ବତ୍ସଳଙ୍କ ୩୦୨*, ଅଶ୍ବିନଙ୍କ ୨୦୩ : କେରଳ ୬୫୧/୫ରେ ଘୋଷଣା

୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି

ସମ୍ବଲପୁର: ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ୍‌ରେ ଚାଲିଥିବା ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିପକ୍ଷରେ କେରଳ ଅଧିନାୟକ ବତ୍ସଲ ଗୋବିନ୍ଦ ଶର୍ମା ଅପରାଜିତ ୩୦୨ ରନ୍‌ ସ୍କୋର କରିଛନ୍ତି। ଅନ୍ୟତମ ବ୍ୟାଟ୍‌ସମ୍ୟାନ୍‌ ଅଶ୍ବିନ ଆ‌ନନ୍ଦ ୨୦୩ ରନ୍ କରିଥିଲେ। ଉଭୟ ଚତୁର୍ଥ ୱିକେଟ୍‌ରେ ୩୪୭ ରନ୍‌ ଯୋଡ଼ିଛନ୍ତି। ସେମାନଙ୍କ ବିଶାଳ ଭାଗୀଦାରି ବଳରେ କେରଳ ଦ୍ବିତୀୟ ଦିନରେ ୬୫୧/୫ର ବିଶାଳ ସ୍କୋର କରି ପାଳି ଘୋଷଣା କରିଛି। ଓଡ଼ିଶା ବୋଲରଙ୍କ ମଧ୍ୟରୁ ବିଶ୍ବଜିତ ମଲ୍ଲିକ ୩/୧୬୫ ଏବଂ ଶେଖର ମାଝୀ ୨/୧୨୦ଙ୍କ ବ୍ୟତୀତ ଅନ୍ୟ କାହାକୁ ୱିକେଟ୍‌ ମିଳି ନାହିଁ। ଜବାବରେ ଓଡ଼ିଶା ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୧ ୱିକେଟ୍‌ ହରାଇ ୬୨ ରନ୍ କରିଛି। ସ୍ବସ୍ତିକ ସାମଲ (୩୨) ଆଉଟ୍‌ ହୋଇଥିବା ବେଳେ ମିତ୍ରଭାନୁ ପଣ୍ଡା (୧୦*) ଏବଂ ଅଧିନାୟକ ରଘୁନାଥ ମଲ୍ଲ (୧୮*) ଅପରାଜିତ ଅଛନ୍ତି।
ସୋମବାର ପ୍ରଥମ ଦିନରୁ ଶତକ ହାସଲ କରି ଅପରାଜିତ ଥିବା କେରଳ ଯୋଡ଼ି ବତ୍ସଳ ଏବଂ ଅଶ୍ବିନ ମଙ୍ଗଳବାର ଭିଏସ୍‌ଏସ୍‌ରେ ରନ୍‌ ବର୍ଷା କରିଥିଲେ। ସେମାନେ ଦ୍ରୁତ ରନ୍‌ ସଂଗ୍ରହ କରି ଦ୍ବିତୀୟ ଦିନ ପ୍ରଥମ ଅଧିବେଶନରେ ୧୬୨ ରନ୍ ଯୋଡ଼ିଥିଲେ। ତେବେ ଭୋଜନ ବିରତି ପୂର୍ବରୁ ବିଶ୍ବଜିତ ଯୋଡ଼ି ଭାଙ୍ଗିଥିଲେ। ଅଶ୍ବିନ ନିଜ ଦ୍ବିଶତକ ହାସଲ ପରେ ଆଉଟ୍‌ ହୋଇ ଯାଇଥିଲେ। ହେଲେ ବତ୍ସଳ ପରବର୍ତ୍ତୀ ଦୁଇ ବ୍ୟାଟ୍‌ସମ୍ୟାନ୍‌ ଅକ୍ଷୟ ମନୋହର (୬୫) ଏବଂ ନିଖିଲ ମୁରଲୀଧରନ (୨୧)ଙ୍କ ସହ ମିଶି ଦଳ ପାଇଁ ହିମାଳୟ ସ୍କୋର ଛିଡ଼ା କରିଥିଲେ। ସେ ବ୍ୟକ୍ତିଗତଭାବେ ୧୦ ଘଣ୍ଟାରୁ ଅଧିକ କ୍ରିଜ୍‌ରେ ରହି ୪୫୯ ବଲ୍‌ର ସାମ୍‌ନା କରି ୩୨ ଚୌକା, ୨ ଛକା ବଳରେ ୩୦୨ ରନ୍ କରିଥିଲେ। ସେ ଶତକ ପୂରା କରିବା ମାତ୍ରେ କେରଳ ପାଳି ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର