ପ୍ରାୟୋଜକ ଅଭାବରୁ ଆଗେଇ ପାରୁନି କ୍ୟାରିୟର୍, କନିଷ୍ଠ ଚେସ୍‌ ପ୍ରତିଭା ଶ୍ରେୟାଂଶ ଓ ପ୍ରିୟାଂଶ

କ୍ରୀଡ଼ା ବିଭାଗ ପକ୍ଷରୁ ମଧ୍ୟ ନାହିଁ କୌଣସି ସହାୟତା

ରସୁଲପୁର: ପ୍ରାୟୋଜକ ଅଭାବରୁ କନିଷ୍ଠ ବର୍ଗର ଚେସ୍‌ ବିଜେତା ଦୁଇ ବାଳକଙ୍କ କ୍ରୀଡ଼ା ପ୍ରତିଭା ଆଗେଇ ପାରୁନି। ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ବାରବାଟୀ ଗ୍ରାମର ଚେସ୍‌ ତାରକା ଶ୍ରେୟାଂଶ ଓ ପ୍ରିୟାଂଶ। ମୃତ୍ୟୁଞ୍ଜୟ ଦାସ ଓ ମାନସୀ ଦାସଙ୍କ ଯାଆଁଳା ସନ୍ତାନ। ଛୋଟ ବେଳୁ ସେମାନଙ୍କ ଚେସ୍‌ ପ୍ରତିଭାର ପ୍ରମାଣ ମିଳିଥିଲା। ୨୦୧୭ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଚେସ୍‌ ପ୍ରତିଯୋଗିତାରେ ୮ ବର୍ଷରୁ କମ ବର୍ଗରେ ଶ୍ରେୟାଂଶ ସ୍ବର୍ଣ୍ଣ ପଦକ ବିଜେତା ହୋଇଥିଲେ। ସେହି ବର୍ଷ ତାସ୍‌କେଣ୍ଟଠାରେ ଅନୁଷ୍ଠିତ ଏସିଆଡ୍ ଗେମ୍‌ରେ ଭାଗନେଇ ପ୍ରିୟାଂଶ ଚତୁର୍ଥ ସ୍ଥାନ ଓ ଶ୍ରେୟାଂଶ ଷଷ୍ଠ ସ୍ଥାନ ହାସଲ କରିଥିଲେ। ବ୍ରାଜିଲରେ ଅନୁଷ୍ଠିତ ବିଶ୍ବ ଚେସ୍‌ ଚାମ୍ପିଅନସିପ୍‌ରେ ଭାଗନେଇ ନବମ ସ୍ଥାନରେ ଥିଲେ ଶ୍ରେୟାଂଶ। ମଙ୍ଗୋଲିଆରେ ଅନୁଷ୍ଠିତ ଏସିଆଡ୍‌ରେ ଭାଗନେଇ ଷଷ୍ଠ ସ୍ଥାନ ପାଇଥିଲେ ପ୍ରିୟାଂଶ। ନିଜ ବୟସ ବର୍ଗରେ ଜାତୀୟ ବିଜେତା ହୋଇଛନ୍ତି ପ୍ରିୟାଂଶ। ଆସନ୍ତା ୧୬ ତାରିଖରେ ହେବାକୁ ଯାଉଥିବା ୧୪ ବର୍ଷରୁ କମ୍ ଜାତୀୟ ଚେସ୍‌ ଚମ୍ପିଅନ୍‌ସିପ୍ ପାଇଁ ଦୁଇଭାଇ ଯୋଗ୍ୟତା ହାସଲ କରିଛନ୍ତି।

ଏତେସବୁ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ପାଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ଚେସ୍‌ ତାରକା ଦୁଇଭାଇଙ୍କୁ କୌଣସି ପ୍ରକାର ଆର୍ଥିକ ସହାୟତା ମିଳିପାରୁନାହିଁ। ସରକାରଙ୍କ କ୍ରୀଡ଼ା ବିଭାଗ କିମ୍ବା କୌଣସି ପ୍ରାୟୋଜକ ନମିଳିବାରୁ ବ୍ୟୟବହୁଳ ତାଲିମ ପାଇବାରୁ ଏହି କୁନି ତାରକାଦ୍ବୟ ବଞ୍ଚିତ ହେଉଛନ୍ତି। ବାପା ଜଣେ ସାଧାରଣ ବ୍ୟବସାୟୀ। ତାଙ୍କ ସ୍ବଳ୍ପ ରୋଜଗାରରେ ଦୁଇ ଭାଇଙ୍କ ଚେସ୍‌ ଖେଳ ଓ ତାଲିମ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡୁଛି। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଥିବା ମୃତ୍ୟୁଞ୍ଜୟ କୁହନ୍ତି। ବର୍ତ୍ତମାନ ଏମାନଙ୍କର ରେଟିଂ ପଏଣ୍ଟ୍ ୧୭୦୦ ରୁ ୧୭୫୦ ପର୍ଯ୍ୟନ୍ତ ହେଲାଣି। ଗ୍ରାଣ୍ତ୍ ମାଷ୍ଟର ହେବାକୁ ହେଲେ ୨୪୦୦ରୁ ୨୫୦୦ ରେଟିଂ ପଏଣ୍ଟ୍ ଆବଶ୍ୟକ। ଉଚ୍ଚତର ସୋପାନର ଚେସ୍‌ ଖେଳିବା ପାଇଁ ଆବଶ୍ୟକ ହେଉଥିବା ତାଲିମ ଖର୍ଚ୍ଚ ଘଣ୍ଟାକୁ ସର୍ବନିମ୍ନ ୨ହଜାର ଟଙ୍କା। ତେଣୁ ଦୁଇ ଭାଇଙ୍କୁ ତାଲିମ ଦେବାକୁ ଏବେ ଅତି କମ୍‌ରେ ସପ୍ତାହକୁ ୨୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

ଯାଜପୁରର ପୂର୍ବତନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏହି ଦୁଇ ଭାଇଙ୍କ ପାଇଁ ପ୍ରାୟୋଜକ ଯୋଗାଡ଼ କରିବାକୁ ନାଲକୋ, କିଟ୍, ଓଏମସି ଭଳି ଅନୁଷ୍ଠାନକୁ ଚିଠି ଲେଖିଥିଲେ। ମାତ୍ର କେହି ପ୍ରାୟୋଜକ ହୋଇନାହାନ୍ତି ବୋଲି କୁହନ୍ତି ମୃତ୍ୟୁଞ୍ଜୟ। ପ୍ରତିଭା ବିକାଶର ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ତାଲିମର ଆବଶ୍ୟକତା ରହିଥିବା ବେଳେ ଯଦି ଏହା ସେମାନଙ୍କୁ ଉପଲବ୍‌ଧ କରା ନଯାଏ ତାହେଲେ ହୁଏତ ଏହି ଦୁଇ କୁନି ତାରକା ଯେତିକି ସଫଳତା ପାଇବା କଥା ତାହା ପାଇ ନପାରନ୍ତି। ତେଣୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ହେଉ କିମ୍ବା କୌଣସି କର୍ପୋରେଟ୍‌ ସଂସ୍ଥା ଏହି ଦୁଇ ଭାଇଙ୍କୁ ସେମାନଙ୍କ କ୍ରୀଡ଼ା କ୍ୟାରିୟର ଆଗକୁ ନେବାକୁ ପ୍ରାୟୋଜକ ହେବା ଜରୁରି।

ସମ୍ବନ୍ଧିତ ଖବର