ତିନି ଅର୍ବାନ୍ ହାଟ ହେବ ପ୍ରମୁଖ ପର୍ଯ୍ୟଟନସ୍ଥଳୀ: କରୋନା ପରେ ବୁଣାକାର, କାରିଗରଙ୍କୁ ବଜାର ଯୋଗାଇବା ଚିନ୍ତା

ଅର୍ବାନ୍ ହାଟ ରକ୍ଷଣାବେକ୍ଷଣ କରିବ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ

ଭୁବନେଶ୍ବର: କରୋନା‌ ଲକ୍‌ଡାଉନ୍ ପାଇଁ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବଜାର ଠପ୍ ହୋଇଯାଇଛି। ବୁଣାକାର ଓ କାରିଗରମାନେ ଏକ ପ୍ରକାର ହାତବାନ୍ଧି ବସିଛନ୍ତି। କରୋନା ପରେ ଏହି ବଜାରକୁ ଚଳଚଞ୍ଚଳ କରାଇବା ପାଇଁ ‘ଅର୍ବାନ୍‌ ହାଟ’କୁ ସରକାର ଫୋକସ୍‌ରେ ରଖିଛନ୍ତି। ଭୁବନେଶ୍ବର, କୋଣାର୍କ ଓ ପୁରୀରେ ଥିବା ତିନିଟି ଅର୍ବାନ୍‌ ହାଟକୁ ନବୀକରଣ କରି କାରିଗର ଓ ବୁଣାକାରମାନଙ୍କୁ ସବୁ ଦିନିଆ ବଜାର ଯୋଗାଇବାକୁ ନିଷ୍ପତ୍ତି ନିଆଯାଇଛି। ବୁଣାକାର ଓ କାରିଗରମାନଙ୍କୁ ସିଧାସଳଖ ବଜାର ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ‘ଅର୍ବାନ୍ ହାଟ’ ଯୋଜନାରେ ଓଡ଼ିଶାରେ ତିନିଟି ହାଟ ନିର୍ମାଣ ହୋଇଥିଲା। ଭୁବନେଶ୍ବରରେ ଏକାମ୍ର ହାଟ, କୋଣାର୍କରେ କୋଣାର୍କ ହାଟ ଓ ପୁରୀରେ ନୀଳାଚଳ ଅର୍ବାନ୍ ହାଟ। କେବଳ ଏକାମ୍ର ହାଟରେ କିଛି କିଛି ବ୍ୟବସାୟ ହେଉଥିଲା ବେଳେ କୋଣାର୍କ ହାଟରେ ବର୍ଷସାରା ତାଲା ପଡ଼ୁଛି। ନୀଳାଚଳ ହାଟ ବି ବହୁ ସମସ୍ୟା ଘେରରେ। ତିନିଟି ଯାକ ହାଟ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନିର୍ମାଣ ହୋଇଥିଲେ ବି ସରକାରଙ୍କ ଆନ୍ତରିକତାର ଅଭାବରୁ ଏହା କାରିଗର ଓ ବୁଣାକାରଙ୍କ କାମରେ ଆସି ପାରି ନାହିଁ। କରୋନା ଲକ୍‌ଡାଉନ୍ ମାନ୍ଦାବସ୍ଥା ପରେ ସରକାରଙ୍କ ଏବେ ଏହି ହାଟ କଥା ମନେ ପଡ଼ିଛି।

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ‌େବୖଠକରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ତିନିଟି ଯାକ ସ୍ଥାନରେ ଅର୍ବାନ୍ ହାଟକୁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଅନ୍ୟ ସ୍ଥାନକୁ ଚିହ୍ନଟ କରି ପର୍ଯ୍ୟଟନ, ସାଂସ୍କୃତିକ ଓ ହସ୍ତଶିଳ୍ପ କାର୍ଯ୍ୟ ମାଧ୍ୟମରେ ତାହାର ବିକାଶ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଉନ୍ନୟନ କମିସନର୍‌ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ, ପ‌ାରମ୍ପରିକ କାରିଗରମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନୀ ଓ ବିକ୍ରି ପାଇଁ ସ୍ଥାନ ଦେବାକୁ ବର୍ଷ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉ। ଏହା ଦ୍ବାରା ସେମାନେ ସିଧାସଳଖ ଗ୍ରାହକମାନଙ୍କୁ ସାମଗ୍ରୀ ବିକିପାରିବେ ଏବଂ ‌ଗ୍ରାହକମାନଙ୍କ ଚାହିଦା ସମ୍ପର୍କରେ ଜାଣିପାରିବେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଭୁବନେଶ୍ବର ଅର୍ବାନ୍ ହାଟ ୫ ଏକର ଜାଗାରେ ନିର୍ମାଣ ହୋଇଥିଲା ବେଳେ ଏଥିରେ ୫୦ଟି ଷ୍ଟଲ୍‌, ଗୋଟିଏ ଖୋଲାମଞ୍ଚ, ୧୦ଟି ଫୁଡ୍‌ ଷ୍ଟଲ୍‌ ଓ ଟଏଲେଟ୍‌ ରହିଛି। ୬.୮୩ ଏକର ଜାଗାରେ ନିର୍ମିତ ପୁରୀ ଅର୍ବାନ୍ ହାଟ‌େର ୩୬ଟି ଷ୍ଟଲ୍‌, ଗୋଟିଏ ଖୋଲାମଞ୍ଚ, ଦୁଇଟି ଡର୍ମିଟରି ରହିଛି। ୪.୧୫ ଏକର ଜାଗାରେ ଥିବା କୋଣାର୍କ ଅର୍ବାନ୍ ହାଟରେ ୪୦ଟି ଷ୍ଟଲ୍‌, ଗୋଟିଏ ପ୍ରଦର୍ଶନୀ ହଲ୍‌, ଗୋଟିଏ ଖୋଲା ମଞ୍ଚ, ଓ ଗୋଟିଏ ଡର୍ମିଟରି ରହିଛି। ବର୍ତ୍ତମାନ ଏହି ହାଟଗୁଡ଼ିକ ଇଡ୍‌କୋ ଦ୍ବାରା ରକ୍ଷଣାବେକ୍ଷଣ ହେଉଛି। ଆଗାମୀ ଦିନରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅର୍ବାନ୍ ହାଟଗୁଡ଼ିକର ରକ୍ଷଣାବେକ୍ଷଣ କରିବା ସହ ଏହାକୁ ଆକର୍ଷଣୀୟ ବାଣିଜ୍ୟିକ ସ୍ଥଳୀ ଭାବେ ପରିଣତ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ବୈଠକରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ଇଡ୍‌କୋ ସିଏମ୍‌ଡି ସଞ୍ଜୟ ସିଂହ ଏବଂ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ସଚିବ ‌ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର