ରାଜ୍ୟ ଆଇନଜୀବୀ ପରିଷଦ ବୈଠକ, ନିୟମିତ କୋର୍ଟ କାର୍ଯ୍ୟ ବନ୍ଦ ପାଇଁ ପ୍ରସ୍ତାବ

କଟକ: ବିଶ୍ବ ପାଇଁ କରୋନା ଏକ ବିପଦ ଭାବେ ଦେଖା ଦେଇଥିବାବେଳେ ସମ୍ଭାବ୍ୟ ସ୍ବାସ୍ଥ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିବା ପାଇଁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛି। ଲୋକ ଗହଳି ଓ ଭୂତାଣୁ ବ୍ୟାପିବା ସମ୍ଭାବନାକୁ ଏଡ଼ାଇବା ପାଇଁ ହାଇକୋର୍ଟଙ୍କୁ ଅଧୀନରେ ଥିବା ସମସ୍ତ କୋର୍ଟ ବନ୍ଦ ରଖିବାକୁ ଅନୁରୋଧ କରିବା ଲାଗି ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଆଜି ପ୍ରସ୍ତାବ ଗ୍ରହଣ କରାଯାଇଛି। ଏପରି ପ୍ରସ୍ତାବ ଗ୍ରହଣ ସଂକ୍ରାନ୍ତରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ପରିଷଦ ସଚିବ ଜେ.କେ ସାମନ୍ତସିଂହାର ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ପରିସ୍ଥିତିକୁ ଦେଖି କେବଳ ଗୁରୁତ୍ବପୂର୍ଣ୍ଣ ଓ ଜରୁରୀ ମାମଲା ଗୁଡିକର ଶୁଣାଣି ପାଇଁ ସୀମିତ କୋର୍ଟ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଛି। ମହକିଲ ଓ ସେମାନଙ୍କ ପ୍ରତିନିଧିଙ୍କ କୋର୍ଟରେ ହାଜିରା ଉପରେ ଅଙ୍କୁଶ ଜାରି କରାଯିବା ସହିତ ହାଇକୋର୍ଟ ଓ ନିମ୍ନ ଅଦାଲତରେ ପରିଦର୍ଶକ ପାସ୍ ପାଇଁ ଆବେଦନରେ ଦସ୍ତଖତ ନ କରିବା ପାଇଁ ଆଇନଜୀବୀଙ୍କୁ ଅନୁରୋଧ କରାଯିବ। ଏଥିସହିତ ମହକିଲମାନଙ୍କୁ ସମସ୍ତ କୋର୍ଟରେ ବ୍ୟକ୍ତିଗତ ହାଜିରାରୁ ଛାଡ଼ କରିବା ପାଇଁ ହାଇକୋର୍ଟଙ୍କୁ ‌ଅନୁ‌‌ରୋଧ କରାଯିବ। ଆହୁରି ମଧ୍ୟ ଅନୁରୋଧ କରାଯିବ ଯେ, ଯଦି କୋର୍ଟରେ ମହକିଲଙ୍କ ବ୍ୟକ୍ତିଗତ ହାଜିରା ସଂପୂର୍ଣ୍ଣ ଭାବେ ଅତ୍ୟାବଶ୍ୟକ ନଥିବ ତେବେ ଏଥିରୁ ତାଙ୍କୁ ଛାଡ଼ କରାଯାଉ। ହାଜତରେ ଥିବା ଅଭିଯୁକ୍ତଙ୍କ ହାଜିରା ବାଧ୍ୟତାମୂଳକ ନ କରି ଟ୍ରାଏଲ କୋର୍ଟ ରିମାଣ୍ଡ ଆଦେଶ ଜାରି ପାଇଁ ନିର୍ଦ୍ଦେଶ ଦିଆଯାଉ। ଏଥିସହିତ, କୋର୍ଟ ଭିତରକୁ ଓ କୋର୍ଟ ପରିସରକୁ ଇନ୍‌ଟର୍ଣ୍ଣ (ତାଲିମନବିଶ)ଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆ ନଯାଉ। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୌଣସି ସାନି ଇନ୍‌ଟର୍ଣ୍ଣ ପାସ୍ ପ୍ରଦାନ କରା ନଯାଉ। ଶୁଣାଣି କେବଳ ଜରୁରୀ ଓ ଆବଶ୍ୟକ ମାମଲାରେ ସୀମିତ ରଖିବା ପ୍ରସଂଗକୁ ଦୃଷ୍ଟିରେ ରଖି ସବ୍‌ଅର୍ଡିନେଟ୍ କୋର୍ଟମାନଙ୍କୁ ନିୟମିତ ମାମଲାରେ କୌଣସି ପ୍ରତିକୂଳ ନିର୍ଦ୍ଦେଶ ପ୍ରଦାନ ନ କରିବାକୁ ଆଦେଶ ଦେବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିବାକୁ ଆଇନଜୀବୀ ପରିଷଦ ସ୍ବତନ୍ତ୍ର କମିଟି ବୈଠକରେ ଆଜି ପ୍ରସ୍ତାବ ଗ୍ରହଣ କରାଯାଇଛି। ପରିଷଦର ସ୍ବତନ୍ତ୍ର କମିଟି ବୈଠକରେ ଆ‌ଜି କରୋନା ନେଇ ଦେଖା ଦେଇଥିବା ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର