ଗୁପ୍ତପଡା ବନ୍ଧରେ କୁମ୍ଭୀର: ତୁଠରେ ଲାଗିଲା ତାର ଜାଲି ଓ ସତର୍କତା ଫଳକ

ମେଣ୍ଢାଶାଳ: ହଳଦିଆ ରେଞ୍ଜ ଅଧୀନ ଗୁପ୍ତପଡା ବନ୍ଧରେ କୁମ୍ଭୀର ଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବନ ବିଭାଗ ପକ୍ଷରୁ ଆଜି ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁପ୍ତପଡା ଗାଁ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଗାଧୁଆ ତୁଠରେ ତାର ଜାଲି ଘେରା ଯାଇଛି। ସେହିଭଳି ତୁଠ ଉପରେ କୁମ୍ଭୀର ପ୍ରତି ସାବଧାନ ବୋଲି ଲେଖାଯାଇଥିବା ଫଳକ ଲଗା ଯାଇଛି।

ଆଜି ଚନ୍ଦକା ଅଭୟାରଣ୍ୟର ଡିଏଫଓ କେଦାର ନାଥ ସ୍ୱାଇଁ, ଏସିଏଫ ରମାକାନ୍ତ ନାୟକ ଓ ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା ଗୁପ୍ତପଡା ବନ୍ଧରେ ପହଞ୍ଚିଥିଲେ। ସ୍ଥାନୀୟ ଲୋକମାନେ ୨ଟି ମଗରମୁଁହା କୁମ୍ଭୀର ଦେଖିଛନ୍ତି ବୋଲି କହିଥିଲେ। ଏବେ ବନ୍ଧରେ ଅଧିକ କୁମ୍ଭୀର ଛୁଆ ହୋଇଥିବା କଥା ମଧ୍ୟ କହିଥିଲେ। ଏମିତିକି ଥରେ ଜଣକ ବନିଶି ଖାଡ଼ିରେ କୁମ୍ଭୀରଛୁଆଟିଏ ଲାଗି ଯାଇଥିବା ଘଟଣା ମଧ୍ୟ କହିଥିଲେ। ଚନ୍ଦକା ବନଖଣ୍ଡ ଅଧିକାରୀ କହିଛନ୍ତି ଯେ ଗୁପ୍ତପଡ଼ା ବନ୍ଧରେ ୨୦ ଫୁଟ ଗଭୀରର ପାଣି ଅଛି। ବନ୍ଧ‌ରେ ପାଣି ଭିତରେ ବଡ ବଡ କାଠଗଣ୍ଡି ପୋତି ହୋଇ ରହିଛି। ତେଣୁ କୁମ୍ଭୀର ଧରିବା ପାଇଁ ଜାଲ ପଡିପାରିବ ନାହିଁ। ସେଥିପାଇଁ ବନ୍ଧ କୂଳରେ ୧୦ ଫୁଟ ଉଚ୍ଚତା ଓ ୪୫ ଫୁଟ ଲମ୍ବରେ ଲୁହା ତାର ଜାଲି ଲଗାଯାଇଛି। ହଳଦିଆ ରେଞ୍ଜର ଜୟକୃଷ୍ଣ ପଣ୍ଡା କହିଛନ୍ତି ଯେ ଲୋକମାନେ ସଚେତନ ହେଉନାହାନ୍ତି। ବନ୍ଧରେ ମାଛ ଧରାଳି ବନିଶି ଖାଡ଼ି ପକାଉଥିବା ଦେଖିଲେ ସେମାନଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର