ଆବର୍ଜନା ଉଠାଇବ କିଏ? ସଫେଇ ସଂସ୍ଥାଙ୍କୁ ‘ଫନି’ ବେଳର ଟଙ୍କା ମିଳିନି

ଭୁବନେଶ୍ବର : ଯଦି ପାଣିପାଗ ବିଭାଗ ପୂର୍ବାନୁମାନ ଟିକେ ଏପଟ ସେପଟ ହୁଏ ଏବଂ ରାଜଧାନୀରେ ବାତ୍ୟାର ପ୍ରଭାବ ଅଧିକ ରୁହେ, ତେବେ ସ୍ଥିତି ସାଂଘାତିକ ହୋଇଯିବ। କାରଣ ଏଥର ରାଜଧାନୀରେ ଯଦି ବାତ୍ୟା ଫନି ଭଳି ଗଛ ଭାଙ୍ଗିବ, ତେବେ ଅଳିଆ ସହଜରେ ଉଠିବନି। ସଫେଇ ସଂସ୍ଥା ଏଥର ନିୟମିତ ଅଳିଆ ବିନା ବାକି ଅଳିଆ ଉଠାଇବେନି ବୋଲି କହିଛନ୍ତି।

ରାଜଧାନୀର ୫୭ଟି ୱାର୍ଡରେ ରାମ୍‌କି, ଜାଗୃତି ଓ ପିଏମ୍‌ଆର୍ ସଫେଇ କରୁଛନ୍ତି। ଦୁଇ ବର୍ଷ ତଳେ ମେ’ ୩ରେ ଯେତେବେଳେ ବାତ୍ୟା ଫନିରେ ରାଜଧାନୀର ସବୁଜିମା ଉଜୁଡ଼ି ଯାଇଥିଲା, ରାଜଧାନୀ ସାରା ଖାଲି ଗଛ, ଡାଳ ଓ ପତ୍ର ପଡ଼ିଥିଲା; ତୁରନ୍ତ ସଫା କରିବା ବଡ଼ ଚାଲେଞ୍ଜ ଥିଲା। ତତ୍କାଳୀନ ବିଏମ୍‌ସି ପ୍ରଶାସକ, କମିସନର୍‌, ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶରେ ସଫେଇ ସଂସ୍ଥା ରାଜଧାନୀରୁ ଅଳିଆ ଉଠାଇଲେ। ଏପରିକି ବାହାର ଜିଲ୍ଲାରୁ ଲୋକ, ଗାଡ଼ି ଆଣି ଅଳିଆ ଉଠାଇ‌ଲେ। ୭ ଦିନରେ ରାଜଧାନୀର ସବୁ ରାସ୍ତାଘାଟ ସଫା ହୋଇଗଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ସଫେଇ ସଂସ୍ଥାଙ୍କୁ ପ୍ରତିଶ୍ରୁତି ମୁତାବକ ଟଙ୍କା ଦେଲେନି। ଦୁଇ ବର୍ଷ ହେଲା ପ୍ରାପ୍ୟର ୨୦% ଟଙ୍କା ଅର୍ଥାତ୍‌ ପ୍ରାୟ ୧ କୋଟି ଟଙ୍କା କାଟିକି ରଖିଛନ୍ତି ଯେ ଦେଉନାହାନ୍ତି। ତେଣୁ ଏବେ ବାତ୍ୟା ଆସିବାରୁ ସଫେଇ ସଂସ୍ଥା କହିଛନ୍ତି ଯେ ଆମକୁ ଯଦି ବକେୟା ଟଙ୍କା ନ ମିଳିବ, ଆମେ ନିୟମିତ ସଫେଇ ବ୍ୟତୀତ ଆଉ କିଛି ସଫା କରିବୁନି। ବିଏମ୍‌ସି ଆଗ ବାକି ଟଙ୍କା ଦେଉ।

ଏକ ସଫେଇ ସଂସ୍ଥାର ଅଧିକାରୀଙ୍କ କହିବାନୁଯାୟୀ, ବିଏମ୍‌ସି ଆମକୁ ଅଧିକ ଲୋକ, ଗାଡ଼ି ଆଣି ଗଛ, ଡାଳ, ପତ୍ର ଉଠାଇବାକୁ କହିଥିଲା। ଆମେ ବି କାମ କଲୁ। ଯେଉଁ ପ୍ରଶାସକ, କମିସନର, ନଗର ସ୍ବାସ୍ଥ୍ୟ ଅଧିକାରୀ କହିଥିଲେ, ସେମାନଙ୍କର ବଦଳି ହୋଇଗଲା। ଏହାପରେ ଯେଉଁ ନଗର ସ୍ବାସ୍ଥ୍ୟ ଅଧିକାରୀ ଆସିଲେ, ସେ ଖେଳିଲେ। ଆମେ ଯେତିକି ଅଳିଆ ଉଠାଇଥିଲୁ, ଟ୍ରିପ୍‌ ପିଛା ହିସାବ ଲେଖିକି ରଖିଲେ, ସେହି ଅନୁଯାୟୀ ବିଲ୍‌ କଲେ। କିନ୍ତୁ ଟଙ୍କା ଦେଲା ବେଳକୁ ପଛାଇଲେ। ଫନିର ଦୀର୍ଘ ମାସ ପରେ ଟଙ୍କା ଦେଲେ କିନ୍ତୁ ୨୦% (ପ୍ରାୟ ୧ କୋଟି ଟଙ୍କା) କାଟିକି ରଖିଛନ୍ତି। ଏନେଇ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ବାରମ୍ବାର କହିବା ସହ ଚିଠି ଲେଖିବାରୁ ସେ କହୁଛନ୍ତି, ବିଏମ୍‌ସିର ଅଡିଟ୍ ସରିଲେ ଟଙ୍କା ଦିଆଯିବ। ବିଏମ୍‌ସିର ଅଡିଟ୍ ହେବ କି ନହେବ, ସେଥିପାଇଁ କ’ଣ ଆମେ ଦାୟୀ? ଆମେ ଯେଉଁଠୁ ଗାଡ଼ି ଭଡ଼ାରେ ଆଣିଥିଲୁ, ସେମାନଙ୍କୁ ବି ଟଙ୍କା ଦେଇନୁ। ତେଣୁ ଏବେ ଆମକୁ ବକେୟା ଟଙ୍କା ନଦେଲେ ବାତ୍ୟା ହେଲେ ଅଳିଆ ଉଠାଇବୁନି।

ଏନେଇ ନଗର ସ୍ବାସ୍ଥ୍ୟ ଅଧିକାରୀ ବସନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମେ ସଫେଇ ସଂସ୍ଥାଙ୍କୁ କିଛି ଲିଖିତ ପ୍ରତିଶ୍ରୁତି ଦେଇନୁ। ସେମାନଙ୍କର ଯେଉଁଥିପାଇଁ ୨୦% କଟା ଯାଇଛି, ସେମାନେ ଜାଣିଛନ୍ତି। ସେମାନେ ଏବେ ଆମକୁ ବ୍ଲାକ୍‌ମେଲ୍‌ କରିପାରିବେନି। ଫନି ମେ’ ୩ରେ ହୋଇଥିଲା, ମୁଁ ମେ’ ୨୩ରେ କାର୍ଯ୍ୟରେ ଯୋଗ ଦେଇଥିଲି। ‌ଅଧିକ କିଛି କହିପାରିବିନି।

ସମ୍ବନ୍ଧିତ ଖବର