ଅବଦୁଲ କାଦିରଙ୍କ ଦେହାନ୍ତ

ଲାହୋର: ପାକିସ୍ତାନ କ୍ରିକେଟ୍ ଦଳର ମହାନ ଲେଗ୍‌ ସ୍ପିନର୍‌ ଅବଦୁଲ କାଦିରଙ୍କର ଶୁକ୍ରବାର ୬୩ ବର୍ଷ ବୟସରେ ପରଲୋକ ଘଟିଛି। ଏହି ଖବରକୁ ସ୍ପଷ୍ଟ କରିଛନ୍ତି ତାଙ୍କ ପୁଅ ସୁଲମାନ କାଦିର ଏବଂ ପାକିସ୍ତାନୀ କ୍ରିକେଟର୍ କାମରାନ୍ ଆକମଲ୍‌। ଶୁକ୍ରବାର ତାଙ୍କୁ ହୃଦ୍‌ଘାତ ହେବାରୁ ସର୍ଭିସେସ୍ ହସପିଟାଲ୍ ନିଆଯାଇଥିଲା। କିନ୍ତୁ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରିନଥିଲେ। ନିଆରା ବୋଲିଂ ଶୈଳୀ ପାଇଁ ପରିଚିତ କାଦିର ପାକିସ୍ତାନ ପାଇଁ ୬୭ ଟେଷ୍ଟ୍ ଏବଂ ୧୦୪ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଟେଷ୍ଟ୍‌ରେ ୨୩୬ ୱିକେଟ୍ ଏବଂ ଦିନିକିଆରେ ୧୩୨ ୱିକେଟ୍ ନେଇଥିଲେ। ୧୯୭୭ ମସିହାରେ ଲାହୋରରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ଖେଳିଥିଲେ। ସେହିଭଳି ୧୯୮୩ ମସିହା ଜୁନ୍‌ରେ ବର୍ମିଂହାମରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ପ୍ରଥମ ଦିନିକିଆ ଖେଳିଥିଲେ। ସେହିଭଳି ସେ ନିଜ ଶେଷ ଟେଷ୍ଟ୍‌ ୧୯୯୦ରେ ଲାହୋରଠାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏବଂ ଶେଷ ଦିନିକିଆ ସାରଜାରେ ୧୯୯୩ରେ ଶ୍ରୀଲଙ୍କା ବିପକ୍ଷରେ‌‌ ଖେଳିଥିଲେ। କାଦିରଙ୍କ ବିୟୋଗରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଗଭୀର ଶୋକ ପ୍ରକାଶ କରିଛି। ଅବସର ପରେ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ଚୟନକର୍ତା ଏବଂ ଭାଷ୍ୟକାର ଦାୟିତ୍ବ ବି ତୁଲାଇଥିଲେ।

କାଦିର ଭାଇଙ୍କ ଲେଗ୍ ସ୍ପିନ୍ କଳା ପାକିସ୍ତାନର ଯୁବ ପିଢ଼ି ପାଇଁ ପ୍ରେରଣାର ଉତ୍ସ ଥିଲା। ପାକିସ୍ତାନ କ୍ରିକେଟ୍‌ ପାଇଁ ଏହା ବଡ଼ କ୍ଷତି ବୋଲି କହିଛନ୍ତି ପୂର୍ବତନ ଲେଗ୍ ସ୍ପିନର୍‌ ଡାନିଶ କାନେରିଆ। କାଦିରଙ୍କ ପରେ ମୁସ୍ତାକ୍ ଅହମ୍ମଦ ହିଁ ତାଙ୍କ ଶୈଳୀ ବୋଲିଂ କରିପାରିଥିଲେ। କାଦିର ଶେଷ ପର୍ଯ୍ୟନ୍ତ ପାକିସ୍ତାନ କ୍ରିକେଟ୍‌ ବୋର୍ଡର ନୀତିକୁ ସମାଲୋଚନା କରିଆସୁଥିଲେ। ୨୦୦୯ରେ ମୁଖ୍ୟ ଚୟନକର୍ତା ଭାବେ ତାଙ୍କ ନେତୃତ୍ବରେ ମନୋନୀତ ପାକିସ୍ତାନ ଦଳ ହିଁ ବିଶ୍ବକପ୍‌ (ଟି-୨୦) ଜିତିଥିଲା। କାଦିରଙ୍କ ୪ ପୁଅ ରହମାନ, ଇମ୍ରାନ, ସୁଲେମାନ ଏବଂ ଉସମାନ ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି। ସାନପୁଅ ଉସମାନ ପିତାଙ୍କ ଭଳି ଜଣେ ଭଲ ଲେଗ୍ ସ୍ପିନର୍। ପାକିସ୍ତାନ ଚୟନକର୍ତାମାନେ ଉପେକ୍ଷିତ କରିବାରୁ ସେ ଅଷ୍ଟ୍ରେଲିଆ ପାଇଁ ଖେଳିବା ଆଶାରେ ରହିଛନ୍ତି। ଗତ ଋତୁରେ ସେ ବିଗ୍ ବାସ୍ ଲିଗ୍‌ରେ ଖେଳିଥିଲେ। ସତୁରି ଓ ଅଶି ଦଶକରେ ଦ୍ରୁତ ବୋଲରମାନେ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ କାଦିର ସ୍ପିନ୍‌ କଳାକୁ ବଞ୍ଚାଇ ରଖିବା ତାଙ୍କ ବଡ଼ ଉପଲବ୍‌ଧି ବୋଲି କ୍ରିକେଟ୍‌ ପଣ୍ଡିତମାନେ କହିଛନ୍ତି। ବର୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କର ସେ ସବୁଠାରୁ ପସନ୍ଦର ଖେଳାଳି ଥିଲେ। ତାଙ୍କ ଅଧିନରେ ସେ ‌େଫୖସଲାବାଦ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫୬ ରନ୍‌ରେ ୯ ୱିକେଟ୍‌ ନେବା ଶ୍ରେଷ୍ଠ ବୋଲିଂ ଚିତ୍ର ହୋଇ ରହିଛି। କାଦିରଙ୍କ ଦେହାନ୍ତ ଖବର ପ୍ରସାରିତ ହେବା ପରେ ବହୁ ପୂର୍ବତନ କ୍ରିକେଟର୍ ଏବଂ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମ ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ସମ୍ବନ୍ଧିତ ଖବର