ବୋଥ୍ରା କହିଲେ ଜୀବନର ସତ କାହାଣୀ, କେମିତି ବଦଳିଥିଲା ଚିନ୍ତାଧାରା

ଭୁବନେଶ୍ୱର(ବୋୖଦ୍ଧାୟନ ଆଚାର୍ଯ୍ୟ): ଆଇପିଏସ୍ ଅଫିସର ଅରୁଣ ବୋଥ୍ରା | ପାଟଣାଗଡ଼ ପାର୍ସଲବୋମା ତଦନ୍ତର ମୁଖ୍ୟ ତଦନ୍ତକାରୀ ଥିବା ଏହି ଅଫିସର କହିଛନ୍ତି ନିଜ ଜୀବନର ଏକ ସତ କାହାଣୀ | ବେପରୁଆ ଗାଡ଼ି ଚାଳନା କିଭଳି ଜଣେ ନିର୍ଦ୍ଦୋଷର ଜୀବନକୁ ସଂକଟରେ ପକାଇ ଦେଇପାରେ ତାହାର  ଅନୁଭୂତି ବଖାଣିଛନ୍ତି ଏହି ଅଫିସର | କଲେଜ ସମୟର ଏକ ଘଟଣା  ମନେପକାଇ ସେ କହନ୍ତି, ପ୍ରାୟ ଯୁବକଙ୍କ ଭଳି ସେ ବି ଦ୍ରୁତ ଗତିରେ ବାଇକ ଚଲାଉଥିଲେ | କିନ୍ତୁ ତାଙ୍କ ଭଣଜାର ପଦଟିଏ କଥା ତାଙ୍କ ଚିନ୍ତାଧାରା ବଦଳାଇ ଦେଇଥିଲା।

ଥରେ ଖୁବ ଜୋରରେ ସେ ଚଳାଉଥିଲେ ବାଇକ୍ ଓ  ପଛରେ ବସିଥିଲେ ନିଜର ପ୍ରିୟ ଭଣଜା | ମାମୁଙ୍କର ବେପରୁଆ ଗାଡି ଚାଳନାକୁ ଦେଖି ସ୍ପିଡ଼ କମାଇବାକୁ ଭଣଜା ଅନୁରୋଧ କରିଥିଲେ | ଭଣଜାକୁ ବୁଝାଇବାକୁ ଯାଇ ବୋଥ୍ରା କହିଥିଲେ- ବ୍ୟସ୍ତ ହୁଅନି, ଯଦି କିଛି ଅଘଟଣ ଘଟିଯାଏ ତା’ ହେଲେ ମୁଁ ମରିଯିବି | ମାମୁଙ୍କର କଥା ଶୁଣି ଭଣଜା କହିଲେ- ମାମୁ ତୁମେ ତୁମ ଭୁଲ ଯୋଗୁଁ ମରିଯାଇପାର, କିନ୍ତୁ ମୁଁ କିଛି ଭୁଲ ନ କରି ବି ମରିଯିବି | ଭଣଜାର କିଛି ଏଭଳି ଉତ୍ତର ଶୁଣି ସ୍ତବ୍ଧ ହୋଇଯାଇଥିଲେ ବୋଥ୍ରା |

ମାମୁ ଭଣଜାଙ୍କର ଏହି ୪ ପଦ କଥା ହୁଏତ ଅନେକଙ୍କୁ ସାମାନ୍ୟ ଲାଗିପାରେ, କିନ୍ତୁ ଭଣଜାଙ୍କର ଶେଷ ପଦ କଥା ବୋଥ୍ରାଙ୍କୁ ପରିବର୍ତ୍ତନ କରିଦେଇଥିଲା | ସେ ସେଦିନ ଠାରୁ ବେପରୁଆ ଗାଡ଼ି ଚାଳନା ଛାଡ଼ିଦେଇଥିଲେ।

ବର୍ତ୍ତମାନ ଅରୁଣ ବୋଥ୍ରା ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିବାବେଳେ କ୍ରୁଟର ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଅଛନ୍ତି | ଏଠାରେ ସୂଚନା ଥାଉ କି ପ୍ରତି ୪ ମିନିଟରେ ଭାରତରେ ଜଣକର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥାଏ | ସମୁଦାୟ ଦୁର୍ଘଟଣାର ୯୦ ପ୍ରତିଶତ ବେପରୁଆ ଗାଡି ଚାଳନା ଯୋଗୁଁ ହିଁ ଘଟିଥାଏ |

ସମ୍ବନ୍ଧିତ ଖବର