ଲାଞ୍ଚ ନେଇ ଧରାପଡ଼ିଲେ ଟାଟା ପାୱାର ଅଧିକାରୀ, ସହଯୋଗୀ

ଫୋନ୍‌-ପେ’ରେ ଲାଞ୍ଚ ନେଉଥିଲେ

ଭୁବନେଶ୍ୱର: ଫୋନ୍‌-ପେ’ ଜରିଆରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଲ୍ଲୀରେ ଥିବା ଟିପିସିଓଡିଲ୍‌ର ଓଏଜି-୩ ତରୁଣ ରଞ୍ଜନ ନାୟକ ଓ ସହଯୋଗୀ ଶୈଳଜା ମୁଦୁଲି। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଡିଜିଟାଲ୍‌ ପ୍ଲାଟଫର୍ମରେ ଲାଞ୍ଚ କାରବାର ଘଟଣା ଓଡ଼ିଶାରେ ପ୍ରଥମ ବୋଲି ଭିଜିଲାନ୍ସ ଏସ୍‌ପି ଅନୁପମା ଜେମ୍ସ କହିଛନ୍ତି।

ସୂଚନା ମୁତାବକ, ଅଭିଯୋଗକାରୀଜଣଙ୍କ ଘରେ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିଲେ। ହେଲେ ବିଦ୍ୟୁତ ସଂଯୋଗ ମିଳିବାରେ ବିଳମ୍ବ ହେବାରୁ ସେ ଓଏଜି ତରୁଣଙ୍କୁ ଭେଟିଥିଲେ। ତରୁଣ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ଟଙ୍କା ଫୋନ୍‌-ପେ’ ମାଧ୍ୟମରେ ଦେବାକୁ କହିଥିଲେ। ଏଥିପାଇଁ ସେ ‌ସହଯୋଗୀ ଶୈଳଜାଙ୍କ ଫୋନ୍‌-ପେ’ ନମ୍ବର ଦେଇଥିଲେ। ଏ ସଂପର୍କରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ବାରସ୍ଥ ହେବାରୁ ଦୁହିଁଙ୍କୁ ଧରିବା ପାଇଁ ଯୋଜନା ହୋଇଥିଲା। ଯୋଜନା ମୁତାବକ, ଅଭିଯୋଗକାରୀ ଉକ୍ତ ଫୋନ୍-ପେ’ ନମ୍ବରରେ ୧୦ହଜାର ଟଙ୍କା ପଠାଇଥିଲେ। ପରେ ଭିଜିଲାନ୍ସ ଚଢ଼ଉ କରି ଦୁହିଁଙ୍କୁ ଗିରଫ କରିଥିଲା। ଏହାସହ ଭିଜିଲାନ୍ସ ତରୁଣଙ୍କ ମଞ୍ଚେଶ୍ବର ପାଣ୍ଡରାରେ ଥିବା ଘର ଓ କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା। ତରୁଣ ପୂର୍ବରୁ ମଧ୍ୟ ଫୋନ୍‌-ପେ’ ମାଧ୍ୟମରେ ଲାଞ୍ଚ ନେଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଏ ଦିଗରେ ଅଧିକ ଖୋଳତାଡ଼ ଜାରି ରହିଛି।

ସମ୍ବନ୍ଧିତ ଖବର