ଏମ୍‌ସରେ ବଢୁଛି ଗୁରୁତର ଡେଙ୍ଗୁରୋଗୀଙ୍କ ସଂଖ୍ୟା: ଲିଭର, କିଡନି, ଲଙ୍ଗ୍ସକୁ ପ୍ରଭାବିତ କରୁଛି

ପେନ୍ କିଲର୍‌ ନଖାଇବାକୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ବର: ବଢୁଛନ୍ତି ଗୁରୁତର ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ସ୍ଥିତି ଏଭଳି ହୋଇଛି ଯେ ଏମ୍‌ସ ଭଳି ଟର୍ସିୟାରି କେୟାର ସେଣ୍ଟରରେ ୩ ସପ୍ତାହ ମଧ୍ୟରେ ଅଧିକ ସଂଖ୍ୟାରେ ଗୁରୁତର ଅବସ୍ଥାରେ ଡେଙ୍ଗୁ ରୋଗୀ ଆସି ପହଞ୍ଚୁଛନ୍ତି। ଦୁଇ ସପ୍ତାହ ହେଲା ଲଗାତାର କେବଳ ଏମ୍‌ସ ମେଡିସିନ ବିଭାଗରେ ୧୫-୧୬ ଜଣ ଲେଖାଏଁ ରୋଗୀଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ଏମାନେ ସମସ୍ତେ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାର ଡାକ୍ତରଖାନାରୁ ରେଫର ହୋଇ ଆସି ପହଞ୍ଚିଛନ୍ତି ଏବଂ ଆଇସିୟୁରେ ଚିକିତ୍ସିତ ହେଉଥିବା ଦେଖାଯାଉଛି।

ଡେଙ୍ଗୁ ପୀଡ଼ିତ ଅନେକ ରୋଗୀ ଡାକ୍ତରଙ୍କ ବିନା ପରାମର୍ଶରେ ପେନ୍‌ କିଲର୍‌ ଖାଉଥିବାରୁ ଜଟିଳତା ବଢୁଛି। ଏହା ନ କରିବା ପାଇଁ ଏମ୍‌ସ ମେଡିସିନ ବିଭାଗ ଡାକ୍ତର ଅନୁପମ ଦେ’ ପରାମର୍ଶ ଦେଇଛନ୍ତି। ଡାକ୍ତର ଦେ କହିଛନ୍ତି, ଡେଙ୍ଗୁରେ ଜ୍ବର, ମୁଣ୍ଡବ୍ୟଥା ସହିତ ମାଂସପେଶୀ ବ୍ୟଥା ହୁଏ। ତୃତୀୟ କିମ୍ବା ଚତୁର୍ଥ ଦିନରେ ଶରୀରର ବିଭିନ୍ନ ସ୍ଥାନରେ ଫଳିଯାଏ। ଖାଇବାକୁ ଇଚ୍ଛାହୁଏ ନାହିଁ, ବାନ୍ତି ଲାଗିଥାଏ। ବର୍ତ୍ତମାନ ଏମ୍‌ସରେ ଭର୍ତ୍ତି ଅନେକ ରୋଗୀଙ୍କ ଲିଭର, କିଡନି ଏବଂ ଲଙ୍ଗ୍ସକୁ ପ୍ରଭାବିତ କରୁଥିବା, ପେଟରେ ଏବଂ ଲଙ୍ଗ୍ସରେ ପାଣି ଜମା ହେଉଥିବା ଦେଖିବାକୁ ମିଳୁଛି। ଏପରିକି ଜଣେ ରୋଗୀଙ୍କ ଲଙ୍ଗ୍ସକୁ ଗୁରୁତର ପ୍ରଭାବିତ କରିବାରୁ ଆଇସିୟୁ ଚିକିତ୍ସାର ଆବଶ୍ୟକତା ହୋଇଥିଲା। ରକ୍ତଚାପ ସମସ୍ୟା ନଥିବା ରୋଗୀଙ୍କ ଅଚାନକ ରକ୍ତଚାପ ହ୍ରାସ ପାଇଯିବା ମଧ୍ୟ ଦେଖିବାକୁ ମିଳୁଛି। ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ିଛି।

ପ୍ରକୃତରେ ଡେଙ୍ଗୁ ଜଟିଳ ଅବସ୍ଥାକୁ ଆସିଗଲେ ମସ୍ତିଷ୍କ, ରକ୍ତ କିମ୍ବା ଶରୀରର ଯେକୌଣସି ଅଂଶକୁ ପ୍ରଭାବିତ କରିପାରିବ। ଏଥିସହିତ ନାକ, କଫ, ରକ୍ତ ସହିତ ଶରୀରର ବିଭିନ୍ନ ସ୍ଥାନରେ ରକ୍ତତ୍ସାବ ହେବା ମଧ୍ୟ ଦେଖାଯାଏ। କେବଳ ଚଳିତ ବର୍ଷ ନୁହେଁ, ବିଭିନ୍ନ ସମୟରେ ଡେଙ୍ଗୁର ଏଭଳି ସ୍ଥିତି ଜଟିଳ ସ୍ଥିତି ହୋଇଛି। ପ୍ରକୃତରେ ଡେଙ୍ଗୁ ୪ ପ୍ରକାର ଥାଏ। ପୂର୍ବରୁ ସାଧାରଣ ଲକ୍ଷଣ ଥିବା ରୋଗୀଙ୍କୁ ୨ ସିରୋଟାଇପ ହେବାର ଆଶଙ୍କା ରହୁଥିଲା। ବର୍ତ୍ତମାନ ଏଠାରେ ଭର୍ତ୍ତି ଜଟିଳ ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମଧୁମେହ, କିଡନି, ଲଙ୍ଗ୍ସ ଏବଂ ହୃଦରୋଗ ସମସ୍ୟା ଥିବା ଦେଖାଯାଉଛି। ପ୍ରାଥମିକ ଉପଚାର ବେଳେ ଠିକ୍‌ ଭାବରେ ଚିକିତ୍ସା କରାଯାଇନଥିଲେ ଅବସ୍ଥା ଜଟିଳ ହେଉଛି। ଡେଙ୍ଗୁର କୌଣସି ସ୍ବତନ୍ତ୍ର ଔଷଧ ନାହିଁ। ଲକ୍ଷଣ ଦେଖି ଚିକିତ୍ସା କରାଯାଉଛି। ପେଟ କାଟିବା, ବାନ୍ତିଲାଗିବା, ବାଉଳି ହେବା, ଶରୀରରେ ଫଳିବା, ଧଇଁସଇଁ ହେଲେ ଡେଙ୍ଗୁ ପରୀକ୍ଷା କରିବା ଉଚିତ। ଘର ଆଖପାଖରେ ପରିଷ୍କାର ପାଣି ଯେପରି ଜମା ନ ହେବ, ସେଥିପ୍ରତି ସତର୍କ ରହିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି।

ସମ୍ବନ୍ଧିତ ଖବର