ବାଲିଅନ୍ତା: ୩୦୦ ହେକ୍ଟର ଜମିରେ ପରିବା ଫସଲ ନଷ୍ଟ ପୋଟଳ ୬୦, ବିନ୍‌ ୮୦

ବଜାରରେ ପରିବା ଦର ଆକାଶଛୁଆଁ, ବାହାର ଜିଲ୍ଲାକୁ ଯାଉଛନ୍ତି ବ୍ୟବସାୟୀ

ବାଲିଅନ୍ତା: ଢ଼ିପ ଜମିରେ ୬ଗୁଣ୍ଠ ବାଇଗଣ ଚାଷ କରିଥିଲି। ଯେଉଁଭଳି ଭାବେ ଫୁଲ, ଫଳ ଧରିଥିଲା, ଲକ୍ଷେ ଟଙ୍କାରେ ବିକିଥାନ୍ତି ବୋଲି ଆଶା କରିଥିଲି। କିନ୍ତୁ ‘ଫନି’ ସବୁ ଉଜାଡ଼ି ଦେଲା…। ରବିରେ ୩ ଏକର ଧାନ ଓ ୨ ଏକର ମୁଗ ଓ ବିରି ଫସଲ କରିଥିଲି। କେଣ୍ଡାରେ ଯେତିକି ଧାନ ଅଛି, ମେସିନ ପକାଇ କାଟିଲେ ଭଡ଼ା ଟଙ୍କା ବି ଉଠିବନି। ମୁଗ ଓ ବିରି କ୍ଷେତରେ ପଚିଗଲା। ଦୁଇଗୁଣ୍ଠ ଜହ୍ନି ଓ କାକୁଡ଼ି ନଷ୍ଟ ହୋଇଗଲା…। ୧୮ ଗୁଣ୍ଠ ମୁଗ ଓ ୭ ଗୁଣ୍ଠ ବିରି ନଷ୍ଟ ହୋଇଗଲା, ହେଲେ ବାତ୍ୟାକୁ ୧୨ଦିନ ବିତି ଯାଇଥିଲେ ମଧ୍ୟ ସରକାରୀ ବାବୁମାନେ ଆସି ବିଲ ଦେଖିଲେ ନାହିଁ…। ଏ ହେଉଛି ଯଥାକ୍ରମେ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସରକଣାର ସୀତାକାନ୍ତ ବିଶ୍ୱାଳ, ରଣପୁର ଗ୍ରାମର ବିନୋଦ କୁମାର ପରିଡ଼ା ଓ ନଈକୂଳ ସାହିର ଜଣେ ମହିଳା ଚାଷୀଙ୍କ ଉକ୍ତି। ଗତ ୩ ତାରିଖରେ ଆସିଥିବା ସାମୁଦ୍ରିକ ବାତ୍ୟା ‘ଫନି’ ଏମାନଙ୍କର ବର୍ଷକର ପରିଶ୍ରମକୁ ମାଟିରେ ମିଶାଇ ଦେଇଛି। ତେବେ ଖାଲି ଏହି ୩ଜଣ ନୁହେଁ, ବ୍ଲକର ହଜାର ହଜାର ଚାଷୀଙ୍କ ଏଇ ସମଦଶା। କାହାର ଅମୃତଭଣ୍ଡା ଓ କଦଳୀ ଗଛ ମାଟିରେ ମିଶି ଯାଇଛି ତ କାହାର କାଇଗଣ, ପୋଟଳ, ବିନ୍‌, ଭେଣ୍ଡି, ଲଙ୍କା ମରିଚ ଗଛ ପୂରା ଥୁଣ୍ଟା ହୋଇଯାଇଛି।

