ମଦ୍ୟପ ଓ ଖାସି ମା˚ସ ଭୋଜି

ଝରକା

ଗୁଜରାଟରେ ମଦ ନିଷେଧ। କିନ୍ତୁ ସଚରାଚର ଯାହା ଦେଖାଯାଏ, ତାହା ହୋଇଛି। ଗୁଜରାଟରେ ମଦ ପର୍ଯ୍ୟାପ୍ତ ମିଳୁଛି, କିନ୍ତୁ ଚୋରାରେ। ତେଣୁ ମଦ୍ୟପମାନେ ବି ଉତ୍ପାତ କରୁଛନ୍ତି। ଏଭଳି ସ୍ଥଳେ ଗୁଜରାଟର ବନଶକଣ୍ଟା ଜିଲ୍ଲାର ଖତିସିତାରା ନାମକ ଏକ ଆଦିବାସୀ ଗାଁରେ ଏକ ଅଭିନବ ଦଣ୍ତର ବ୍ୟବସ୍ଥା କରାଯାଇ ମଦ୍ୟପାନଙ୍କୁ ସାବାଡ କରି ଦିଆଯାଇ ପାରିଛି।

ସେଠାରେ ନିଶାଗ୍ରସ୍ତ ଅବସ୍ଥାରେ କେହି ଧରାପଡ଼ିଲେ ସେହି ବ୍ୟକ୍ତି ୨୦୦୦ ଟଙ୍କାର ଜରିମାନା ଦେବା ସହିତ ଗାଁ ଲୋକଙ୍କୁ ଗୋଟିଏ ଭୋଜି ଦେବାକୁ ବାଧୢ। ଭୋଜିର ମେନ୍ୟୁ ହେଲା ଖାସି ମା˚ସ ଝୋଳ ଓ ‘ବାଟି’(ପାର˚ପରିକ ଗୁଜରାଟୀ ଖାଦ୍ୟ ପୋଡ଼ା ଅଟା ଗୁଳା)। ଗାଁର ଲୋକ ସ˚ଖ୍ୟା ପ୍ରାୟ ଆଠ ଶହ। ଅର୍ଥାତ୍‌ ସେଥିଲାଗି ଖର୍ଚ୍ଚ କରିବାକୁ ହେବ ପ୍ରାୟ ୨୦, ୦୦୦ରୁ ୨୫,୦୦୦ ଟଙ୍କା।

ଏଭଳି ଏକ ଗମାତିଆ ଦଣ୍ତ ବ୍ୟବସ୍ଥାରେ ଗାଁ ଲୋକେ ଖୁସି, କିନ୍ତୁ ଦଣ୍ତ ପାଇଥିବା ଲୋକଟି ଆଉ ଦ୍ବିତୀୟ ଥର ମଦ ପିଇବାକୁ ସାହସ କରିବା ଅର୍ଥ ଦୁଃସାହସ ଦେଖାଇବା।

୨୦୧୩ରୁ ଏ ଦଣ୍ତ ବ୍ୟବସ୍ଥା ଚାଲୁ ହେବା ପରେ ପରେ ଗାଁ ଲୋକେ ପ୍ରାରମ୍ଭିକ ଭାବେ ପ୍ରତିି ବର୍ଷ ତିନି ଚାରି ଥର ମା˚ସ ତରକାରି ଭୋଜି ଖାଇବାକୁ ପାଉଥିଲେ। କିନ୍ତୁ ସେ ସ˚ଖ୍ୟାରେ ଦ୍ରୁତ ହ୍ରାସ ଘଟି ୨୦୧୮ରେ ମାତ୍ର ଥରେ ଭୋଜି ଖାଇଛନ୍ତି। ଚଳିତ ବର୍ଷ ଏ ଯାବତ୍‌ ଭୋଜି ମିଳିନାହିଁ।

‘ଭୋଜି ପଛକେ ନ ମିଳୁ ଲୋକେ ମଦରୁ ଦୂରେଇ ରହନ୍ତୁ’ ବୋଲି ଗାଁ ଲୋକେ କହନ୍ତି। ଏଣିକି ଗାଁ ଲୋକେ କୁଣିଆ ମଇତ୍ରଙ୍କ ଲାଗି ପ‌ଡ଼ୋଶୀ ରାଜସ୍ଥାନରୁ ଚୋରାରେ ମଦ ଆଣିବା ବନ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର