ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା : ମଦ ଦୋକାନ ଜାଳିଦେଲେ ମହିଳା 

ଖୋର୍ଦ୍ଧା : ଜଣେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଆଜି ଖୋର୍ଦ୍ଧା ଟାଉନ୍‌ ଥାନା ଅନ୍ତର୍ଗତ ହଳଦିଆଠାରେ ଲଙ୍କାକାଣ୍ଡ ଘଟିଛି। ଗୋଟିଏ ପଟେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ଉପଯୁକ୍ତ ଚିକିତ୍ସା ସୁବିଧା ନ ପାଇ ଯୁବକଙ୍କର ମୃତ୍ୟୁ ହେଲା ଅଭିଯୋଗ କରି ଲୋକେ ହଳଦିଆ ଡାକ୍ତରଖାନା ସମ୍ମୁଖରେ ଧାରଣା ଦେଇଥିବା ବେଳେ  ମହିଳା ସ୍ବୟଂ ସହାୟକ ‌ଗୋଷ୍ଠୀର ସଭ୍ୟାମାନେ ଗାଁରେ ଥିବା ୨ଟି ମଦ ଦୋକାନରେ ଭଙ୍ଗାରୁଜା କରିବା ସହିତ ଗୋଟିଏ ମଦ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି। ଖବର ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି।  ଅନ୍ୟପକ୍ଷରେ  ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ପାଇଁ ଖୋର୍ଦ୍ଧା ଭାରପ୍ରାପ୍ତ ସିଡିଏମ୍ଓ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ସୂଚନାଯୋଗ୍ୟ ଯେ ରବିବାର ଅପରାହ୍‌ଣରେ ହଳଦିଆର ନୃସିଂହ ଚରଣ ପତି(୪୨)ନାମକ  ଜଣେ ଯୁବକ ଗାଁ ପୋଖରୀରେ ବୁଡ଼ି ଯାଇଥିଲେ।  ଗାଁ ଲୋକ ତାଙ୍କୁ ଉଦ୍ଧାର କରି  ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ମାତ୍ର ସେଠାରେ କୌଣସି ଡାକ୍ତର ନ ଥିବାରୁ ସେମାନେ ଆମ୍ବୁଲାନ୍ସ ସହାୟତା ଲୋଡ଼ିଥିଲେ। କିନ୍ତୁ ଆମ୍ବୁଲାନ୍ସ ମଧ୍ୟ ମିଳିନଥିଲା। ଫଳରେ ଗାଁ ଲୋକେ ନୃସିଂହଙ୍କୁ ବିକଳ୍ପ ବ୍ୟବସ୍ଥା କରି  ଖୋର୍ଦ୍ଧା ମେଡିକାଲ୍‌କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଗାଁର ଶତାଧିକ ଲୋକ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଟାୟାର ଜାଳି ଧାରଣାରେ ବସିଥିଲେ। ଡାକ୍ତରଖାନାରେ ରାତିରେ କୌଣସି ଡାକ୍ତର ରହୁ ନ ଥିବା, ଅସୁବିଧା ସମୟରେ ଆମ୍ବୁଲାନ୍ସ ମିଳୁ ନ ଥିବା ଓ ଅନ୍ୟ ଆନୁସଙ୍ଗିକ ସୁବିଧାସୁଯୋଗ ନଥିବା ଅଭିଯୋଗ କରି ଧାରଣାରେ ବସିଥିଲେ। ତେବେଏହି ସମୟରେ କିଛି ଯୁବକ ପ୍ରଥମେ ଡାକ୍ତରଖାନାରେ ପଶି ପାଟିତୁଣ୍ତ କରୁଥିବା ବେଳେ ଅନ୍ୟ କେତେକ ଯୁବକ  ଓ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମଦ ଦୋକାନକୁ ଦାୟୀ କରି ଗୋଟିଏ ଦେଶୀ ଓ ବିଦେଶୀ ମଦ ଦୋକାନରେ ପଶି ଭଙ୍ଗାରୁଜା କରିବା ସହ ଦେଶୀ ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ।  ଗାଁରେ ଏହି ଘଟଣାକୁ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ପାଇ ପୁଲିସ୍‌ ଅତିରିକ୍ତ ଏସ୍‌ପି ଓ ଭାରପ୍ରାପ୍ତ ସିଡିଏମ୍ଓ ଡାକ୍ତର ଗୌରିଶଙ୍କର ପଣ୍ତାଙ୍କ , ଖୋର୍ଦ୍ଧା ଏସ୍‌ଡିପିଓ ଯୁଗଳ କିଶୋର ଦାସ ୧ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ସହିତ ସେଠାରେ ଗାଁରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଡାକ୍ତରଖାନାରେ  ନିୟମିତ ଡାକ୍ତର ରହିବା, ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭାରପ୍ରାପ୍ତ ସିଡିଏମ୍ଓ ଡା.ପଣ୍ତା ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକ ଧାରଣାରୁ ଉଠିଥିଲେ। ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ତେବେ ଶ୍ରୀ ପତିଙ୍କ ମୃତ୍ୟୁ ଘଟଣାରେ ପୁଲିସ  ଏକ ଅସ୍ବାଭାବିକ ମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ମଦଦୋକାନ ପୋଡ଼ି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ବୋଲି ଏସ୍‌ଡିପିଓ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର