ତିନ୍‌ ତଲାକ୍‌ ବିଲ୍‌କୁ ସ୍ୱାଗତ କଲେ ମୁଲାୟମ୍‌ଙ୍କ ସାନବୋହୂ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ମୁରବୀ ମୁଲାୟମ ସିଂହ ଯାଦବଙ୍କ ସାନବୋହୂ ଅପର୍ଣ୍ଣା ଯାଦବ ନିଜ ଦଳର ଧାରାରୁ ବାହାରି ଯାଇ କେନ୍ଦ୍ରରେ ବିଜେପି ସରକାର ଆଗତ କରିଥିବା ତିନ୍‌ ତଲାକ୍‌ ବିଲ୍‌କୁ ସ୍ୱାଗତ କରିଛନ୍ତି।

ପୂର୍ବରୁ ମଧ୍ୟ ଅପର୍ଣ୍ଣା କେତେକ ମାମଲାରେ ସମାଜବାଦୀ ପାର୍ଟିର ଆନୁଷ୍ଠାନିକ ଧାରା ଅନୁସରଣ କରିବାକୁ ମନା କରି ଦେଇଥିଲେ। ଟୁଇଟ୍‌ ଯୋଗେ ତିନ୍‌ ତଲାକ୍‌ ବିଲ୍‌କୁ ସ୍ୱାଗତ କରି ସେ ଲେଖିଛନ୍ତି: ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ। ସାଧାରଣରେ ଏହା ମହିଳାମାନଙ୍କୁ, ବିଶେଷକରି ମୁସଲମାନ ମହିଳାମାନଙ୍କୁ ସଶକ୍ତ କରିବ। ଦୀର୍ଘଦିନ ହେବ ପଡ଼ି ରହିଥିବା ମୁସଲମାନ ମହିଳାମାନଙ୍କ ଦୁଃଖର ଏହା ପ୍ରତିକାର କରିବ।

ତିନ୍‌ ତଲାକ୍‌ ବିଲ୍‌କୁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ବିରୋଧ କରୁଛି। ଏବେ ତିନ୍‌ ତଲାକ୍‌ ବିଲ୍‌ରେ ଥିବା ନୀତି ନିୟମକୁ ସଂଶୋଧନ କରାଇବାକୁ ସମାଜବାଦୀ ପାର୍ଟି ଚାହୁଁଛି। ଏ ପରିସ୍ଥିତିରେ ଅପର୍ଣ୍ଣା ସେ ବିଲ୍‌କୁ ସମର୍ଥନ କରି ସମାଜବାଦୀ ପାର୍ଟିରେ ବିରୋଧାତ୍ମକ ପରିସ୍ଥିତି ସୃଷ୍ଟି କରିଛନ୍ତି।

Image Courtesy of TOI

ମୁଲାୟମଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ପୂର୍ବରୁ ମଧ୍ୟ ଅନେକ ପ୍ରସଙ୍ଗରେ ସମାଜବାଦୀ ପାର୍ଟିର ବିରୁଦ୍ଧାଚରଣ କରିଛନ୍ତି। ବିଜେବି ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବାର ସପ୍ତାହକ ମଧ୍ୟରେ ପ୍ରତୀକ ଏବଂ ଅପର୍ଣ୍ଣା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାକ୍ଷାତ୍‌ କରିଥିଲେ।

ତା’ ପୂର୍ବରୁ ଅପର୍ଣ୍ଣା ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଗତବର୍ଷ ଲକ୍ଷ୍ନୌରେ ଏକ ଇଫ୍‌ତାର୍‌ ପାର୍ଟିରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅପର୍ଣ୍ଣା ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‌ କରିଥିଲେ। ଏହା ଦଳୀୟ ଲୋକଙ୍କୁ ଭଲ ଲାଗି ନ ଥିଲା।

ସମ୍ବନ୍ଧିତ ଖବର