକ ଛାତ୍ରୀ ବାଣୀବିହାରଠାରେ ଜାତୀୟ ରାଜପଥ ଅବରୋଧ କରିବେ। ଏହାପରେ ଯଦି ସରକାର ନିଷ୍ପତ୍ତିରେ ପରିବର୍ତନ ନ କରନ୍ତି ତେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବୁ ବୋଲି ଛାତ୍ରୀମାନେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର