ପୁରୀ ବାହାରେ ସର୍ବପୁରାତନ ରଥଯାତ୍ରା

ଅନୀଲ ଧୀର

ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ସମ୍ପର୍କରେ ସମସ୍ତେ ଜାଣନ୍ତି। ତେବେ, ଦେଶର ବିଭିନ୍ନ ପ୍ରାନ୍ତରରେ ଅତ୍ୟନ୍ତ ଧାର୍ମିକ ଉଚ୍ଛ୍ବାସ ମଧ୍ୟରେ ରଥଯାତ୍ରା ପାଳିତ ହୋଇଆସୁଛି। ଏମିତି ସ୍ଥାନ ରହିଛି ଯେଉଁଠି କେଉଁକାଳରୁ ରଥଯାତ୍ରା ହୋଇଆସୁଛି। ପୁରୀ ପରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଅନ୍ତର୍ଗତ ସେରାମପୁରସ୍ଥିତ ମହେଶ ମନ୍ଦିରଠାରେ ହେଉଥିବା ରଥଯାତ୍ରା ବହୁ ପୁରୁଣା। ପୁରୀ ବାହାରେ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଏକ ପ୍ରମୁଖ ଧର୍ମସ୍ଥଳୀ। ୧୩୯୬ ମସିହାଠାରୁ ନିୟମିତ ଭାବେ ଏଠାରେ ପରମ୍ପରାଗତ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ଏବଂ ଚଳିତବର୍ଷ ହେଉଛି ୬୨୪ତମ ରଥୋତ୍ସବ।

ଏହି ରଥଯାତ୍ରା ସୂଚିତ କରୁଛି ଯେ, ଚୈତନ୍ୟ ମହାପ୍ରଭୁଙ୍କ ଐତିହାସିକ ତୀର୍ଥଯାତ୍ରା ବହୁ ପୂର୍ବରୁ ବେଙ୍ଗଲରେ ପ୍ରଭୁ ଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଉଥିଲା। ପ୍ରକୃତରେ, ଶ୍ରୀ ଚୈତନ୍ୟ ମହେଶ ମନ୍ଦିର ପରିଭ୍ରମଣରେ ଆସିଥିଲେ ଏବଂ ନିଜ ଶିଷ୍ୟ କମଲାକାର ପିପ୍‌ଲାଇଙ୍କୁ ମନ୍ଦିରର ପ୍ରଧାନ ପୂଜକ ଭାବେ ଦାୟିତ୍ବ ଦେଇଥିଲେ ଏବଂ ଏହି ସ୍ଥାନକୁ ସେ ‘ନବ ନୀଳାଚଳ’ ଭାବେ ଅଭିହିତ କରିଥିଲେ, ଯାହାର ଅର୍ଥ ହେଉଛି ‘ନୂଆ ପୁରୀ’। ଜଗନ୍ନାଥ ସଂସ୍କୃତିର ଅନ୍ୟ କିଂବଦନ୍ତୀଙ୍କ ଭଳି ମହେଶ ମନ୍ଦିରର କାହାଣୀ ମଧ୍ୟ ଆକର୍ଷଣୀୟ ଅଟେ। କିଂବଦନ୍ତୀ ଅନୁଯାୟୀ, ବଙ୍ଗଳାର ଜଣେ ସାଧୁ ଦ୍ରୁବାନନ୍ଦ ବ୍ରହ୍ମଚାରୀ ପୁରୀକୁ ତୀର୍ଥ କରିବାକୁ ଆସିଥିଲେ। ପୁରୀର ପଣ୍ଡାମାନେ ତାଙ୍କ ପରିଚୟ ପତ୍ର ଉପରେ ସନ୍ଦେହ କରି ପ୍ରଭୁଙ୍କୁ ସିଧାସଳଖ ‘ଭୋଗ’ ଅର୍ପଣ କରାଇବାରୁ ନିବୃତ କରାଇଥିଲେ। ଅତ୍ୟନ୍ତ ଭଗ୍ନ ହୃଦୟରେ ଦ୍ରୁବାନନ୍ଦ ମୃତ୍ୟୁ ପର୍ଯ୍ୟନ୍ତ ଉପବାସ କରିବାକୁ ସ୍ଥିର କରିଥିଲେ। ତୃତୀୟ ଦିନରେ ସେ ତାଙ୍କ ସ୍ବପ୍ନରେ ପ୍ରଭୁଙ୍କ ସ୍ବର ଶୁଣିଥିଲେ, ‘ଦ୍ରବାନନ୍ଦ ବଙ୍ଗଳାକୁ ଫେରିଯାଅ। ଭାଗିରଥୀ କୂଳରେ ତମେ ମହେଶ ନାମକ ଏକ ସ୍ଥାନ ପାଇବ। ସେଠାରେ ମୁଁ ତୁମକୁ ବିରାଟ ଦାରୁ-ବ୍ରହ୍ମ ପଠାଇବି। ଏଥିରେ ତମେ ତିନି ଠାକୁର ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ପ୍ରତିମା ତିଆରି କରିବ।’ ମହେଶକୁ ଫେରି ଆସି ଦ୍ରୁବାନନ୍ଦ ନିଜର ସାଧନା ଆରମ୍ଭ କଲେ। କିଛିମାସ ପରେ ଏକ ଝଡ଼ତୋଫାନ ରାତିରେ , ଦାରୁବ୍ରହ୍ମ ନଦୀରେ ଭାସୁଥିବାର ଦେଖାଗଲା। ଦ୍ରୁବାନନ୍ଦ ପାଣି ଭିତରକୁ ଡେଇଁ ପଡ଼ିଲେ ଏବଂ ଏକ ଛୋଟ ମନ୍ଦିରରେ ମୂର୍ତ୍ତିଗୁଡ଼ିକୁ ସ୍ଥାପିତ କଲେ। ଆଜି ପର୍ଯ୍ୟନ୍ତ ବି ସେହି ମୂର୍ତ୍ତି ରହିଛି।

ବର୍ତ୍ତମାନ ମହେଶ ମନ୍ଦିର ପୁରାତନ ଧ୍ବଂସାବଶେଷ ଉପରେ ନିର୍ମିତ। ୧୭୫୫ ମସିହାରେ ଏହା ପଥୁରିଆଘାଟାର ଜଣେ ଭକ୍ତ ନୟନଚାନ୍ଦ ମଲ୍ଲିକଙ୍କ ଦ୍ବାରା ନିର୍ମିତ ହୋଇଛି। ମନ୍ଦିରରେ ଦୁଇଟି ସେଟ୍ ପ୍ରତିମା ରହିଛି। ମୂଳ ୬୦୦ ବର୍ଷ ପୁରୁଣା ଚିତ୍ରଗୁଡ଼ିକ ରଥଯାତ୍ରା ସମୟରେ ବାହାରକୁ ନିଆଯାଏ ନାହିଁ, ଅନ୍ୟ ପ୍ରତିମା ବ୍ୟବହୃତ ହୁଏ। ମହେଶ ମନ୍ଦିରରେ ଥିବା ପ୍ରତିମାଗୁଡ଼ିକର ନବେକଳେବର କରାଯାଏ ନାହିଁ। ତେବେ, ପ୍ରତି ୧୨ ବର୍ଷରେ ‘ଅଙ୍ଗରାଗ’ ବା ‘ପୁନଃଅଭିଷେକ’ କରିବାର ପରମ୍ପରା ରହିଛି। ସ୍ନାନଯାତ୍ରାର ଦୁଇଦିନ ଏବଂ ରଥଯାତ୍ରାର ଦୁଇ ସପ୍ତାହ ପୂର୍ବରୁ ‘ଅଙ୍ଗରାଗ’ ସମାରୋହ ଅନୁଷ୍ଠିତ ହୋଇଥାଏ।

ପୁରୀର ପଣ୍ଡାଙ୍କ ଭଳି ମନ୍ଦିରରେ ପୁରୋହିତମାନେ ବଂଶାନୁକ୍ରମିକ ପୂଜା କରି ଆସୁଛନ୍ତି। ଏଠାରେ ଥିବ ସେବାୟତଙ୍କୁ ‘ଅଧିକାରୀ’ କୁହାଯାଏ। ମହେଶ ରଥଯାତ୍ରା ଏବଂ ପୁରୀ ରଥଯାତ୍ରା ମଧ୍ୟରେ ପାର୍ଥକ୍ୟ ହେଉଛି ଏଠାରେ ଗୋଟିଏ ସ୍ଥାୟୀ ରଥ ବ୍ୟବହାର କରାଯାଇଥାଏ। ୧୭୯୭ ମସିହାରେ କୃଷ୍ଣାରାମ ବସୁ ପ୍ରତିବର୍ଷ ରଥଯାତ୍ରା ପାଇଁ ଏକ ବଡ଼ରଥ ଦାନ କରିଥିଲେ। ତେବେ, ଏହି ରଥ କିଛିବର୍ଷ ପରେ ଜଳିଗଲା। ପରବର୍ତ୍ତୀ ୫୦ ବର୍ଷ ମଧ୍ୟରେ ଆଉ ଦୁଇଟି ରଥ ସମାନ ଭାଗ୍ୟର ସମ୍ମୁଖୀନ ହୋଇଥିଲେ। ୧୮୮୫ ମସିହାରେ ହିଁ ବର୍ତ୍ତମାନର ରଥ ମାର୍ଟିନ ବର୍ଣ୍ଣ କମ୍ପାନି ଦ୍ବାରା ଦେୱାନ କୃଷ୍ଣଚନ୍ଦ୍ରଙ୍କ ପୃଷ୍ଠପୋଷକତାରେ ନିର୍ମାଣ କରାଯାଇଥିଲା। ଏହି ରଥ ଚାରିମହଲା ବିଶିଷ୍ଟ, ୫୦ ଫୁଟ ଉଚ୍ଚ ଏବଂ ଲୁହା ଓ କାଠରେ ନିର୍ମିତ ଏହାର ୧୨ଟି ଚକ ରହିଛି। ଓଜନ ହେଉଛି ୧୨୫ ଟନ୍। ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଜଗନ୍ନାଥ ରାଜା ଭାବେ ଶପଥ ଗ୍ରହଣ କରନ୍ତି। ପୂର୍ବଦିନ ଜଗନ୍ନାଥଙ୍କ ମୂର୍ତ୍ତି ରଥର ସର୍ବୋଚ୍ଚ ମହଲା ଉପରେ ରଖାଯାଇଥାଏ। ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ମଧ୍ୟ ରଖାଯାଏ।

ଏଠାରେ ସପ୍ତାହ ବ୍ୟାପି ରଥଯାତ୍ରା ପାଳିତ ହୁଏ ଏବଂ ଏଥିରେ ପାଖାପାଖି ୫ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ବଙ୍ଗଳାର ଦୁଇ ଅନ୍ୟ ରଥଯାତ୍ରା ଗୁପ୍ତିପାରା ଓ ଧାମରାଇର ମଧ୍ୟ ସେମାନଙ୍କର ସ୍ବତନ୍ତ୍ରତା ପାଇଁ ପ୍ରସିଦ୍ଧ।

(ଲେଖକଙ୍କ ଆଗାମୀ ପୁସ୍ତକ Old Jagannath Sadakର ଉଦ୍ଧୃତାଂଶ)

ସମ୍ବନ୍ଧିତ ଖବର