ଶାଶୂଘରେ ଅତ୍ୟାଚାର ସହି ବି ଚଳାଇଥିଲେ ପ୍ରସ୍ତୁତି, ଏବେ ହେବେ ଆଇଏଏସ୍ ଅଫିସର

ନୂଆଦିଲ୍ଲୀ: ଆଇଏଏସ୍ ଅଫିସର ହେବା ଲକ୍ଷ୍ୟ ଥିଲା, ଆଉ ସେଥିପାଇଁ ପଢାପଢି କରୁଥିଲେ | ତେବେ ବିବାହ ହୋଇଯିବାରୁ ଶାଶୂଘରେ ଏହି ପ୍ରୟାସ ଜାରି ରଖିବାର ସ୍ୱପ୍ନ ଦେଖିଥିଲେ | ସେଠାରେ କିଛିଦିନ ଭଲରେ ବିତିବା ପରେ ଆରମ୍ଭ ହୋଇଥିଲା ନିର୍ଯାତନା | ସ୍ୱାମୀ, ଶାଶୁ ଓ ଶ୍ୱଶୁର ବାପ ଘରୁ ଯୌତୁକ ଆଣିବାକୁ ମାନସିକ ସହ ଶାରୀରିକ ନିର୍ଯାତନା ଦେଇଥିଲେ | କୋଳକୁ ଯେତେବେଳେ ଶିଶୁଟିଏ ଆସିଥିଲା, ସେ ଭାବିଥିଲେ ଆଉ ଅତ୍ୟାଚାର ହେବ ନାହିଁ | କିନ୍ତୁ ଯୌତୁକ ନିଶା ଲାଗିଥିବା ଶାଶୂଘର ଲୋକ ଅତ୍ୟାଚାର ଦେଇଚାଲିଥିଲେ | ଶେଷରେ ନିରାଶ ହୋଇ ସେ ନିଜ କୁନି ଝିଅକୁ ଧରି ବାପଘରକୁ ଚାଲିଆସିଥିଲେ |

ସ୍ୱାମୀଙ୍କ ସହାୟତା ବିନା ନିଜ ଗୋଡ଼ରେ ଛିଡା ହେବାର ସଂକଳ୍ପ ନେଇ ସେ ଆଗକୁ ବଢ଼ିଥିଲେ | ଆଜି ଆମେ ଆପଣଙ୍କୁ ଉତ୍ତରପ୍ରଦେଶ ହାପୁଡର ଶିବାଙ୍ଗୀ ଗୋୟଲଙ୍କ ବାବଦରେ କହିବୁ, ଯିଏ ଗତକାଲି ପ୍ରକାଶିତ ହୋଇଥିବା ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୧୭୭ ରାଙ୍କ ପାଇଛନ୍ତି | ଶିବାଙ୍ଗିଙ୍କ ଲଢେଇ ଖୁବ୍ ପ୍ରେରଣାଦାୟୀ। ଯେତେବେଳେ ତାଙ୍କୁ ଶାଶୂଘରୁ ବାହାର କରିଦିଆଗଲା, ସେ ବାପଘରକୁ ଆସି ଶାଶୂଘର ବିରୋଧରେ ମାମଲା ରୁଜୁ କରିଥିଲେ | ଅଦାଲତରେ କେସ ଚାଲିଥିଲା ଓ ବାରମ୍ବାର ସେ କୋର୍ଟକୁ ଧାଉଁଥିଲେ | କୋର୍ଟକୁ ଧାଇଁବା ସହ ନିଜ ଲକ୍ଷ୍ୟ ପୂରଣ ପାଇଁ ପଢାପଢି ମଧ୍ୟ ଜାରି ରଖିଥିଲେ | ଆଉ ଏବେ ସେ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଏଏସ୍ ଅଫିସର ହେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି |

ଏହି ସଫଳତାର ଶ୍ରେୟ ମୁଁ ମୋ ବାପା, ମା ଓ ଝିଅକୁ ଦେବାକୁ ଚାଁହୁଛି | ଯେଉଁମାନେ କି ମୋର କଠିନ ପରିସ୍ଥିତି ସମୟରେ ମୋ ସହ ଛିଡା ହୋଇଥିଲେ: ଶିବାଙ୍ଗୀ |

ଶିବାଙ୍ଗୀ କହିଛନ୍ତି,’ଯେଉଁ ମହିଳାମାନଙ୍କୁ ଶାଶୂଘରେ ଅତ୍ୟାଚାର କରାଯାଉଛି, ମୁଁ ସେହି ମହିଳାମାନଙ୍କୁ କହିବାକୁ ଚାଁହୁଛି ଯେ, ଯଦି ଆପଣଙ୍କ ସହ କିଛି ବି ଭୁଲ ହେଉଛି ନିରବରେ ସହି ଯାଆନ୍ତୁ ନାହିଁ | ମହିଳାଟିଏ ଚାହିଁଲେ ଅନେକ କିଛି କରିପାରିବ | ନିଜ ଗୋଡ଼ରେ ନିଜେ ଛିଡା ହୋଇ ପରିଶ୍ରମ କରନ୍ତୁ ଓ ଲକ୍ଷ୍ୟ ପୂରଣ କରନ୍ତୁ’ |

ସମ୍ବନ୍ଧିତ ଖବର