ବାଣୀବିହାର ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା: କର୍ତ୍ତୃପକ୍ଷ ଥାନାରେ ଏତଲା ଦେଲେନି

ଭୁବନେଶ୍ବର: ଆଜି ପୁଣି ଅଶାନ୍ତ ଓ ଉତ୍ତେଜନାପୂର୍ଣ୍ଣ ହୋଇଉଠିଛି ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ। ରାଜ୍ୟରେ ୭ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲେ ହେଁ ବାଣୀବିହାର ପରିସରରେ ଥିବା ଛାତ୍ର ସଂସଦ କାର୍ଯ୍ୟାଳୟରେ ପଶି ଦୁର୍ବୃତ୍ତମାନେ ଆଜି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କାର୍ଯ୍ୟାଳୟ ଭିତରେ ଲଗାଯାଇଥିବା ପୂର୍ବତନ ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକମାନଙ୍କ ନାମର ତାଲିକା ଫଳକକୁ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି। ତା’ ସହିତ ଚେୟାର, ଟେବୁଲ ଓ ବେଞ୍ଚଗୁଡ଼ିକ ମଧ୍ୟ ଏଣେତେଣେ ଫୋପାଡ଼ି ଦେଇଛନ୍ତି। ଏହା ପଛରେ କିଏ ରହିଛି, ତାହା ଜଣାପଡ଼ି ନଥିଲେ ମଧ୍ୟ କ୍ୟାମ୍ପସରେ ଅଣଛାତ୍ରଙ୍କ ଅବାଧ ଅନୁପ୍ରବେଶର ଏହି ସଦ୍ୟତମ ଉଦାହରଣ ଛାତ୍ରଛାତ୍ରୀଙ୍କୁ ଆତଙ୍କିତ କରିଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଆଜି ପୂର୍ବାହ୍ନରେ ଅଣଛାତ୍ର ଭଳି ମନେ ହେଉଥିବା କେତେଜଣ ବ୍ୟକ୍ତି ଏକ ଧଳା କାର୍‌ରେ କ୍ୟାମ୍ପସକୁ ପ୍ରବେଶ କରିଥିଲେ। ପାଖାପାଖି ଏକ ଘଣ୍ଟା ଧରି ଏଣେତେଣେ ଚକ୍କର କାଟିବା ପରେ ସେମାନେ ଛାତ୍ର ସଂସଦ କାର୍ଯ୍ୟାଳୟରେ ପ୍ରବେଶ କରି ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ସେମାନେ ପ୍ରଥମେ ଛାତ୍ର ସଂସଦ ସଭାପତି ଓ ସମ୍ପାଦକଙ୍କ ନାମ ତାଲିକା ଫଳକକୁ ଭାଙ୍ଗିଥିଲେ। ତା’ପରେ ହଲ୍‌ ଭିତରେ ପଡ଼ିଥିବା‌ ଚେୟାର ଓ ଟେବୁଲ୍‌ ଫିଙ୍ଗା ଫୋପଡ଼ା କରିଥିଲେ। ଭଙ୍ଗାରୁଜା ଶବ୍ଦ ଶୁଣିବା ଆଖପାଖର ଲୋକେ ଆସି ଯିବାରୁ ଦୁର୍ବୃତ୍ତମାନେ ଦୌଡ଼ି ବାହାରକୁ ପଳାଇଥିଲେ। ତେବେ କାର୍‌ରେ ଆସିଥିବା ଦୁର୍ବୃତ୍ତଙ୍କ ମଧ୍ୟରେ କିଛି ପୁରାତନ ଛାତ୍ର ରହିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସେମାନଙ୍କ ଅଭିଯୋଗ କରିଛନ୍ତି ଯେ କ୍ୟାମ୍ପସରେ ଅଣଛାତ୍ରଙ୍କ ରାଜୁତି ବଢ଼ିଚାଲିଛି। ଆଗକୁ ସେମାନେ ଅନ୍ୟ ଗଣ୍ଡଗୋଳ କରିବାର ଆଶଙ୍କା ରହିଛି। ତେଣୁ ଯେଉଁମାନେ ଏଭଳି କରିଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ବିଳମ୍ବିତ ରାତିରେ ଏ ଖବର ଲେଖା ହେବାଯାଏ ଏହା ସଂପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଥାନାରେ ଏତଲା ଦେଇ ନାହାନ୍ତି। କର୍ତ୍ତୃପକ୍ଷଙ୍କର ଏହି ନିରବତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ୨୫ରେ ନାକ୍‌ ଟିମ୍‌ର ଗସ୍ତ ପୂର୍ବରୁ ଛାତ୍ର ସଂସଦ କାର୍ଯ୍ୟାଳୟରେ ଲାଗିଥିବା ଏହି ଫଳକରୁ ୨୦୧୬-୧୭ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ସଭାପତି ଥିବା ମହେଶ ପ୍ରସାଦଙ୍କ ନାମକୁ କେହି ଦୁର୍ବୃତ୍ତ କାଟି ଦେଇଥିଲା। ଏନେଇ ଶ୍ରୀ ପ୍ରସାଦ ଅସନ୍ତୋଷ ପ୍ରକାଶ କରିବା ସହ କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ କରି ନାମ ଫଳକରୁ ତାଙ୍କ ନାଁ ଲିଭାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର