ବର୍ଷାରୁ ବିଦ୍ୟୁତ୍‌ ଉତ୍ପାଦନ : ଘର ଛାତରେ ଲାଗିବ ବର୍ଷା ପ୍ୟାନେଲ୍‌

ପାରମ୍ପରିକ ଶକ୍ତି ଉତ୍ସଗୁଡ଼ିକ ଦିନକୁ ଦିନ ସରି ଆସୁଥିବା ବେଳେ ବିଭିନ୍ନ ନବୀକରଣଯୋଗ୍ୟ ଉତ୍ସରୁ କିପରି ବିଦ୍ୟୁତ୍‌ ଶକ୍ତି ମିଳିପାରିବ, ସେ ବାବଦରେ ଗବେଷଣା ଜାରି ରହିଛି। ଏହି କ୍ରମରେ ସୌରଶକ୍ତି, ପବନ ଶକ୍ତି, ଜୁଆର ଶକ୍ତି ଆଦି ଶକ୍ତି ଉତ୍ସ ସହ ଆମେ ପରିଚିତ। ତେବେ ସୌର ପ୍ୟାନେଲ୍‌ ମାଧ୍ୟମରେ ସୂର୍ଯ୍ୟାଲୋକରୁ ଯେପରି ବିଦ୍ୟୁତ୍‌ ଉତ୍ପନ୍ନ ହେଉଛି, ଆଗକୁ ବର୍ଷା ପ୍ୟାନେଲ୍‌ ମାଧ୍ୟମରେ ବର୍ଷାବିନ୍ଦୁରୁ ମଧ୍ୟ ବିଦ୍ୟୁତ୍‌ ମିଳିପାରିବାର ଆଶା ସଂଚାର ହୋଇଛି। ଚୀନୀ ଗବେଷକମାନେ ଏପରି ଏକ ଯନ୍ତ୍ର ବିକଶିତ କରିଛନ୍ତି, ଯାହା ବର୍ଷାବିନ୍ଦୁଗୁଡ଼ିକୁ ସଂଗ୍ରହ କରି ତହିଁରୁ ବିଦ୍ୟୁତ୍‌ ଉତ୍ପନ୍ନ କରିପାରିବ। ତେଣୁ ଭବିଷ୍ୟତରେ ଘର ଛାତରେ ଲୋକେ ସୌର ପ୍ୟାନେଲ୍‌ ସାଙ୍ଗକୁ ବର୍ଷା ପ୍ୟାନେଲ୍‌ ମଧ୍ୟ ଖଞ୍ଜିବେ। ଯେଉଁ ସ୍ଥାନରେ ପ୍ରଚୁର ସୂର୍ଯ୍ୟାଲୋକ ମିଳୁଛି, ସେଠି ତ ସୌର ପ୍ୟାନେଲ୍‌ଗୁଡ଼ିକ ଚମତ୍କାର ବିଦ୍ୟୁତ୍‌ ଉତ୍ପନ୍ନ କରିପାରୁଛନ୍ତି।

ମାତ୍ର ସବୁଠି ସେପରି ସୂର୍ଯ୍ୟାଲୋକ ମିଳୁନି। ତାହାକୁ ଦୃଷ୍ଟିରେ ରଖି ଗବେଷଣା କରୁ କରୁ ଚୀନ୍‌ର ସିଂଘୁଆ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଅଭିନବ ଯନ୍ତ୍ର ବିକଶିତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ଷାବୁନ୍ଦାରେ ଉଭୟ ଗତିଜ ଶକ୍ତି ଓ ସ୍ଥିରବିଦ୍ୟୁତ୍‌ ଶକ୍ତି ସମେତ ପ୍ରଚୁର ପରିମାଣର ନବୀକରଣକ୍ଷମ ଶକ୍ତି ଭରି ରହିଛି। ତେବେ ମୁଖ୍ୟ ସମସ୍ୟାଟି ହେଉଛି ସେଥିରୁ କିପରି ଦକ୍ଷତାର ସହ ଶକ୍ତି ଅମଳ କରିହେବ। ଉକ୍ତ ଯନ୍ତ୍ରରେ ବର୍ଷାବୁନ୍ଦାର ଗତିଜ ଶକ୍ତିକୁ ବିନିଯୋଗ କରି ବିଜୁଳି ଉତ୍ପନ୍ନ ହୋଇପାରୁଛି। ଜଳବିଦ୍ୟୁତ୍‌ କେନ୍ଦ୍ରରେ ଜଳର ସ୍ରୋତ ଯେପରି ଟର୍ବାଇନ୍‌କୁ ଘୂରାଇବାରୁ ବିଦ୍ୟୁତ୍‌ ଉତ୍ପନ୍ନ ହୋଇଥାଏ, ଏଥିରେ ସେମିତି ଜଳବୁନ୍ଦାର ଗତି ଅନୁରୂପ କାମ କରିଥାଏ। ଫରକ ଏତିକି, ଏଠାରେ କ୍ଷୁଦ୍ର କ୍ଷୁଦ୍ର ଟର୍ବାଇନ୍‌ରୁ ଖୁବ୍‌ କମ୍‌ ବିଦ୍ୟୁତ୍‌ ମିଳିପାରିବ। ତେବେ ସୌର ପ୍ୟାନେଲ୍‌ରେ ଯେପରି ସଂଖ୍ୟାଧିକ ସୌରସେଲ୍‌ ଯୋଡ଼ି ଉଲ୍ଲେଖନୀୟ ବିଜୁଳି ମିଳିପାରୁଛି, ବର୍ଷା ପ୍ୟାନେଲ୍‌ରେ ମଧ୍ୟ କ୍ଷୁଦ୍ର ଜେନେରେଟରଗୁଡ଼ିକୁ ଯୋଡ଼ି ଅନୁରୂପ ଶକ୍ତି ମିଳିପାରିବ। ଏପରିକି ସୌର ପ୍ୟାନେଲ୍‌ ସଦୃଶ ଏଥିରୁ ବର୍ଗମିଟର ପିଛା ୨୦୦ ୱାଟ୍‌ ବିଜୁଳିଶକ୍ତି ମିଳିପାରିବ ବୋଲି ଗବେଷକମାନେ ଦାବି କରିଛନ୍ତି। ଏହି ପ୍ରକଳ୍ପ ଏବେ ପରୀକ୍ଷା ନିରୀକ୍ଷା ସ୍ତରରେ ରହିଛି, ତେଣୁ ଏଥିରୁ ବ୍ୟାବସାୟିକ ଭିତ୍ତିରେ ପ୍ରଭୂତ ଶକ୍ତି ମିଳିପାରୁଛି ନା ନାଇଁ ତାହା ଭବିଷ୍ୟତରେ ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର