ହଟିଲା ଆଡ଼କାଠ କଟକଣା: ଏଣିକି ଗର୍ଭଗୃହରେ ଶ୍ରୀଲିଙ୍ଗରାଜ ଦର୍ଶନ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରୁ ଆଡ଼କାଠ କଟକଣାକୁ ହଟାଇ ଦିଆଯାଇଛି। କରୋନା କଟକଣା ଲାଗି ଭକ୍ତମାନଙ୍କ ପାଇଁ ଗର୍ଭଗୃହ ପ୍ରବେଶ ବାରଣ ଥିଲା ଓ ଭକ୍ତମାନେ ଆଡ଼କାଠ ପାଖରୁ ଠାକୁରଙ୍କୁ ଦର୍ଶନ କରୁଥିଲେ। କିନ୍ତୁ ଏଣିକି ଭକ୍ତମାନେ ସିଧାସଳଖ ଗର୍ଭଗୃହରେ ପ୍ରଭୁଙ୍କୁ ଦର୍ଶନ ସୁଯୋଗ ପାଇବେ। ଆଜି ପ୍ରଶାସନ ଓ ସେବାୟତଙ୍କୁ ନେଇ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ରୁକୁଣା ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ କରିବାକୁ ଆଜି ମନ୍ଦିର କାର୍ଯ୍ୟାଳୟରେ ଏକ ସ୍ବତନ୍ତ୍ର ବୈଠକ ଆହୂତ ହୋଇଥିଲା। ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର ଟ୍ରଷ୍ଟି ଅବନୀକାନ୍ତ ପଟ୍ଟନାୟକ, ମନ୍ଦିର କାର୍ଯ୍ୟ ନିର୍ବାହୀ, ତିନି ନିଯୋଗର ସମ୍ପାଦକ ଓ ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଉପସ୍ଥିତ ଥିଲେ।

ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ପତି, ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା, ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ ସମର୍ଥା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନିଯୋଗ ପ୍ରତିନିଧିମାନେ ଅଭିମାନ କରି କହିଥିଲେ ଯେ ମନ୍ଦିରର ବହୁ ପରମ୍ପରା ରକ୍ଷା କରାଯାଉନାହିଁ। ସବୁଆଡ଼େ କରୋନା କଟକଣା ହଟିଥିବା ବେଳେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତମାନେ ଆଡ଼କାଠରୁ ଦର୍ଶନ କରୁଛନ୍ତି। ପ୍ରଶାସନର କଟକଣା ଯୋଗୁଁ ଭକ୍ତ ଠାକୁରଙ୍କ ପାଖକୁ ଯାଇପାରୁନାହିଁ। ମନ୍ଦିର ପ୍ରଶାସନର ଆୟ କମୁଛି। ସେବାୟତମାନେ ପୂଜା କରିବା ସତ୍ତ୍ବେ ଯାତ୍ରୀଙ୍କଠୁ ଉପଯୁକ୍ତ ପାଉଣା ପାଇ ପାରୁନାହାନ୍ତି। ସେହିଭଳି ବେ-ବନ୍ଦୋବସ୍ତ ଜମି ସେବାୟତଙ୍କୁ ଫେରାଇ ଦିଆଯାଉନାହିଁ। ପଇତାଲାଗି ସମସ୍ୟା, ଭିଆଇପି ସମସ୍ୟା, ଶ୍ରାବଣୀ ପାଉଣା ସମସ୍ୟା ଆଦି ଦେବୋତ୍ତର ବିଭାଗରେ ପଡ଼ି ରହିଛି।

କୌଣସି ନିଷ୍ପତ୍ତି ନିଆଯାଉନାହିଁ। ସେମାନଙ୍କ ଆପତ୍ତି ଶୁଣିବା ପରେ ପ୍ରଶାସନ ପକ୍ଷରୁ ଆଗ ଆଡ଼କାଠ କଟକଣାକୁ ହଟାଇ ଦିଆଯାଇଥିଲା। ଏଣିକି ଗର୍ଭଗୃହକୁ ଭକ୍ତମାନେ ଯାଇପାରିବେ ବୋଲି ସ୍ଥିର ହୋଇଥିଲା। ସେହିଭଳି ବେ-ବନ୍ଦୋବସ୍ତ ଜମି ସମ୍ପର୍କରେ ବି ଖୁବ୍‌ ଶୀଘ୍ର ଫଇସଲା କରାଯିବ ବୋଲି କୁହାଯାଇଥିଲା। ଏଥିସହ ଦେବୋତ୍ତର ବିଭାଗରେ ପଡ଼ି ରହିଥିବା ମାମଲାଗୁଡ଼ିକର ତୁରନ୍ତ ଫଇସଲା ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ପ୍ରତିଶ୍ରୁତି ଦିଆଯାଇଛି। ପ୍ରଶାସନର ଏସବୁ ପ୍ରତିଶ୍ରୁତି ପରେ ସେବାୟତମାନେ ରୁକୁଣା ରଥଯାତ୍ରାରେ ସବୁ ପ୍ରକାର ସହଯୋଗ କରିବେ ବୋଲି ରାଜି ହୋଇଥିଲେ।

ସମ୍ବନ୍ଧିତ ଖବର