ବାତ୍ୟା ‘ଫନି’ ପ୍ରଭାବରେ ବାଲିଅନ୍ତା ବ୍ଳକ ଅଞ୍ଚଳରେ ମୁଗ, ବିରି, କୋଳଥ ଭଳି ରବି ଜାତୀୟ ଫସଲ ସମେତ ପନିପରିବା ଫସଲ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରତ୍ୟେକ ପରିବାରକୁ ସିଧାସଳଖ ଏହା ପ୍ରଭାବିତ କରିଛି। ବ୍ଲକ କୃଷି ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ୧୬ଟି ଯାକ ପଞ୍ଚାୟତରେ ମୋଟ ୩୦୦ ହେକ୍ଟର ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଭୁବନେଶ୍ବର ଉପକଣ୍ଠ ତଥା ଦୟା, କୁଶଭଦ୍ରା ଓ ଭାର୍ଗବୀ ନଦୀପଠାରେ ହୋଇଥିବା ଶତାଧିକ ପରିବା ଚାଷ ‘ଫନି’ ମୁହଁରେ ସତ୍ତା ହରାଇଛି। ଲୋକଙ୍କ ବାଡ଼ି ବଗିଚାରେ ଥିବା ସଜନା, ଅମୃତଭଣ୍ଡା ଓ କଦଳୀ ଗଛ ସଂପୂର୍ଣ୍ଣ ମାଟିରେ ମିଶି ଯାଇଛି। ଏଥିସହ ଢ଼ିପ ଜମିରେ ହୋଇଥିବା ବାଇଗଣ, ପୋଟଳ, ବିନ, ଭେଣ୍ଡି, ଲଙ୍କାମରିଚ ଗଛ ପୂରା ଥୁଣ୍ଟା ହୋଇଯାଇଛି। ଏହାର ସିଧାସଳଖ ପ୍ରଭାବ ଏବେ ପରିବା ବଜାରରେ ଦୃଶ୍ୟମାନ ହେଉଛି।

ବାତ୍ୟା ପୂର୍ବରୁ ଖୋର୍ଧା ଜିଲ୍ଲାର ବାଲିଅନ୍ତା ଓ ବାଲିପାଟଣା ବ୍ଲକ ଅଞ୍ଚଳର ଚାଷୀଙ୍କଠାରୁ ପର୍ଯ୍ୟ‌ାପ୍ତ ପରିମାଣର ପରିବା ସଂଗ୍ରହ କରି ବ୍ୟବସାୟୀମନେ ଭୁବନେଶ୍ବର ୧ ନମ୍ବର ମାର୍କେଟ, ରବି ଟକିଜ ଛକ, ସୁନ୍ଦରପଦା, ପୁରୁଣା ଭୁବନେଶ୍ବର, ସହିଦନଗର ହାଟରେ ବିକ୍ରି କରୁଥିଲେ। ଏବେ କିନ୍ତୁ ସ୍ଥାନୀୟ ସାପ୍ତାହିକ ହାଟ ବଜାର ବାଳକାଟି, ବାଲିଅନ୍ତା, ବଇଁଚୁଆ, ସରକଣା, ବାଲିପାଟଣା, ବଜାରରେ ପନିପରିବାର ଘୋର ସଂକଟ ଦେଖାଦେଇଛି। ଏଭଳି ସ୍ଥିତିରେ ବିନ୍‌ କିଲୋ ପିଛା ଦର ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପୋଟଳ କିଲୋ ୬୦ ଟଙ୍କା ରହିଛି। ଫଳରେ ଚାହିଦା ମେଣ୍ଟାଇବା ପାଇଁ ସ୍ଥାନୀୟ ବ୍ୟବସାୟୀମାନେ ବାହାର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି।

ଅନୁରୂପ ଭାବେ ୪ ହଜାର ୬୨୦ ହେକ୍ଟର ଜମିରେ ଧାନ, ପାନ, ମୁଗ, ବିରି, କୋଳଥ ଭଳି ଡାଲି ଜାତୀୟ ଫସଲ ଉଜୁଡ଼ି ଯାଇଛି। ରାଶି ଓ ସୂର୍ଯମୁଖୀ ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଏଭଳି ଅସମୟରେ ସ୍ଥାନୀୟ କୃଷି ବିଭାଗ ପକ୍ଷରୁ ଅବହେଳାକୁ ନେଇ ଚାଷୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଚାଷୀଙ୍କୁ ମଞ୍ଜି ଯୋଗାଇଦେବା ନେଇ ବ୍ଲକ କୃଷି ବିଭାଗ ପକ୍ଷରୁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ବାଲିଅନ୍ତା ସହକାରୀ କୃଷି ଅଧିକାରୀ ମନୋରଂଜନ ରାଉଳଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ବାଲିଅନ୍ତା ଅଞ୍ଚଳରେ ଫସଲ କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର ହୋଇଛି। ସହୟତା ଅର୍ଥ ମଂଜୁର ହେଲେ ଚାଷୀଙ୍କୁ ପ୍ରଦାନ କରାଯିବ। ଅପରପକ୍ଷେ ଆଜି ପୂର୍ବାହ୍ନରେ କେନ୍ଦ୍ରୀୟ ପ୍ରତିନିଧି ଦଳ ବାଲିଅନ୍ତା ଗ୍ରସ୍ତ କରି ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର