ବିସିଏସିର ଆଉ ଏକ ସଫଳ ଅନ୍ତର୍ଜାତୀୟ ଅଭିଯାନ

ଭୁବନେଶ୍ବର: ଓଡ଼ିଶାରେ ବିଶେଷ କରି ରାଜଧାନୀରେ ସାଇକେଲ ଚାଳନାକୁ ନୂଆ ସ୍ତରକୁ ନେଇଥିବା ବିସିଏସି (ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍ ଆଡଭେଞ୍ଜର୍ କ୍ଲବ୍‌) ନିଜ ସଫଳତାରେ ଆଉ ଏକ ଅନ୍ତର୍ଜାତୀୟ ଫର୍ଦ ଯୋଡ଼ିନେଇଛି। ଅନୁଷ୍ଠାନର ବାର୍ଷିକ ଅନ୍ତର୍ଜାତୀୟ ଦୁଃସାହସିକ କାର୍ଯ୍ୟକ୍ରମରେ ଏଥର ୮ ଜଣିଆ ଦଳ ଶ୍ରୀଲଙ୍କା ଭ୍ରମଣ କରି ଆସିଛନ୍ତି। ୮ ଦିନିଆ ଏହି ଯାତ୍ରାରେ ବିସିଏସି ଦଳ ୮ଟି ପ୍ରମୁଖ ସ୍ଥାନ ଦେଇ ମୋଟ ୮୦୦ କିଲୋମିଟର୍‌ ବୁଲିଥିଲେ।

କଲମ୍ବୋରୁ ସାଇକେଲ୍ ଅଭିଯାନ ଆରମ୍ଭ କରିଥିବା ବିସିଏସି ଦଳ ଗଲ୍‌, ମଟାରା, ୱେଲିଂଗାମା, ଉଦାୱାଲାୱେ, ଦେହିଓୱିତା ଦେଇ ବିଶ୍ବ ବିଖ୍ୟାତ ବୌଦ୍ଧ ଐତିହ୍ୟପୀଠ ଡାମ୍ବୁଲା, ସିଗିରିଆ, କାଣ୍ଡି ଅତିକ୍ରମ କରି ପୁଣି କଲମ୍ବୋରେ ପହଞ୍ଚିଥିଲେ। ଶ୍ରୀଲଙ୍କାର ପାର୍ବତ୍ୟାଞ୍ଚଳ, ଜଙ୍ଗଲ ଘେରା ଏହି ଅଭିଯାନ ସମୟରେ ଦେଶର ବୌଦ୍ଧ ସଂସ୍କୃତି, ପରମ୍ପରା ସହିତ ପରିଚିତ‌ ହେବା ସହିତ ଲୋକଙ୍କ ବିକାଶ, ଚାଲିଚଳଣ ଆଦି ଅନୁଧ୍ୟାନ କରିଥିଲେ। ୨୦୦୪ ମସିହାର ପ୍ରଳୟଙ୍କରୀ ସୁନାମିରୁ ଶ୍ରୀଲଙ୍କା କିଭଳି ବାହାରି ଆସିଛି ସେମାନେ ଦେଖିବାକୁ ପାଇଥିଲେ। ଅନ୍ୟ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ତୁଳନାରେ ଏହା ଅଧିକ ସ୍ମରଣୀୟ ହୋଇଛି ବୋଲି ସାଇକ୍ଲିଷ୍ଟମାନେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ବିସିଏସି ଦଳ ପୂର୍ବରୁ ୨୦୧୫ରେ ଭୁବନେଶ୍ବର-ଭୁଟାନ, ୨୦୧୬ରେ ଭିଏତନାମ-କାମ୍ବୋଡିଆ, ୨୦୧୭ରେ କଟକ-କାଠମାଣ୍ଡୁ ଏବଂ ୨୦୧୮ରେ ମନାଲି-ଲେହ-ଖର୍ଦୁଙ୍ଗଲାରେ ପହଞ୍ଚି ଶାନ୍ତି ଓ ବଂଧୁତାର ବାର୍ତା ବାଣ୍ଟିଥିଲେ।

ସମ୍ବନ୍ଧିତ ଖବର