ନବଭାରତର ନିର୍ମାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀ

ଡା. ଗୋପାଳଚନ୍ଦ୍ର ଦାଶ

ସମାଜକୁ ସଂସ୍କାରଗ୍ରସ୍ତ ହେଲେ ଜଣେ ସମାଜ ସଂସ୍କାରକଙ୍କର ଆବଶ୍ୟକତା ପଡ଼ିଥାଏ। ସେମିତି ଜଣେ ସଂସ୍କାରକ ହେଉଛନ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀ। ଭାରତ ବର୍ଷ ଯେତେବେଳେ ଅନ୍ଧବିଶ୍ବାସ, ମୂର୍ତ୍ତିପୂଜା, ଅଜ୍ଞାନତା ଓ କୁସଂସ୍କାର ରୂପି ଅନ୍ଧକାରରେ ଆଚ୍ଛନ୍ନ ଥିଲା, ସେତେବେଳେ ଯେଉଁ କ୍ରାନ୍ତିକାରୀ, ଯୋଦ୍ଧା, ଆଜନ୍ମ ବ୍ରହ୍ମଚାରୀ, ନିର୍ଭୀକ ତଥା ଜ୍ଞାନୀ ମହାପୁରୁଷଙ୍କର ଆବିର୍ଭାବ ହୋଇଥିଲା- ସେ ହେଉଛନ୍ତି ସ୍ବାମୀ ଦୟାନନ୍ଦ ସରସ୍ବତୀ।

ସ୍ବାମୀ ଦୟାନନ୍ଦ ଜନ୍ମଗତ ଜାତିପ୍ରଥା, ମୂର୍ତ୍ତିପୂଜା, ମୃତକ ଶ୍ରାଦ୍ଧ, ଅସ୍ପୃଶ୍ୟତା, ବାଲ୍ୟବିବାହ ଓ ପଶୁବଳି ଆଦି ଅନେକ କୁସଂସ୍କାର ବିରୋଧରେ ସଂଗ୍ରାମ କରି ନିଜ ଜୀବନକୁ ବଳିଦାନ ଦେଇଥିଲେ। ଭାରତରେ ବୈଦିକ ସଂସ୍କୃତିର ପୁନଃଉଦ୍ଧାର ପାଇଁ ଆର୍ଯ୍ୟ ସମାଜ ନିର୍ମାଣ, ବ୍ରହ୍ମଚର୍ଯ୍ୟର ପୁନଃପ୍ରତିଷ୍ଠା ପାଇଁ ଗୁରୁକୂଳ ଶିକ୍ଷା ପଦ୍ଧତିର ଆରମ୍ଭ, ପଶୁଧନର ସୁରକ୍ଷା ପାଇଁ ଗୋଶାଳା ନିର୍ମାଣ, ଦେଶର ସ୍ବାଧୀନତା ପାଇଁ ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ, ଜାତୀୟ କଂଗ୍ରେସର ଜନ୍ମ ପୂର୍ବରୁ ସ୍ବରାଜ ପାଇଁ ଜନଜାଗରଣ, ଭାରତୀୟ ମାନଙ୍କର ଦାସତ୍ବମୋଚନ ପାଇଁ ଦେଶବାସୀଙ୍କୁ ପ୍ରେରଣା ପ୍ରଦାନ, ସ୍ତ୍ରୀ ଶିକ୍ଷାର ପ୍ରସାର ପାଇଁ କନ୍ୟା ଗୁରୁକୂଳର ପ୍ରତିଷ୍ଠା ଓ ସ୍ବଚ୍ଛ ରାଜତନ୍ତ୍ରର ପ୍ରତିଷ୍ଠା ପାଇଁ ପରାମର୍ଶ ଆଦି କ୍ରାନ୍ତୀକାରୀ ପଦକ୍ଷେପ ପାଇଁ ସେ ଚିର ଅମର ହୋଇ ରହି ଯାଇଛନ୍ତି। ତାଙ୍କ ସଂକଳିତ ‘ସତ୍ୟାର୍ଥ ପ୍ରକାଶ’ ଗ୍ରନ୍ଥ ମାନବ ସମାଜ ପାଇଁ ଏକ ଅମୂଲ୍ୟ ଦାନ।

ଭାରତରେ ଏକ ଧର୍ମ, ଏକ ଭାଷା ଓ ଏକ ଲକ୍ଷ୍ୟ ହାସଲ ନ ହେଲେ ଏହା ଦୁଷ୍କର। ୧୮୭୫ ମସିହା ଏପ୍ରିଲ ୭ ତାରିଖ ଦିନ ବମ୍ବେଠାରେ ଆର୍ଯ୍ୟସମାଜ ଗଠନ କରି କହିଥିଲେ, ଆର୍ଯ୍ୟ ସମାଜ କୌଣସି ଏକ ନୂତନ ଧର୍ମ ନୁହେଁ। ଏହା ଏକ ବୈଦିକ ଆନ୍ଦୋଳନ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଜନ୍ମଗତ ଜାତିପ୍ରଥାର ବିରୋଧ, ମୂର୍ତ୍ତିପୂଜା ଓ ଅବତାରବାଦ ବିରୋଧରେ ସଂଗ୍ରାମ ତଥା ଗୁରୁକୂଳ, ଅନାଥାଶ୍ରମ, ଯୋଗାଶ୍ରମ, ଯଜ୍ଞଶାଳା ଓ ବାନପ୍ରସ୍ଥାଶ୍ରମ ଭଳି ଜନକଲ୍ୟାଣ ସଂସ୍ଥା ଗୁଡ଼ିକର ଗଠନ। ଏହାକୁ କାର୍ଯ୍ୟ କରିବା ପାଇଁ ସେ ଲାହୋରଠାରେ ଆର୍ଯ୍ୟ ସମାଜର ୧୦ଟି ନିୟମ ପ୍ରଣୟନ କରିଥିଲେ।

ଅନେକ ମହାମନିଷୀ ସ୍ବାମୀ ଦୟାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଯେଉଁ ମନ୍ତବ୍ୟ ପ୍ରଦାନ କରିଛନ୍ତି ପ୍ରକୃତରେ ତାହା ପ୍ରେରଣାଦାୟୀ। ଯୋଗୀ ଅରବିନ୍ଦ ‘ସାଧାରଣ ଦୃଷ୍ଟିରେ ଆଧ୍ୟାତ୍ମିକତା ଓ ବ୍ୟାବହାରିକତା ପରସ୍ପର ବିରୋଧୀ ଭାବରେ ପ୍ରତୀତ ହେଲେ ହେଁ ଦୟାନନ୍ଦ ଥିଲେ ଏହି ଉଭୟର ମିଶ୍ରଣ। ରବୀନ୍ଦ୍ରନାଥ ଟାଗୋରଙ୍କ ଭାଷାରେ ‘ଦୟାନନ୍ଦ ସରସ୍ବତୀ ଆଧୁନିକ ଭାରତର ମାର୍ଗଦର୍ଶକ’। ସୁଭାଷଚନ୍ଦ୍ର ବୋଷ କହୁଥିଲେ ସ୍ବାମୀଜୀ ଆଧୁନିକ ଭାରତର ନିର୍ମାଣ। ମହାତ୍ମା ଗାନ୍ଧୀଙ୍କ ମତରେ ସେ ଭାରତୀୟମାନଙ୍କୁ ସ୍ବରାଜର ମାର୍ଗ ପ୍ରଦର୍ଶନ କରିଥିଲେ। ଲାଲା ଲାଜପତରାୟ କହୁଥିଲେ ସେ ମୋର ଧର୍ମ ପିତା ଓ ଆର୍ଯ୍ୟ ସମାଜ ମୋର ଧର୍ମର ମାତା। ବାଲ୍‌ ଗଙ୍ଗାଧର ତିଳକଙ୍କ ମତରେ ସେ ଗଭୀର ନିଦ୍ରାରେ ଶୋଇଥିବା ଭାରତବାସୀଙ୍କୁ ଜାଗ୍ରତ କରିଥିଲେ। ସେହିଭଳି, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ: ‘ସ୍ବାମୀଜୀ ମହାନ ବିଦ୍ବାନ ଓ ପ୍ରଖର କ୍ରାନ୍ତିକାରୀ ପୁରୁଷ’। ଚକ୍ରବର୍ତ୍ତୀ ରାଜଗୋପାଳଚାରୀ: ‘ସେ ଜଣେ ଚତୁର ଚିକିତ୍ସକ ପରି କୁସଂସ୍କାର ଭଳି ରୋଗର ଚିକିତ୍ସା କରିଥିଲେ’ । ଲାଲ ବାହାଦୁର ଶାସ୍ତ୍ରୀ: ‘ଯେତେବେଳେ ସାମାଜିକ କୁରୀତିକୁ ସମାଲୋଚନା କରିବା ଅସମ୍ଭବ, ତେବେ‌େଳ ମହର୍ଷି ଦୟାନନ୍ଦ ଏ ଦେଶର ନେତୃତ୍ବ ନେଇଥିଲେ’। ମୁଲାରଙ୍କ ମତରେ ଭାରତର ପୂର୍ବବର୍ତ୍ତୀ ଚାଷୀମାନଙ୍କ ପରି ସେ ବେଦକୁ ଐଶ୍ବରୀୟ ଜ୍ଞାନ ବୋଲି ଗ୍ରହଣ କରିଥିଲେ। ବୀର ସଭରକର ଆଖ୍ୟା ଦେଇ କହିଥିଲେ ଯେ, ସ୍ବାମୀଜୀ ସ୍ବାଧୀନତା ସଂଗ୍ରାମର ପ୍ରଥମ ଯୋଦ୍ଧା।

ଆଜି ପବିତ୍ର ଦୀପାବଳୀ। ସ୍ବାମୀଜୀଙ୍କ ମହାପ୍ରୟାଣ ଦିବସ। ସେହି ମହାପୁରୁଷଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଦ୍ବାରା ପ୍ରଦତ୍ତ ଜ୍ଞାନାଲୋକକୁ ଦୈନନ୍ଦିନ ଜୀବନରେ କିଞ୍ଚିତ୍‌ ମାତ୍ରାରେ ପ୍ରୟୋଗ କରି ଅଗ୍ରସର ହୋଇ ପାରିଲେ, ଏହା ହେବ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି।

ମୁଖ୍ୟ ଚିକିତ୍ସା ନିର୍ଦେଶକ,
ପୂର୍ବତଟ ରେଲୱେ, ଭୁବନେଶ୍ବର

ସମ୍ବନ୍ଧିତ ଖବର