ନିଶା ବଟିକା ଖାଇ ସ୍କୁଲରେ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ପୋଖରୀପୁଟସ୍ଥିତ ଏକ ଘରୋଇ ବିଦ୍ୟାଳୟ‌ରେ ଆଜି ଜଣେ ଛାତ୍ର ନିଶା ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସଂପୃକ୍ତ ଛାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରଜଣଙ୍କ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ମାନସିକ ନିର୍ଯାତନାରେ ଅତିଷ୍ଠ ହୋଇ ଛାତ୍ରଜଣଙ୍କ ଏପରି ଚରମ ପଦେକ୍ଷପ ନେଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଛାତ୍ରଜଣଙ୍କ ଯୁକ୍ତ୨ ପ୍ରଥମ ବର୍ଷ‌ରେ ପଢ଼ନ୍ତି। ତାଙ୍କୁ ଅନ୍ୟ ଏକ ସ୍କୁଲକୁ ବଦଳି କରିବା ପାଇଁ ତାଙ୍କ ବାପା କିଛି ଦିନ ତଳେ ଆବେଦନ କରିଥିଲେ। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ସ୍କୁଲ କର୍ତ୍ତୃପକ୍ଷ ଜାଣିଶୁଣି ତାଙ୍କୁ ଗୋଟିଏ ବିଷୟରେ ଫେଲ୍‌ କରି ଦେଇଥିଲେ। ଏଥିରେ ଛାତ୍ରଜଣଙ୍କ ମାନସିକ ଭାରସାମ୍ୟ ହରାଇ ଆଜି ସ୍କୁଲରେ ନିଶା ବଟିକା ଖାଇ ଦେଇଥିଲେ। ତେବେ ଛାତ୍ରଙ୍କ ଅଭିଯୋଗ କେତେ ସତ, ତାହା ସ୍ପଷ୍ଟ ହୋଇ ପାରିନାହିଁ। ଏ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ସମ୍ବନ୍ଧିତ ଖବର