ଆଜିଠୁ ୧୦ ଦଳୀୟ ଆଇପିଏଲ୍‌ ରୋମାଞ୍ଚ

ମୁମ୍ବାଇ: ବିଗତ ଦୁଇ ବର୍ଷ ହେଲା ଆଶା ଓ ଆଶଙ୍କା ଭିତରେ ଖେଳାଯାଇଥିବା ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ୨୦୧୧ ମସିହା ପରେ ପୁଣି ଥରେ ୧୦ ଦଳକୁ ନେଇ ଏହି ଫଟାଫଟ୍‌ କ୍ରିକେଟ୍‌ର ରୋମାଞ୍ଚ ଫେରିବାକୁ ଯାଉଛି। ଦୁଇ ନୂଆ ଫ୍ରାଞ୍ଚାଇଜ୍‌ ଲକ୍ଷ୍ନୌ ସୁପର୍‌ଜ୍ୟାଣ୍ଟ୍ସ ଓ ଗୁଜରାଟ ଟାଇଟାନ୍ସର ପ୍ରବେଶ ହେବ ଏ ବର୍ଷ। କୋଭିଡ୍‌ ପରିସ୍ଥିତି ଏବେ ଦେଶରେ ନିୟନ୍ତ୍ରଣରେ ଥିବାରୁ ଏବଂ ଆଇପିଏଲ୍‌ ଭାରତକୁ ଫେରିଥିବାରୁ ବିସିସିଆଇ ବଡ଼ପଣ୍ଡାମାନେ ମଧ୍ୟ ଖୁସି ଅଛନ୍ତି। ତଥାପି ୨୫ ପ୍ରତିଶତ ଦର୍ଶକରେ ମ୍ୟାଚ୍‌ ଖେଳାଯିବ।

୧୦ ଦଳୀୟ ପ୍ରତିଯୋଗିତା ହୋଇଥିବାରୁ ମ୍ୟାଚ୍‌ ସଂଖ୍ୟା ମଧ୍ୟ ୬୦ରୁ ୭୪କୁ ବୃଦ୍ଧି ପାଇଛି। ତେବେ ପ୍ରତ୍ୟେକ ‌ଦଳ ମୋଟ ୧୪‌ ଲେଖାଏଁ ମ୍ୟାଚ୍‌ ଖେଳିବାର ଥିବାରୁ ଖେଳାଳିମାନେ କେତେ ଗଭୀର ଓ ଗମ୍ଭୀରତାର ସହ ଏହି ଅଢ଼େଇ ମାସ ଲଢ଼ିବେ ସମୟ କହିବ। ତେବେ ମହାରାଷ୍ଟ୍ରର ୪ଟି ଭେନ୍ୟୁରେ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଏଥର ବିମାନଯାତ୍ରାର ଆବଶ୍ୟକତା ପଡ଼ିବନି। ମୁମ୍ବାଇର ୩ ଓ ପୁନେର ଗୋଟିଏ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଖେଳାଯିବ। କ୍ୟୁରେଟରଙ୍କ ପାଇଁ ଏହା ଆହ୍ବାନ ଭରା ଥିଲେ ମଧ୍ୟ ପ୍ରତିଯୋଗିତାର ପ୍ରଥମ ଭାଗ ନିଶ୍ଚିତ ହାଇସ୍କୋରିଂ ମ୍ୟାଚ୍‌ ହେବ ବୋଲି ବିଶ୍ବାସ ରହିଛି।

ମୁମ୍ବାଇର ୱାଙ୍ଖ୍‌ଡେ, ସିସିଆଇ ଓ ଡିୱାଇ ପାଟିଲ୍‌ ପିଚ୍‌ରେ ଲାଲ୍ ମାଟିରୁ ବାଉଁସ୍‌ ଏବଂ ପୁ‌‌ଣେ ପିଚ୍‌ କଳା ମାଟିରେ ନିର୍ମିତ ଥିବାରୁ ଅଧିକ ଟର୍ଣ୍ଣ ଦେବାର ଆଶା କରାଯାଉଛି। ଶନିବାର ଉଦ୍‌ଘାଟନୀ ମ୍ୟାଚ୍‌ ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସ ଓ ଉପ ବିଜେତା କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ। ଭାରତୀୟ ସମୟ ସଂଧ୍ୟା ୭.୩୦ରୁ ଏହି ମ୍ୟାଚ୍‌ ଆରମ୍ଭ‌ ହେବ। ଏହି ମ୍ୟାଚ୍‌ରୁ ଦୁଇ ନୂଆ ଅଧିନାୟକ ରବୀନ୍ଦ୍ର ଜାଦେଜା ଓ ଶ୍ରେୟସ ଆୟରଙ୍କ ପ୍ରଥମ ପରୀକ୍ଷା ହେବ।

ଆଇପିଏଲ୍‌ ଇତିହାସର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏଥର ଘରୋଇ ପରିବେଶରେ ଖେଳିବାର ସୁଯୋଗ ପାଇବ। କିନ୍ତୁ ପାଣ୍ଡ୍ୟା ଭ୍ରାତା ଓ ‌ଟ୍ରେଣ୍ଟ୍‌ ବୋଲ୍ଟଙ୍କ ବିଦାୟ କାରଣରୁ ମୁମ୍ବାଇ ଆଉ ପୂର୍ବ ଭଳି ଖେଳିପାରିବ କି ନା ଦେଖିବାର ଅଛି। ଆର୍‌ସିବି ନେତୃତ୍ବରୁ ବିରାଟ କୋହଲି ହଟିଯାଇଥିଲେ ମଧ୍ୟ ପ୍ରଶଂସକଙ୍କ ନଜର ତାଙ୍କ ଉପରେ ସବୁବେଳେ ରହିବ। ସିଏସ୍‌କେ ବ୍ୟାଟର୍‌ ଫାପ୍ ଡୁ ପ୍ଲେସିସ୍‌ ଏବେ ଆର୍‌ସିବି ନେତୃତ୍ବ ସମ୍ଭାଳିବେ। ସେହିଭଳି ମାହି ମଧ୍ୟ ତାଙ୍କ ସିଏସ୍‌କେ ନେତୃତ୍ବକୁ ରବୀନ୍ଦ୍ର ଜାଦେଜାଙ୍କୁ ସମର୍ପି ଥିବାରୁ ଏଥରର ଆଇପିଏଲ୍‌ ଅନେକ ଦଳ ପାଇଁ ନୂଆ ଆରମ୍ଭର ସୁଯୋଗ ରଖିବ।

ଏହି ସଂସ୍କରଣ ମଧ୍ୟ ଶ୍ରେୟସ ଆୟର୍‌, କେଏଲ୍ ରାହୁଲ ଓ ହାର୍ଦିକ ପାଣ୍ଡ୍ୟାଙ୍କୁ ‌ସେମାନଙ୍କ ନେତୃତ୍ବ ଦକ୍ଷତାର ପରୀକ୍ଷା ‌ନେବ। ଆୟର୍‌ ଦିଲ୍ଲୀରୁ କୋଲକାତା, ରାହୁଲ୍ ପଞ୍ଜାବରୁ ଲକ୍ଷ୍ନୌ କ୍ୟାପ୍‌ଟେନ୍‌ ହୋଇଥିବା ବେଳେ ହାର୍ଦିକ ନୂଆ ଦଳ ଗୁଜରାଟ ଭାର ସମ୍ଭାଳିଛନ୍ତି।

ଚେନ୍ନାଇ ସୁପର୍‌ କିଙ୍ଗସ (ସମ୍ଭାବ୍ୟ ୧୧): ଋତୁରାଜ ଗାଏକ୍ବାଡ, ରବିନ ଉଥପ୍ପା, ଡେଭନ କନୱେ, ଅମ୍ବାତି ରାୟୁଡୁ, ରବୀନ୍ଦ୍ର ଜାଦେଜା (ଅଧିନାୟକ), ଶିଭମ ଦୁବେ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ଡ୍ବାନ୍ ବ୍ରାଭୋ, ରାଜବର୍ଦ୍ଧନ ହଙ୍ଗର‌ଗେକର, କ୍ରିସ୍ ଜୋର୍ଡାନ୍‌/ମହେଶ ଠିକସାଣା, ଆଦାମ୍ ମିଲନେ।

କୋଲକାତା ନାଇଟ୍ ରାଇଡର୍ସ (ସମ୍ଭାବ୍ୟ ୧୧): ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର (ଅଧିନାୟକ), ନୀତିଶ ରାଣା, ସାମ ବିଲିଙ୍ଗ୍ସ (ୱିକେଟରକ୍ଷକ), ଆନ୍ଦ୍ରେ ରସେଲ୍‌, ସୁନିଲ ନାରାୟଣ, ଚାମିକା କରୁଣାରତ୍ନେ, ଶିଭମ ମାଭି, ବରୁଣ ଚକ୍ରବର୍ତ୍ତୀ, ଉମେଶ ଯାଦବ/ରସିଖ୍‌ ସଲାମ ଦର୍‌।

ସମ୍ବନ୍ଧିତ ଖବର