ଚାଲିରୁ ଉତ୍ପନ୍ନ ହେଉଛି ବିଜୁଳି

ପୃଥିବୀରେ ଗଚ୍ଛିତ ଥିବା ପାରମ୍ପରିକ ଶକ୍ତିର ଉତ୍ସ ଦିନକୁ ଦିନ ସରି ଆସୁଥିବାରୁ ବୈଜ୍ଞାନିକମାନେ ଅଣପାରମ୍ପରିକ ବା ନବୀକରଣକ୍ଷଣ ଶକ୍ତି ଉପରେ ଗୁରୁତ୍ବାରୋପ କରି ଆସୁଛନ୍ତି। ସେହି କ୍ରମରେ ସୌର ଶକ୍ତି, ପବନ ଶକ୍ତି ଓ ଜୁଆର ଶକ୍ତି ଆଦି ଅସରନ୍ତି ଉତ୍ସର ବହୁଳ ବ୍ୟବହାର ଏବେ ଦେଖିବାକୁ ମିଳୁଛି। ତେବେ ୟୁନାଇଟେଡ୍‌ କିଙ୍ଗଡମ୍‌ର ସ୍ରୋପସାୟାର ଠାରେ ଏକ ଅଭିନବ ଉପାୟରେ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରାଯାଉଛି। ସେଠାରେ ଏକ ପାଦଚଲା ରାସ୍ତାରେ ପଦାତିକମାନେ ଚାଲି ଚାଲି ଯିବା ଅବସରରେ ବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ କରାଯାଉଛି।

ଶକ୍ତିର ମୂଳ ନିୟମ ‘ଏହାର ସୃଷ୍ଟି ନାହିଁ କି ବିଲୟ ନାହିଁ; ଏହା କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ’ ଭିତ୍ତିରେ ଲୋକେ ଚାଲିବା ଦ୍ବାରା ସେମାନଙ୍କ ପାଦର ଗତିରୁ ବାହାରୁଥିବା ଗତିଜ ଶକ୍ତିକୁ ଏହି ଅତ୍ୟାଧୁନିକ ରାସ୍ତାରେ ବିଦ୍ୟୁତ୍‌ ଶକ୍ତିରେ ରୂପାନ୍ତରିତ କରାଯାଉଛି। ଟେଲଫୋର୍ଡ ରେଳୱେ ଷ୍ଟେସନରୁ ବାହାରିଲା ପରେ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଏହି ୬ ମିଟର ଦୀର୍ଘ ପାଦଚଲା ରାସ୍ତାଟିକୁ ସ୍ବତନ୍ତ୍ର ଶୈଳୀରେ ନିର୍ମାଣ କରାଯାଇଛି। ରବର ଟାଇଲ୍‌ ଓ ଷ୍ଟେନ୍‌ଲେସ ଷ୍ଟିଲ୍‌ରେ ନିର୍ମିତ ଏହି ରାସ୍ତାର ତଳେ ବିଦ୍ୟୁତ୍‌ ଚୁମ୍ବକୀୟ ଜେନେରେଟର ସବୁ ଖଞ୍ଜାଯାଇଛି ଯାହା ଦ୍ବାରା ୨.୧ ଵାଟ୍‌ର ବିଦ୍ୟୁତ୍‌ଶକ୍ତି ଉତ୍ପନ୍ନ କରାଯାଇପାରୁଛି। ଆଗରୁ ଦୁବାଇ, ମିଲାନ, ହଂକଂ ଆଦି ସହରରେ ମଧ୍ୟ ଏ ପ୍ରକାର ବିଦ୍ୟୁତ୍‌ ଉତ୍ପନ୍ନକାରୀ ପାଦଚଲା ରାସ୍ତା ସ୍ଥାପନ ହୋଇ ସଫଳତା ଲାଭ କରିଛି। ଏପରି ଶକ୍ତିକେନ୍ଦ୍ରର ଅବଦାନ ବ୍ୟାବସାୟିକ ବ୍ୟବହାର ପାଇଁ ନଗଣ୍ୟ ହେଲେ ମଧ୍ୟ ଏହା ସବୁଜ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହିତ କରୁଛି।

ସମ୍ବନ୍ଧିତ ଖବର