ସୁହାଉଛି ପାଗ, ଭାରତମୁହାଁ ମୌସୁମୀ

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଭାରତ ଆଡ଼କୁ ଅଗ୍ରସର ହେଉଛି। ପ୍ରଚଣ୍ଡ ଗୁଳୁଗୁଳି ଓ ତାତିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ଏହି ଖବର ଆଶ୍ବସ୍ତ କରିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜର ଆହୁରି କେତେକ ଭାଗକୁ ଅଗ୍ରସର ହେବା ପାଇଁ ଏବେ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଉପଗ୍ରହରୁ ମିଳିଥିବା ତଥ୍ୟ ଅନୁସାରେ, ଏହି ଅଞ୍ଚଳଗୁଡ଼ିକରେ ପାଗ ମେଘୁଆ ରହିବା ସହ ବର୍ଷା ଲାଗିରହିଛି। ଅନ୍ୟପଟେ ଏଥର ମୌସୁମୀ କେରଳ ଆସିବାକୁ ୪ ଦିନ ବିଳମ୍ବ କରିବ ଓ ପାଖାପାଖି ଜୁନ୍‌ ୪ ଆଡ଼କୁ କେରଳରେ
ମୌସୁମୀ ବର୍ଷା ଆରମ୍ଭ ହୋଇଯିବ ବୋଲି ଆକଳନ କରାଯାଉଛି। ରଜ ପରେ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ ଓ ପ୍ରାଥମିକ ପର୍ଯ୍ୟାୟରେ ମୌସୁମୀ ଦୁର୍ବଳ ରହିବ ଓ ବର୍ଷା କମ୍‌ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି। ଫଳରେ ଜୁନ୍‌ରେ ବର୍ଷା କମ୍‌ ଓ ଖରା, ତାତି ଖୁବ୍‌ ଅଧିକ ରହିବ ବୋଲି ଆଇଏମ୍‌ଡି ଆକଳନ କରିଛି।

ଅନ୍ୟପଟେ ପ୍ରଚଣ୍ଡ ଖରା ପଶ୍ଚିମ ଓଡ଼ିଶାବାସୀଙ୍କୁ ହସ୍ତସନ୍ତ କରୁଥିବା ବେଳେ ଉପକୂଳବାସୀଙ୍କୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଛି। ସୋମବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ସମ୍ବଲପୁରଠାରେ ୪୩.୨ ଡିଗ୍ରି ଓ ବୌଦ୍ଧଠାରେ ୪୩.୦ ଡିଗ୍ରି ରେକର୍ଡ ହୋଇଛି। ଏହାସହ ୧୩ ସହରର ତାପମାତ୍ରା ୪୦ ଡିଗ୍ରି ପାର୍‌ କରିଛି। ସୋମବାର ଦିନ ଭୁବନେଶ୍ବରର ତାପମାତ୍ରା ୩୮.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୬୫% ରହିଥିବାରୁ ତାପମାତ୍ରା ପାଖାପାଖି ୪୫ ଡିଗ୍ରି ଯାଏ ଅନୁଭୂତ ହୋଇଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ମଙ୍ଗଳବାର ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲ‌ାରେ କାଳବୈଶାଖୀଜନିତ ବର୍ଷା ସମ୍ଭାବନା ରହିଛି। ଆଜି ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍ନ ଆଡ଼କୁ ବର୍ଷା ସମ୍ଭାବନା ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୭ ଡିଗ୍ରି ରହିବ।

ସମ୍ବନ୍ଧିତ ଖବର