‘ଫନି’ରୁ ବର୍ତିପାରିଲାନି ଜାତୀୟ ଶିକ୍ଷାନୁଷ୍ଠାନ: କ୍ଷୟକ୍ଷତି ଶହେ କୋଟି

ପ୍ରାଥମିକ ଆକଳନରେ ନାଇଜରର ୭୦ କୋଟି କ୍ଷତି ଏମ୍‌ସ, ଆଇଆଇଟି, ଆଇଏମ୍‌ଏମ୍‌ଟି ବି ପ୍ରଭାବିତ

ଭୁବନେଶ୍ବର: ବାତ୍ୟା ‘ଫନି’ କବଳରୁ ବର୍ତ୍ତିପାରିନି ‌ଭୁବନେଶ୍ବରରେ ଥିବା ଜାତୀୟ ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନ। ସିଏସ୍‌ଆଇଆର-ଆଇଏମ୍‌ଏମ୍‌ଟି ସମେତ ଭୁବନେଶ୍ବର ଆଇଆଇଟି, ନାଇଜର, ଏମ୍‌ସ, ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସ, ଏନ୍‌ଆଇଏଫ୍‌ଟି କ୍ଷତିଗ୍ରସ୍ତ ହୋଇଛି। ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ବ୍ୟାପକ ବୃକ୍ଷ ନଷ୍ଟ ହେବା ସହ ଶହେ କୋଟିରୁ ଅଧିକ ଟଙ୍କାର କ୍ଷୟକ୍ଷତି ‌ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି।

ଜଟଣୀସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ନାଇଜର) ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ନାଇଜର୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ କ୍ୟାମ୍ପସରେ ଥିବା ପ୍ରେକ୍ଷାଳୟ ସମେତ କର୍ମଶାଳା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବୈଜ୍ଞାନିକ ‌ଗବେଷଣା ଲାଗି ବ୍ୟବହୃତ ବହୁ ମୂଲ୍ୟବାନ ସାମଗ୍ରୀ ଭାଙ୍ଗିରୁଜି ଯାଇଛି। କ୍ୟାମ୍ପସ ନିକଟରେ ଥିବା ଏକ ମୋବାଇଲ୍‌ ଟାୱାର ବି ପ୍ରଭାବିତ ହୋଇଥିବା ପ୍ରାଥମିକ ସର୍ଭେରୁ ଜଣାପଡ଼ିଛି। ଶିକ୍ଷାନୁଷ୍ଠାନର ମୋଟ ୭୦ କୋଟି ଟଙ୍କାର କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଭୁବନେଶ୍ବର ଏମ୍‌ସ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଏମ୍‌ସର ହସ୍ପିଟାଲ ବିଲ୍‌ଡିଂ, ଆବାସିକ କୋଠା, ପ୍ରଶାସନିକ କୋଠା, ହଷ୍ଟେଲ କୋଠା କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ସମୟରେ ପବନର ବେଗ ଅଧିକ ଥିବାରୁ ବିଭିନ୍ନ ଛାତ ଉପରେ ଥିବା ପାଣିଟାଙ୍କି ଭାଙ୍ଗିଯାଇଛି। ନୂତନ ଭିତ୍ତିଭୂମି ବି ପ୍ରଭାବିତ ହୋଇଛି। ହସ୍ପିଟାଲ ପ୍ରବେଶ ପଥରରେ ଥିବା କାଚ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ମୋଟ ଉପରେ ଏମ୍‌ସରେ ୧୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା କର୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଇଆଇଟି ଭୁବନେଶ୍ବର ବି ବାତ୍ୟା ପ୍ରକୋପରୁ ବର୍ତ୍ତିପାରି ନାହିଁ। ସବୁଜିମା ଭରା ଏହି କ୍ୟାମ୍ପସରେ ୮ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ଆକଳନ କରାଯାଇଛି। ଏନେଇ ରିପୋର୍ଟ ବି ପ୍ରସ୍ତୁତ ହୋଇଛି। କ୍ୟାମ୍ପସରେ ବହୁ ଛୋଟ ଉପୁଡ଼ିଯାଇଛି। କେତେକ ସ୍ଥାନରେ କୋଠା ବି ପ୍ରଭାବିତ ହୋଇଛି। ତଥାପି ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ କୌଣସି ପ୍ରଭାବ ପଡ଼ିନି। ଜେଇଇ ଆଡଭାନ୍ସଡ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କ ଲାଗି ନାମ ପଞ୍ଜିକରଣ ସୁବିଧା ଏଠାରେ ଉପଲବ୍ଧ କରାଯାଇଥିଲା। ଆଚାର୍ଯ୍ୟବିହାରସ୍ଥିତ ଆଇଏମ୍‌ଏମ୍‌ଟିର ୩ କୋଟି ଟଙ୍କାର କ୍ଷତି ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ତେବେ ଏହି କ୍ୟାମ୍ପସରେ ବ୍ୟାପକ ବୃକ୍ଷ ନଷ୍ଟ ହୋଇଛି। ହଜାରରୁ ଅଧିକ ଗଛ ଭାଙ୍ଗିପଡ଼ିଛି। କେତେକ ଗଛ ଉପୁଡ଼ିପଡ଼ିଥିବା ଦେଖିବାକୁ ମିଳିଛି। କ୍ୟାମ୍ପସରେ ଥିବା ବିଲଡିଂଗୁଡ଼ିକ ବି ପ୍ରଭାବିତ ହୋଇଛି। କ୍ୟାମ୍ପସର ପ୍ରବେଶ ପଥରେ ଗଛ ପଡ଼ିଥିବାରୁ ବାତ୍ୟାର ୬ ଦିନ ପର୍ଯ୍ୟନ୍ତ ଭିତରକୁ ପ୍ରବେଶ କରି ହୋଇ ନଥିଲା। ତେବେ ଗଛ କଟାଯିବା ସହ ଏଦିଗରେ ପଦକ୍ଷେପ ଦ୍ବାରା ଏବେ ସ୍ଥିତିରେ ସୁଧାର ଆସୁଛି। ଅନୁରୂପ ଭାବେ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ପରିସରରେ ଥିବା ଗଛ ନଷ୍ଟ ହେବା ସହ କିଛି ସାମଗ୍ରୀ ଭାଙ୍ଗିଯାଇଛି। ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ ସାଇନ୍ସରେ ପାଖାପାଖି ୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଏନ୍‌ଆଇଏଫ୍‌ଟି କମ୍‌ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର