ଇଣ୍ଡିଜ୍‌ ବିପକ୍ଷ‌ରେ ନ୍ୟୁଜିଲାଣ୍ଡର ପାଳି ବିଜୟ

ୱିଲିୟମସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି

ହାମିଲଟନ୍‌ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ଘରୋଇ ନ୍ୟୁଜିଲାଣ୍ଡ୍‌ ଏକ ପାଳି ଓ ୧୩୪ ରନ୍‌ ବ୍ୟବଧାନରେ ଜିତି ନେଇଛି। ଏଥି ସହ ଟେଷ୍ଟ୍ ଚାମ୍ପିୟନସିପ୍‌ ଅନ୍ତର୍ଗତ ଏହି ମ୍ୟାଚ୍‌ରୁ କେନ୍‌ ୱିଲିୟମ୍‌ସନ୍‌ଙ୍କ ଦଳ ୬୦ ପଏଣ୍ଟ୍‌ ପକେଟସ୍ଥ କରି ନେଇଛି। ମ୍ୟାଚ୍‌ର ତୃତୀୟ ଦିନରୁ ହିଁ ୱେଷ୍ଟଇଣ୍ଡିଜ୍‌ର ପରାଜୟ ନିଶ୍ଚିତ ହୋଇସାରିଥିଲା। ଫଲୋଅନ୍ ପରେ ଶୁକ୍ରବାର ସୁଦ୍ଧା ୧୯୬ ରନ୍‌ରେ ୬ ୱିକେଟ୍ ହରାଇ ସାରିଥିଲା ଭ୍ରମଣକାରୀ ଦଳ। ରବିବାର ସକାଳେ ୧୬.୫ ଓଭର ଖେଳି ଅବଶିଷ୍ଟ ୪ ୱିକେଟ୍ ହରାଇବାରୁ ସାଢ଼େ ୩ ଦିନ ଭିତରେ ମ୍ୟାଚ୍‌ ଶେଷ ହୋଇଯାଇଥିଲା। ବ୍ୟକ୍ତିଗତ ଶ୍ରେଷ୍ଠ ଦ୍ବିଶତକୀୟ ପାଳି ଖେଳିଥିବା କେନ୍‌ ୱିଲିୟମସନ୍‌ (୨୫୧) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ନ୍ୟୁଜିଲାଣ୍ଡର ୫୧୯ ରନ୍ ଜବାବରେ ଶନିବାର ୱେଷ୍ଟଇଣ୍ଡିଜ୍‌ ପ୍ରଥମ ପାଳିରେ ମାତ୍ର ୧୩୮ ରନ୍ କରିବାରୁ ଫଲୋଅନ୍ ଡାକରା ପାଇଥିଲା। ଦ୍ବିତୀୟ ପାଳିରେ ଲଢ଼ିବା ପରିବର୍ତେ ୮୯/୬ରେ ଆତ୍ମସମର୍ପଣ କରିଥିଲା। ତୃତୀୟ ଦିନ ଅପରାହ୍ନ ଏବଂ ଚତୁର୍ଥ ଦିନ ସକାଳ ପର୍ଯ୍ୟନ୍ତ ଲଢ଼େଇ କରି ଜର୍ମାଇନ୍ ବ୍ଲାକଉଡ୍ (୧୦୪, ୧୪୧ ବଲ, ୧୧‌ ଚୌକା, ୨ ଛକା) ଏବଂ ଅଲଜାରି ଯୋସେଫ୍ (୮୬, ୧୨୫ ବଲ, ୯ ଚୌକା, ୩ ଛକା) ସପ୍ତମ ୱିକେଟ୍‌ ପାଇଁ ୧୫୫ ରନ୍ ଯୋଡ଼ି କେବଳ ସମ୍ମାନ ରଖିଥିଲେ। ତଥାପି ପାଳି ପରାଜୟ ଏଡ଼ାଇ ପାରିନଥିଲେ। ବ୍ଲାକଉଡ୍‌ ନିଜ ୩୨ତମ ଟେଷ୍ଟରେ ଦ୍ବିତୀୟ ଶତକ ହାସଲ କରିଥିଲେ। ଯୋସେଫ୍‌ ନିଜ ପ୍ରଥମ ଟେଷ୍ଟ୍ ଅର୍ଧଶତକ ହାସଲ କରିଥିଲେ ମଧ୍ୟ ଏହାକୁ ଶତକରେ ରୂପାନ୍ତରିତ କରିବାର ସୁଯୋଗ ହାତଛଡ଼ା କରିଥିଲେ। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଉଭୟ ପାଳିରୁ ନିଲ୍ ୱାଗନର୍‌ ୬, ଟିମ୍ ସାଉଦି ୫, କାଏଲ୍‌ ଜାମିସନ୍‌ ୪ ୱିକେଟ୍ ଦଖଲ କରି ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ନ୍ୟୁଜିଲାଣ୍ଡ୍‌ ୫୧୯/୭, ଘୋଷିତ: (କେନ୍‌ ୱିଲିୟମ୍‌ସନ୍‌-୨୫୧, କେମାର ରୋଚ୍‌-୩/୧୧୪, ସାନନ୍‌ ଗାବ୍ରିଏଲ୍‌-୩/୮୯)। ୱେଷ୍ଟଇଣ୍ଡିଜ୍‌: ୧୩୮ (ଜନ୍‌ କାମ୍ପବେଲ୍‌-୨୬, ଜାସନ୍‌ ହୋଲ୍‌ଡର-୨୫*, ଟିମ୍‌ ସାଉଦି-୪/୩୫, କାଇଲ୍ ଜାମିସନ୍‌-୨/୨୫, ନିଲ୍‌ ୱାଗ୍‌ନର-୨/୩୩) ଏବଂ ୨୪୭ (ଜର୍ମାଇନ୍‌ ବ୍ଲାକ୍‌ଉଡ୍‌-୧୦୪, ଅଲଜାରି ଯୋସେଫ୍‌-୮୬, ନିଲ୍‌ ୱାଗ୍‌ନର-୪/୬୬, କାଇଲ୍ ଜାମିସନ୍‌-୨/୪୨)।

ଡାରିଲ ମିଚେଲଙ୍କୁ ଜରିମାନା
ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ୍‌ରେ ଆଇସିସି ଆଚରଣ ବିଧି ଉଲଂଘନ ଅଭିଯୋଗରେ ନ୍ୟୁଜିଲାଣ୍ଡ୍‌ ଖେଳାଳି ଡାରିଲ ମିଚେଲ ଦଣ୍ଡିତ ହୋଇଛନ୍ତି। ତାଙ୍କ ଉପରେ ମ୍ୟାଚ୍‌ ପାଉଣା ୧୫ ପ୍ରତିଶତ ଜରିମାନା ଲଦି ଦିଆଯାଇଛି। ୨୯ ବର୍ଷ ବୟସ୍କ ମିଚେଲ ମ୍ୟାଚ୍‌ ବେଳେ ଅଶ୍ଲିଳ ଶବ୍ଦ ବ୍ୟବହାର କରିଥିଲେ। ଇଣ୍ଡିଜ୍‌ ଦଳର ଜାସନ୍‌ ହୋଲ୍‌ଡର ୱିକେଟ୍‌ ମଝିରେ ଦୌଡ଼ୁଥିଲା ବେଳେ ତାଙ୍କ ନିକଟତର ହୋଇ ମିଚେଲ ଏଭଳି ଅପପ୍ରୟୋଗ କରିଥିଲେ। ଏକ ଆନ୍ତର୍ଜାତିକ ମ୍ୟାଚ୍‌ରେ ଏଭଳି ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଆଇସିସି ବିବୃତି ଜାରି କରିଛି। ଜରିମାନା ବ୍ୟତୀତ ମିଚେଲଙ୍କ ଉପରେ ମଧ୍ୟ ଗୋଟିଏ ବିଯୁକ୍ତ (ଡିମେରିଟ୍‌) ପଏଣ୍ଟ୍‌ ଲଦି ଦିଆଯାଇଛି। ଏହାକୁ ମିଚେଲ ଗ୍ରହଣ କରିନେଇଥିବାରୁ ଆଉ ବିଦ୍ଧିବଦ୍ଧ ଶୁଣାଣିର ଆବଶ୍ୟକ ପଡ଼ିନଥିଲା।

ସମ୍ବନ୍ଧିତ ଖବର