ବିଶ୍ୱ ଐତିହ୍ୟ : ମାନସ ଜାତୀୟ ଉଦ୍ୟାନ

ଆସାମରେ ‘ମାନସ ଜାତୀୟ ଉଦ୍ୟାନ’ ଅବସ୍ଥିତ। ବ୍ରହ୍ମପୁତ୍ରର ଶାଖା ନଦୀ ମାନସ କୂଳରେ ଥିବାରୁ ଏହା ଏହି ପରି ନାମିତ। ୧ ଅକ୍‌ଟୋବର୍‌ ୧୯୨୮ରେ ଏହା ଅଭୟାରଣ୍ୟ ଘୋଷିତ ହୋଇଥିଲା। ୧୯୯୦‌ରେ ଜାତୀୟ ଉଦ୍ୟାନ ଏବଂ ତାହା ପୂର୍ବରୁ ୧୯୮୫ରେ ବିଶ୍ବ ଐତିହ୍ୟର ମାନ୍ୟତା ପାଇଥିଲା। ୧୯୯୨-୨୦୧୧ ଏହା ବିପଦ-ମୁହଁରେ ଥିବା ବିଶ୍ବ ଐତିହ୍ୟ ତାଲିକାଭୁକ୍ତ ଥିଲା। ଏହାର କାରଣ ଥିଲା ଅତ୍ୟଧିକ ଅବୈଧ ଶିକାର ଏବଂ ଆତଙ୍କବାଦୀଙ୍କ ଆଡ଼ା। ୨୦୧୧ ପରେ ପରିସ୍ଥିତି ବଦଳିଥିବା ଜଣାଯାଏ। ଏହା କ୍ରମଶଃ ସଂପ୍ରସାରିତ ହୋଇଚାଲିଥିବା ବନାଞ୍ଚଳ। ଏବେ ଏହାର କ୍ଷେତ୍ରଫଳ ୯୫୦ ବର୍ଗ କିଲୋମିଟର୍‌। ଏଠାରେ ବ୍ୟାଘ୍ର ଓ ହସ୍ତୀ ସଂରକ୍ଷଣ ପ୍ରକଳ୍ପ ଚାଲିଛି। ବନ୍ୟ ମହିଷ ପାଇଁ ଏହା ପ୍ରସିଦ୍ଧ। ଏହା ମଧ୍ୟ ବିଲୁପ୍ତି ମୁହଁରେ ଥିବା ପ୍ରାଣୀ ରୁଫ୍‌ଡ ଟର୍ଟଲ୍‌, ପିଗ୍‌ମି ହଗ୍‌, ହିସ୍‌ପିଡ୍‌ ହେଆର୍‌ ଓ ଗୋଲ୍‌ଡେନ୍‌ ଲାଙ୍ଗୁର୍‌ର ବାସସ୍ଥାନ। ଏହାର ଅଭ୍ୟନ୍ତରୀଣ ଅଞ୍ଚଳରେ ୫୪୩ ପ୍ରଜାତିର ବୃକ୍ଷ-ଲତା ଦେଖିବାକୁ ମିଳେ। ଏହା ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୫୦ ପ୍ରଜାତିର ସରୀସୃପ, ୩ ପ୍ରଜାତିର ଉଭୟଚର ଏବଂ ୩୮୦ ପ୍ରଜାତିର ପକ୍ଷୀଙ୍କ ବାସସ୍ଥାନ। ଏହା ଭିତରେ ମାତ୍ର ଗୋଟିଏ ଗ୍ରାମ ଅବସ୍ଥିତ।

ସମ୍ବନ୍ଧିତ ଖବର