ନନ୍ଦନକାନନରେ ବ୍ୟାଘ୍ର ଦିବସ, ‘ଆସ ସଂକଳ୍ପ ନେବା, ବାଘକୁ ସୁରକ୍ଷା ଦେବା’

ବାରଙ୍ଗ: ନନ୍ଦନକାନନରେ ‘ବ୍ୟାଘ୍ର ଦିବସ’ ପାଳିତ ହୋଇଯାଇଛି। ଚଳତିବର୍ଷର ବାର୍ତା ଥିଲା ‘ଆସ ସଂକଳ୍ପ ନେବା, ବାଘକୁ ସୁରକ୍ଷା ଦେବା’। ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ନନ୍ଦନକାନନ ସଭା ଗୃହରେ ଅନୁଷ୍ଠିତ ସଭାରେ ନିର୍ଦେଶକ ଶଶି ପଲ୍ ଯୋଗ ଦେଇ କହିଲେ, ପରିବେଶରେ ସନ୍ତୁଳନ ରକ୍ଷା ଲାଗି ବାଘ ମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନିହାତି ଆବଶ୍ୟକ। ଏଥିଲାଗି ପ୍ରତ୍ୟେକ ମଣିଷର ଉଦ୍ୟମ ଆବଶ୍ୟକ। ନନ୍ଦନକାନନ ଧଳା ବାଘ, କଳା ବାଘ ସୃଷ୍ଟି କରି ପାରିଛି। ଆଗକୁ ଆହୁରି ଅଧିକ ବାଘ ପ୍ରଜନନ କରାଇବାର ଯୋଜନା ମଧ୍ୟ ଚାଲିଛି। ସମ୍ମାନିତ ଅତିଥି ଭାବେ ସେଞ୍ଚୁରିୟନ ୟୁନିଭର୍ସିଟିର ପ୍ରାଣୀ ବିଭାଗର ମୁଖ୍ୟ ପ୍ରଫେସର ଶିବ ପ୍ରସାଦ ପରିଡ଼ା କହିଲେ, ବାଘର ଆବାସସ୍ଥଳୀ ଜଙ୍ଗଲର ସୁରକ୍ଷା ପ୍ରତି ଯତ୍ନବାନ୍ ହେଲେ ବଂଶ ବୃଦ୍ଧି ସମ୍ଭବ ହୋଇ ପାରିବ। ଖଦ୍ୟ ମିଳିଲେ ସେ ଜନବସତି ମୁହାଁ ହେବନାହିଁ। ଅନ୍ୟମାନଙ୍କ ମଧ୍ୟରେ ଡବ୍ଲ୍ୟୁଡବ୍ଲ୍ୟୁଏଫର ରାଜ୍ୟ ସଂଯୋଜକ ମାଇକେଲ ପିଟ୍‌, ନନ୍ଦନକାନନର ବରିଷ୍ଠ ପ୍ରାଣୀ ଚିକିତ୍ସକ ଅଲୋକ କୁମାର ଦାସ ଯୋଗ ଦେଇଥିଲେ। ପ୍ରାଣୀ ବିଭାଗ ଏସିଏଫ୍ ତଥା କ୍ୟୁରେଟର ଅଞ୍ଜନ କୁମାର ମହାନ୍ତି, ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା, ଶିକ୍ଷା ବିଭାଗ ଅଧିକାରୀ ମିଲନ ପଣ୍ତାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର