ମନ ପରିଭାଷା: ବିଶ୍ୱାସ କରିବେ କି ନାହିଁ?

ଫକୀର ମୋହନ ସାହୁ

ବିଶ୍ୱାସ ଆମ ବ୍ୟକ୍ତିଗତ ଓ ସାମାଜିକ ଜୀବନର ଏକ ମୂଳ କଥା। ଅନ୍ୟକୁ ବିଶ୍ୱାସ କରି ହିଁ ଆମେ ଜୀବନ ନିର୍ବାହ କରିଥାଉ। କେବଳ ଆମର ବ୍ୟକ୍ତିଗତ ଜୀବନ ନୁହେଁ, ବୃତ୍ତିଗତ ଜୀବନରେ ମଧ୍ୟ ଏହାର ମହତ୍ତ୍ବ ରହିଛି। କର୍ମ ସଂସ୍ଥାରେ କାର୍ଯ୍ୟ ନିର୍ବାହ ଓ ଉତ୍ପାଦନଶୀଳତା ପାଇଁ ପାରସ୍ପରିକ ବିଶ୍ୱାସ ଏକାନ୍ତ ଆବଶ୍ୟକ। କିନ୍ତୁ ବିଡ଼ମ୍ବନା ହେଲା, କ୍ରମେ ବିଶ୍ୱାସର ସଙ୍କଟ ଘନୀଭୂତ ହୋଇ ଆମ ଜୀବନକୁ ଆକ୍ରାନ୍ତ କରୁଛି। ଏ ସଂଦର୍ଭରେ ବୈଜ୍ଞାନିକ ଦୃଷ୍ଟିକୋଣରୁ କୌତୂହଳପୂର୍ଣ୍ଣ ପ୍ରଶ୍ନଟି ହେଉଛି ‘କେଉଁ କେଉଁ ଅବସ୍ଥା ଆମର ଆସ୍ଥା ସ୍ଥାପନ କାର୍ଯ୍ୟକୁ ସହଜ କରେ ଏବଂ କେଉଁ କେଉଁ ଉପାଦାନ ଏ ଦିଗରେ ବାଧା ସୃଷ୍ଟି କରେ? ବା ଆମେ କାହାକୁ ବିଶ୍ବାସ କରିଥାଉଁ ବା କରି ନ ଥାଉଁ? ଏ ସଂପର୍କରେ ଏକ ଆଲୋଚନା ଏଠାରେ କରାଯାଉ।

ପ୍ରଥମେ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱର ଉପାଦାନ ବିଷୟରେ ବିଚାର କରାଯାଉ। ଗବେଷଣାମାନ କହନ୍ତି ଯେ, ଯେଉଁମାନେ ସହଜରେ ଅନ୍ୟମାନଙ୍କ ସହିତ ଖାପ ଖୁଆଇ ଚଳନ୍ତି, ସେମାନେ ସହଜରେ ଅନ୍ୟ ଉପରେ ଆସ୍ଥା ସ୍ଥାପନ କରନ୍ତି। ଯେଉଁମାନଙ୍କର ଏ‌ ନେଇ ସମସ୍ୟା ଥାଏ, ସେମାନେ ସାଧାରଣତଃ ସନ୍ଦେହକାରୀ ହୋଇଥାଆନ୍ତି। ସେମିତି କୌଣସି ପ୍ରକାର ହାନି ବା କ୍ଷତିର ଆଶଙ୍କା ଥିଲେ ଅନେକ ଲୋକ ସେହି କାର୍ଯ୍ୟ ବା ବ୍ୟକ୍ତିଙ୍କ ଠାରୁ ଦୂରେଇ ଯିବାକୁ ପସନ୍ଦ କରନ୍ତି। ସେମିତି ରକ୍ଷଣଶୀଳ ଲୋକେ କୌଣସି ସହସା ପରିବର୍ତ୍ତନ ଚାହୁ ନ ଥିବାରୁ ସେମାନଙ୍କ ଉପରେ ଲୋକେ ସହଜରେ ଆସ୍ଥା ପ୍ରକାଶ କରିପାରନ୍ତି ନାହିଁ। ସେମିତି ଦେଖାଯାଇଛି ଯେ କ୍ଷମତାଧାରୀମାନେ ସହଜରେ ଅନ୍ୟ ଉପରେ ବିଶ୍ବାସ ପ୍ରକଟ କରି ପାରନ୍ତି ନାହିଁ। ଯଦି କ୍ଷମତାଶାଳୀ ବ୍ୟକ୍ତି ନିଶ୍ଚିତ ଥାଆନ୍ତି ଯେ ତାଙ୍କ ବିଶ୍ୱାସ ଭଙ୍ଗ କରୁଥିବା ଲୋକକୁ ସେ ଦଣ୍ଡ ଦେଇପାରିବେ, ତେବେ‌ ସେ କ୍ଷେତ୍ରରେ ସେ ବିଶ୍ବାସ ସ୍ଥାପନ କରୁଥିବା ଦେଖାଯାଏ।

ବ୍ୟକ୍ତିତ୍ବ ଭଳି ପରିବେଶଗତ କାରଣ ମଧ୍ୟ ବିଶ୍ୱସନୀୟତାକୁ ପ୍ରଭାବିତ କରେ। ଏଭଳି ସ୍ଥଳେ ଯାହା ଆସ୍ଥା ସ୍ଥାପନକୁ ସର୍ବାଧିକ ପ୍ରଭାବିତ କରେ, ତାହା ହେଉଛି ସୁରକ୍ଷା ଚିନ୍ତା। ଧରନ୍ତୁ ଗୋଟିଏ ଦପ୍ତରରେ ନବ ନିଯୁକ୍ତ ପରିଚାଳକ ଟିକିଏ କଥାରେ ଛଟେଇ କରିବା ଆରମ୍ଭ କଲେ। ସେଭଳି ସ୍ଥଳେ ଚାକିରି ନେଇ ଅସୁରକ୍ଷାର ଭାବନା ଦ୍ବାରା ଜର୍ଜର କର୍ମଚାରୀମାନେ ସହଜରେ ଅନ୍ୟ ଉପରେ ବିଶ୍ବାସ କରି ପାରନ୍ତି ନାହିଁ। ଦପ୍ତରରେ ଏକ ଅବିଶ୍ବାସର ବାତାବରଣ ସୃଷ୍ଟି ହୁଏ। ସେହିଭଳି ବିଶ୍ବାସ ସ୍ଥାପନ ଲାଗି ଆଉ ଗୋଟିଏ ବିଭାବ ହେଲା ସାମଞ୍ଜସ୍ୟ। ଜଣେ ଯଦି ତାଙ୍କ ସହିତ ସାମଞ୍ଜସ୍ୟ ବହନ କରୁଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି, ତେ‌େବ ସେ ତାଙ୍କ ଉପରେ ସହଜରେ ବିଶ୍ବାସ ସ୍ଥାପନ କରି ପାରନ୍ତି। ଦୈନନ୍ଦିନ ଜୀବନରେ ଆମେ ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ଥିବା ଆସ୍ଥାକୁ ଦେଖିଥାଉ। ଜଣେ ରୋଗୀଙ୍କ ମନରେ ତାଙ୍କୁ ଦେଖୁଥିବା ବା ତାଙ୍କର ଅସ୍ତ୍ରୋପଚାର କରୁଥିବା ଚିକିତ୍ସକଙ୍କ ଉପରେ ଗାଢ଼ ବିଶ୍ବାସ ଥାଏ। ଡାକ୍ତର ମଧ୍ୟ ବିଶ୍ୱାସ କରନ୍ତି ଯେ ରୋଗୀ ଭଲ ହେବା ଲାଗି ସେ ବତାଇଥିବା ମାର୍ଗ ଅନୁସରଣ କରୁଥିବେ ଏବଂ ସେ ଭଲ ହେବା ସହିତ ତାଙ୍କର ସୁନାମ ବୃଦ୍ଧିରେ ତାହା ସହାୟକ ହେବ। ଏବେ ଜାତିସଂଘ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଡାକ୍ତରି ହେଉଛି ପୃଥିବୀର ସବୁଠାରୁ ଅଧିକ ବିଶ୍ବାସର ପା‌ତ୍ର ହୋଇଥିବା ପେସା ବା ବୃତ୍ତି।

କୌଣସି ଦପ୍ତରରେ ବା ଦୋକାନରେ ଥିବା ବ୍ୟକ୍ତିଙ୍କର ବ୍ୟବହାର ଯଦି ଭଲ ହୁଏ ବା‌ ସେ ଉଦାରତା ବା ପରୋପକାର ମନୋବୃତ୍ତି ପ୍ରକାଶ କରନ୍ତି, ତେବେ ସେ ସମସ୍ତଙ୍କ ଆସ୍ଥା ଭାଜନ ହୁଅନ୍ତି। ସେମିତି ଯେଉଁ ନିଯୁକ୍ତିଦାତା ସ୍ୱାର୍ଥପରତାସୁଲଭ ବ୍ୟବହାର ନ ଦର୍ଶାଇ କର୍ମଚାରୀମାନଙ୍କ ସୁଖଦୁଃଖ ପ୍ରତି ସଚେତନ ବା ସମ୍ବେଦନଶୀଳ ରହନ୍ତି, ସେ ମଧ୍ୟ ଅଧିକ ବିଶ୍ୱାସଭାଜନ ହୁଅନ୍ତି। ଅନୁରୂପ ଭାବରେ ଉଚ୍ଚ ପଦରେ ଆସୀନ ବ୍ୟକ୍ତିଙ୍କର ଦକ୍ଷତାରେ ଶ୍ରେଷ୍ଠତ୍ବ ମଧ୍ୟ ତାଙ୍କୁ ବିଶ୍ବାସାସ୍ପଦ କରାଏ।
କିନ୍ତୁ ଅନେକ ସମୟରେ ଦେଖାଯାଏ ଯେ ଜଣେ ବ୍ୟକ୍ତି ମନରେ ଓ ପ୍ରାଣରେ ଖୁବ୍ ଭଲ, ଅଥଚ ଉତ୍ସାହ ବା ଆବେଗର ଆତିଶଯ୍ୟ‌େର ସେ ଅନେକ ପ୍ରତିଶ୍ରୁତି ଦେଇ ତାହା ପୂରଣ କରି ପାରନ୍ତି ନାହିଁ। ସେମିତି ହେଲେ ସେ ବିଶ୍ବସନୀୟତା ହରାନ୍ତି। ଆମ ରାଜନେତା‌ମାନଙ୍କ କଥାକୁ ସହଜରେ କେହି ବିଶ୍ବାସ ନ କରିବା ପଛରେ ଏହା ଏକ ବଡ଼ କାରଣ। ସେମିତି ଜଣେ ସ୍ପଷ୍ଟବାଦୀ ବ୍ୟକ୍ତି ଅପ୍ରିୟ ହୋଇପାରନ୍ତି, କିନ୍ତୁ ବିଶ୍ୱାସଭାଜନ ହୁଅନ୍ତି। ସାଧାରଣତଃ ଏକ ଧାରଣା ରହିଥାଏ ଯେ ବ୍ୟବସାୟ ବା ବାଣିଜ୍ୟରେ ସଂପୂର୍ଣ୍ଣ ସ୍ବଚ୍ଛତା ପ୍ରତିକୂଳ ସାବ୍ୟସ୍ତ ହୋଇପାରେ। କିନ୍ତୁ ଦେଖାଯାଏ ଯେ ଅନେକ ଅତି ସଫଳ ଉଦ୍ୟୋଗପତି ସଂପୂର୍ଣ୍ଣ ଭାବେ ସ୍ବଚ୍ଛ ଏବଂ ସ୍ପଷ୍ଟବାଦୀ ହୋଇ ବିଶ୍ବାସ ଜିଣିବା ସହିତ ବ୍ୟବସା‌ୟରେ ଉତ୍ତୁଙ୍ଗ ସଫଳତା ହାସଲ କରିଛନ୍ତି। ତେଣୁ କଥା ହେଲା, ବିଶ୍ବାସ ଜିଣି ପାରିବା ସହଜ। କାରଣ ତାହା କରିବା ଲାଗି ଉପର ବର୍ଣ୍ଣିତ ଉପାୟମାନକୁ ‘ଟେକ୍‌ନିକ୍‌’ ଭାବେ ବ୍ୟବହାର କରାଯାଇପାରେ। ଏହି କାରଣରୁ ଲୋକେ ବହୁ ଠକାମିର ଶିକାର ହୋଇଥାଆନ୍ତି। କିନ୍ତୁ ବିଶ୍ବାସ ବଜାୟ ରଖିବାକୁ ହେଲେ ଏହି ସବୁ ଗୁଣମାନ ଜଣଙ୍କର ଚରିତ୍ରରେ ସ୍ବାଭାବିକ ଭାବେ ନିହିତ ରହିବା ଆବଶ୍ୟକ।
ମୋ – ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର