ଆଉ ୪୯ ଦିନ, ପାକିସ୍ତାନ ପ୍ରଥମ ବିଜେତା

ଭୁବନେଶ୍ବର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ବରର ବିଜୁ ପଟ୍ଟନାୟକ ହକି କମ୍ପ୍ଲେକ୍ସରେ ଖେଳାଯିବାକୁ ଥିବା ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍-୨୦୧୮’ ପୂର୍ବରୁ ସମ୍ବାଦ ପକ୍ଷରୁ ଆରମ୍ଭ କରାଯାଇଥିବା ଅବଗଣନା ପର୍ବରେ ଆମେ ବିଭିନ୍ନ ସଂସ୍କରଣ ଆଲୋକପାତ କରୁଛୁ। ଫିଲଡ୍‌ ହକିର ସବୁଠୁ ମର୍ଯ୍ୟଦାଜନକ ଏବଂ ପ୍ରତିଦ୍ବନ୍ଦ୍ବୀତାପୂର୍ଣ୍ଣ ପ୍ରତିଯୋଗିତା ହକି ବିଶ୍ବକପ୍‌ର ଅୟମାରମ୍ଭ ହୋଇଥିଲା ୧୯୭୧ ମସିହାରେ। ସ୍ପେନର ବାର୍ସିଲୋନା ସହରର କା‌ଟାଲୋନିଆରେ ୧୦ ଦେଶକୁ ନେଇ ଅକ୍ଟୋବର ୧୫ରୁ ୨୪ ତାରିଖ ମଧ୍ୟରେ ଏହା ଖେଳାଯାଇଥିଲା। ଆୟୋଜକ ସ୍ପେନକୁ ଫାଇନାଲ୍‌ରେ ୧-୦ ଗୋଲ୍‌ରେ ହରାଇ ପାକିସ୍ତାନ ପ୍ରଥମ ସଂସ୍କରଣର ବିଜେତା ହେବାର ଗୌରବ ପାଇଥିଲା। ପ୍ଲେ ଅଫ୍‌ରେ କେନିଆକୁ ଅତିରିକ୍ତ ସମୟରେ ୨-୧ ଗୋଲରେ ହରାଇ ଭାରତ ତୃତୀୟ ସ୍ଥାନରେ ରହିଥିଲା। ପୁଲ୍ ‘ଏ’ରେ ସ୍ଥାନ ପାଇଥିବା ଭାରତ ନିଜର ସମସ୍ତ ମ୍ୟାଚ୍ ଜିତି ବିନା ଗୋଲ ବରଣରେ ଆଗକୁ ବଢ଼ିଥିଲା। ପଶ୍ଚିମ ଜର୍ମାନି, ଫ୍ରାନ୍ସ, ଆର୍ଜେଣ୍ଟିନା ଭଳି ଦଳକୁ ୧-୦ରେ ଏବଂ କେନିଆକୁ ୨-୦ରେ ହରାଇଥିଲା। ସମାନ ପଏଣ୍ଟ ପାଇଥିବାରୁ ଏହି ପୁଲ୍‌ର ଦ୍ବିତୀୟ ସ୍ଥାନ ପାଇଁ ହୋଇଥିବା ମୁକାବିଲାରେ ପଶ୍ଚିମ ଜର୍ମାନିକୁ କେନିଆ ହରାଇ ଦେଇ ସେମିଫାଇନାଲରେ ପହଞ୍ଚିଥିଲା। ପୁଲ ‘ବି’ରୁ ସ୍ପେନ୍ ଓ ପାକିସ୍ତାନ ଶ୍ରେଷ୍ଠ ଦୁଇ ଦେଶ ଭାବେ ସେମିଫାଇନାଲ୍ ଆସିଥିଲେ। ସେମିଫାଇନାଲରେ ଭାରତକୁ ପାକିସ୍ତାନ ୨-୧ରେ ଏବଂ କେନିଆକୁ ସ୍ପେନ ଅତିରିକ୍ତ ସମୟରେ ୧-୦ ଗୋଲରେ ହରାଇ ଫାଇନାଲ୍ ଖେଳିଥିଲେ। ଅକ୍ଟୋବର ୨୪ ତାରିଖ ଫାଇନାଲରେ ପାକିସ୍ତାନ ୧-୦‌ ଗୋଲରେ ସ୍ପେନକୁ ମାତ‌‌‌ ଦେଇ ଦେଶର ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିଥିଲେ। ଫାଇନାଲ୍ ମ୍ୟାଚ୍‌କୁ ୧୦,୦୦୦ ଦର୍ଶକ ଦେଖିଥିଲେ। ପାକିସ୍ତାନର ତନଭୀର ଦାର୍ ସର୍ବାଧିକ ୮ ଗୋଲ୍ ‌େ‌ଦଇଥିଲେ। ମୋଟ ୩୦ ମ୍ୟାଚ୍‌‌ ଖେଳାଯାଇଥିବାବେଳେ ୨.୨ ହାରରେ ମୋଟ ୬୬ ଗୋଲ୍ ସ୍କୋର୍ ହୋଇଥିଲା।

ସମ୍ବନ୍ଧିତ ଖବର