ଭୁବନେଶ୍ବର: ଏଣିକି ଆଉ ଜେଲ୍‌ରେ ଚାଲିପାରିବନି ଚୋରା ମୋବାଇଲ୍‌। ଜେଲ୍‌ ପରିସରରେ ଲାଗିବ ବ୍ଲକିଂ ଟାୱାର୍‌ ଏବଂ କଏଦୀଙ୍କ ହାତରେ ଥିବା ଚୋରା ମୋବାଇଲ୍ ସବୁକୁ ଅକାମୀ କରିଦେବ। ଏଥିପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏକ ବଡ଼ଯୋଜନା ପ୍ରସ୍ତୁତ ହେଉଛି। ଚୋରା ମୋବାଇଲ୍‌କୁ ଅକାମୀ କରିବାକୁ ଜେଲ୍‌ରେ ପରିସରରେ କଲ୍‌ ବ୍ଲକିଂ ଟାୱାର ବସାଯିବ ବୋଲି ଚିନ୍ତା କରାଯାଉଛି। ଜେଲ୍‌ ଡିଜି ଏନେଇ ଡିପାର୍ଟମେଣ୍ଟ୍‌ ଅଫ୍‌ ଟେଲିକମ୍‌(ଡିଓଟି)କୁ ଚିଠି ଲେଖିଛନ୍ତି। ପରୀକ୍ଷାମୂଳକ ଭାବେ ପ୍ରଥମେ ଚୌଦ୍ବାର ଓ ଝାରପଡ଼ା ଜେଲ୍‌ରେ କଲ୍‌ ବ୍ଲକିଂ ଟାୱାର ପ୍ରତିଷ୍ଠା କରାଯିବ ବୋଲି ଆପାତତଃ ସ୍ଥିର କରାଯାଇଛି। ପରେ ରାଜ୍ୟର ସମସ୍ତ ୮୭ ଜେଲ୍‌ରେ ଏହି ବ୍ୟବସ୍ଥା ଖଞ୍ଜା ଯିବ ବୋଲି ସୂଚନା ମିଳିଛି।  

Advertisment

ଜେଲ୍‌ର ଚାରିକାନ୍ଥ ଭିତରେ ରହି ମଧ୍ୟ ଦୁର୍ଦ୍ଦାନ୍ତ ଅପରାଧୀମ‌ାନେ ସେମାନଙ୍କ ଅପରାଧ ଜଗତକୁ ନିୟନ୍ତ୍ରଣ କରନ୍ତି। ଚୋରା ମୋବାଇଲ ବ୍ୟବହାର କରି ଦୁର୍ଦ୍ଦାନ୍ତ କଏଦୀ ବଟି ଆଦାୟ କରିବାଠାରୁ ଆରମ୍ଭ କରି ସୁପାରି କିଲିଂ ଭଳି ସଂଗିନ୍‌ ଅପରାଧ ଘଟାଇବାକୁ ସକ୍ଷମ ହୋଇଥା’ନ୍ତି। ଏଭଳି ନଜିର ବହୁତ ରହିଛି। ତେଣୁ ଏକଦା ଜେଲ୍‌ଗୁଡ଼ିକରେ ଜାମର୍‌ ଲଗାଯାଇଥିଲା। ମାତ୍ର ଏଥିରେ ବିଭିନ୍ନ ସମସ୍ୟା ଉପୁଜିଲା। ବିଶେଷକରି ଜାମର୍‌ ଏକ ନିର୍ଦ୍ଦିଷ୍ଟ ସମୟରେ କାମ କରୁଥିବାରୁ କଏଦୀମାନେ ସେହି ସମୟରେ ମୋବାଇଲ୍‌ ବନ୍ଦ ରଖିଲେ ଏବଂ ଜାମର୍‌ ଅଚଳ ଥିବା ସମୟରେ ମୋବାଇଲ୍‌ ଚଲାଇଲେ। ମଝିରେ ମଝିରେ ପୁଲିସ ଓ ଜେଲ୍‌ କର୍ତ୍ତୃପକ୍ଷ ଚଢ଼ଉ କରି କଏଦୀମାନଙ୍କଠାରୁ ମୋବାଇଲ୍‌ ଜବତ କରୁଥିଲେ। କିନ୍ତୁ ଏହା ପରେ ବି କିଛି ଅସାଧୁ କର୍ମଚାରୀଙ୍କ ପାଇଁ ପୁଣି କଏଦୀଙ୍କ ହାତରେ ‌ମୋବାଇଲ୍‌ ପହଞ୍ଚିଯାଉଥିଲା। ତେଣୁ ଏବେ କଲ୍‌ ବ୍ଲକିଂ ଟାୱାର ବସାଇ କଏଦୀଙ୍କ ଚୋରା ମୋବାଇଲକୁ ସମ୍ପୂର୍ଣ୍ଣ ଅଚଳ କରିବାକୁ ଯୋଜନା କରାଯାଉଛି। ଖୁବ୍‌ ଶୀଘ୍ର ସବୁ ଟେଲିକମ୍‌ ଅପରେଟର୍‌ଙ୍କୁ ନେଇ ଏକ ବୈଠକ କରିବାକୁ ଜେଲ୍‌ ଡିଜି ସୁଶାନ୍ତ ନାଥ ଚିଠି କରିଛନ୍ତି। ସୂଚନାଯୋଗ୍ୟ ଯେ ୨୦୨୨ ମସିହାରୁ କେନ୍ଦ୍ର ସରକାର ଏହି ଅତ୍ୟାଧୁନିକ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଓଡ଼ିଶାର କୌଣସି ଜେଲ୍‌ରେ ଏହା କାର୍ଯ୍ୟକାରୀ ହୋଇନାହିଁ।