‘କିତାବ ଘର’ ଅଭିଯାନ ପରେ ଏବେ ଭୋକ ବିରୋଧରେ ଲଢ଼େଇ

ଉତ୍ସବ ତଥା ଭୋଜି ସ୍ଥଳୀ, ହୋଟେଲ୍‌, ଭୋଜନାଳୟ, ହଷ୍ଟେଲ୍‌ ଆଦିରେ ପ୍ରତି ଦିନ ଶହ ଶହ ଟନ୍‌ ଖାଦ୍ୟ ବଳିଯାଏ, ଯାହା ଶେଷରେ ଅଳିଆଗଦାକୁ ଯାଏ। ବଳକା ଖାଦ୍ୟ ଅଳିଆଗଦାରେ ପଡ଼ିବା କି˚ବା ନଷ୍ଟ ହେବା ପୂର୍ବରୁ ତାହାକୁ ସୁରକ୍ଷିତ ଭାବେ ସ˚ଗ୍ରହ କରି ଗରିବଙ୍କୁ ବାଣ୍ଟିବା ଲାଗି ଭୋପାଲ ମହାନଗର ନିଗମ ନିଷ୍ପତ୍ତି ନେଇଛି। ଏକ ବେସରକାରୀ ସ˚ସ୍ଥା ସହଯୋଗରେ ଏହି ନୂଆ ଅଭିଯାନକୁ ତ୍ବରାନ୍ବିତ କରାଯିବ। ଏକ ଆକଳନ ଅନୁସାରେ, ଭୋପାଲରେ ଦିନକୁ ପ୍ରାୟ ପଚାଶ ଟନ୍‌ ଖାଦ୍ୟ ନଷ୍ଟ ହେଉଛି। ଏହି ଅଭିଯାନ ଦ୍ବାରା ବଳକା ଖାଦ୍ୟ ଆଉ ନଷ୍ଟ ହେବ ନାହିଁ ଏବ˚ ଭୋକିଲାଙ୍କ ପେଟ ପୂରିବ। ପୂର୍ବରୁ ଏହି ମହାନଗର ନିଗମ ପକ୍ଷରୁ ‘କିତାବ ଘର’ ଅଭିଯାନ ଆରମ୍ଭ ହୋଇଥିଲା ଏବ˚ ଏହାର ଅଭୂତପୂର୍ବ ସଫଳତା ପରେ ଏବେ ବଳକା ଖାଦ୍ୟ ସ˚ଗ୍ରହ ଓ ବଣ୍ଟନ ଅଭିଯାନ ପାଇଁ ଏହି ସଂସ୍ଥା ଅଣ୍ଟା ଭିଡ଼ିଛି। ‘କିତାବ ଘର’ ଅଭିଯାନରେ ସ˚ଗୃହୀତ ପ୍ରାୟ ଏକ ଲକ୍ଷ ପୁରୁଣା ବହିକୁ ନେଇ ସହରର ବିଭିନ୍ନ ସ୍ଥାନରେ ପାଞ୍ଚଟି ପାଠାଗାର ପ୍ରତିଷ୍ଠିତ। ସରକାରୀ ବିଦ୍ୟାଳୟଗୁଡ଼ିକୁ ଏଠାରୁ ପୁସ୍ତକ ଯୋଗାଇ ଦିଆଯାଉଛି ଏବ˚ ଛାତ୍ରଛାତ୍ରୀମାନେ ଉପକୃତ ହେଉଛନ୍ତି। ଉଲ୍ଲେଖଯୋଗ୍ୟ, କ୍ଷୁଧାର୍ତ୍ତ ତାଲିକା-୨୦୧୮ ଅନୁସାରେ ୧୧୯ ଦେଶ ମଧୢରୁ ଭାରତର ସ୍ଥାନ ୧୦୩। ପ୍ରତି ଦିନ ୧୯୪ ନିୟୁତ ଭାରତୀୟ ଭୋକିଲା ପେଟରେ ବିଛଣାକୁ ଯାଉଛନ୍ତି। ବର୍ଷକୁ ପ୍ରାୟ ୪୦ ପ୍ରତିଶତ ଖାଦ୍ୟ ନଷ୍ଟ ହେଉଛି, ଯାହାର ଗୋଟିଏ ଦିନର ମୂଲ୍ୟ ୨୪୪ କୋଟି ଟଙ୍କା। ତେଣୁ କ୍ଷୁଧା ଦୂରୀକରଣ ଦିଗରେ ଏହି ଛୋଟିଆ ପଦକ୍ଷେପ ନିଶ୍ଚିତ ଭାବେ ଉତ୍ସାହଜନକ।

ସମ୍ବନ୍ଧିତ ଖବର