ରାଜା ଓ ପକ୍ଷୀ

କଥାଟିଏ - ଯାଯାବର

ଥରେ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଦେଖିଲେ ଏକ ଅତି ସୁନ୍ଦର ତଥା ବିଚିତ୍ର ପକ୍ଷୀ। ପକ୍ଷୀଟିର ଶରୀର ଦିଶୁଥିଲା ସୁନା ଭଳି ଏବ˚ ତା ମୁଣ୍ତରେ ଥିବା ଚୂଳଟିରେ ମୁକ୍ତାର ମାଳି ଲାଗିଥିଲା ଭଳି ପ୍ରତୀୟମାନ ହେଉଥିଲା। ରାଜା ସେଇ ପକ୍ଷୀଟିକୁ ଧରିବାକୁ ଚେଷ୍ଟା କରି ବିଫଳ ହେବାରୁ ବିରସ ମନରେ ଘରକୁ ଫେରିଲେ। ତାଙ୍କ ଦୁଃଖ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଶେଷରେ ରାଜା ଦୁଃଖରେ ଶଯ୍ୟାଶାୟୀ ହୋଇଗଲେ।

ଏଣୁ ଏବେ ପକ୍ଷୀକୁ ଧରିବାର ବିଧିବଦ୍ଧ ବ୍ୟବସ୍ଥା ଆରମ୍ଭ କରାଗଲା। ତାକୁ ଧରିବା ଲାଗି ସେ ରହୁଥିବା ସ୍ଥାନରେ ଏକ ଅତ୍ୟନ୍ତ ସ୍ବାଦିଷ୍ଠ ଫଳକୁ ଆହାର ରୂପେ ଥୋଇ ପ୍ରଥମେ ତା ମନରେ ବିଶ୍ବାସ ଜନ୍ମା ଗଲା। ଏମିତି ଅନେକ ଦିନ ଗଲା ପରେ ଯେତେବେଳେ ଫଳ ଦେଉଥିବା ଲୋକ ଉପରେ ପକ୍ଷୀର ବିଶ୍ବାସ ପ୍ରଗାଢ଼ ହେଲା ଓ ସେ ଭୟଶୂନ୍ୟ ଭାବେ ପାଖରେ ବୁଲାବୁଲି କଲା, ସେହି ବ୍ୟକ୍ତି ତାକୁ ଧରି ପକାଇ ଗୋଟିଏ ପଞ୍ଜୁରିରେ ପୂରାଇ ରାଜାଙ୍କୁ ଦେଲା।

ରାଜାଙ୍କ ଆାନନ୍ଦ କହିଲେ ନ ସରେ। ଏବେ ତାଙ୍କୁ ଚକିତ କରି ପକ୍ଷୀଟି ମଣିଷ ଭଳି କଣ୍ଠରେ କହିଲା- ରାଜା ଆପଣ ମୋତେ ଭଲ ପାଉଥିବାର କୌଣସି ଲକ୍ଷଣ ତ ଦେଖିପାରୁନାହିଁ! ଯଦି ଆପଣ ମୋତେ ଭଲ ପାଉଥାଆନ୍ତି ତେବେ ମୋତେ ଏ ବନ୍ଧନରୁ ମୁକ୍ତ କରନ୍ତୁ। ଯଦି ଆମ ଭିତରେ ଭଲ ପାଇବା ଜାତ ହେବ ମୁଁ ବିନା ପଞ୍ଜୁରିରେ ଆପଣଙ୍କ ପାଖେ ପାଖେ ରହିବି।

ରାଜା ଅଦ୍ଭୁତ ଦ୍ବନ୍ଦ୍ବରେ ପଡ଼ିଲେ। ଏବେ ସେ କ’ଣ କରିବେ? ଯଦି ପକ୍ଷୀଟି ଆଉ ନ ଫେରେ? ସମସ୍ତେ ରାଜାଙ୍କୁ ତାହା କହି ବୁଝାଇଲେ। କିନ୍ତୁ ରାଜା ପରିଶେଷରେ ଏକ ନିଷ୍ପତ୍ତି ନେଲେ ଯେ ସେ ପକ୍ଷୀଟିକୁ ମୁକ୍ତ କରି ତାଙ୍କ ଭଲ ପାଇବାକୁ ପ୍ରମାଣିତ କରିବେ। ରାଜା ତାହା ହିଁ କଲେ।

ପକ୍ଷୀଟି ଏବେ ଉଡ଼ିଗଲା। ସମସ୍ତେ ଏଥିରେ ହାୟ ହାୟ କଲା ବେଳକୁ ରାଜାଙ୍କ ମନ କିନ୍ତୁ ଏକ ସନ୍ତୋଷରେ ଭରି ଯାଇଥିଲା। ଏବ˚ ତାହା ଅଚିରେ ଆନନ୍ଦରେ ପରିଣତ ହେଲା ଯେତେବେଳେ ପକ୍ଷୀଟି ଫେରି ଆସି ରାଜାଙ୍କ କାନ୍ଧରେ ବସିଲା। ଏକ ଅପୂର୍ବ ବନ୍ଧନର ସୂତ୍ରପାତ ହେଲା।

ସମ୍ବନ୍ଧିତ ଖବର